Categories: ଖେଳ

ହୋଲ୍ଡିଂ ଓ ଇବୋନୀଙ୍କୁ ଫ୍ରିଡମ୍‌ ଅଫ୍‌ ଦି ସିଟି ଅଫ୍‌ ଲଣ୍ଡନ ପୁରସ୍କାର

ଲଣ୍ଡନ,୧୭।୧୨(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ଲିଜେଣ୍ଡ ମାଇକେଲ ହୋଲ୍ଡିଂ ଓ ପୂର୍ବତନ ଇଂଲଣ୍ଡ ମହିଳା କ୍ରିକେଟର ଇବୋନୀ ରେନଫୋର୍ଡ- ବ୍ରେଣ୍ଟଙ୍କୁ ଫ୍ରିଡମ୍‌ ଅଫ୍‌ ଦି ସିଟି ଅଫ୍‌ ଲଣ୍ଡନ ପୁରସ୍କାର ପ୍ରଦାନ କରାଯାଇଛି। ବର୍ଣ୍ଣବୈଷମ୍ୟ ବିରୋଧରେ ଏହି ଦୁଇ ପୂର୍ବତନ ଖେଳାଳି ଦୃଷ୍ଟାନ୍ତମୂଳକ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ‘ବ୍ଲାକ୍‌ ଲାଇଭ୍ସ ମ୍ୟାଟର’ ଆନ୍ଦୋଳନକୁ ସମର୍ଥନ କରି ହୋଲ୍ଡିଂ ଆଗକୁ ବାହାରିଥିଲେ।
ନିଜନିଜ କ୍ଷେତ୍ରରେ ସଫଳତା ଓ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ବର୍ଣ୍ଣବୈଷମ୍ୟବାଦ୍‌ ବିରୋଧରେ ଏହି ଦୁଇ ଖେଳାଳି ସାହସିକ ଆଭିମୁଖ୍ୟ ପୋଷଣା କରିଛନ୍ତି ବୋଲି ସିଟି ଅଫ୍‌ ଲଣ୍ଡନର ଲର୍ଡ ମେୟର ଓ୍ବିଲିୟମ ରସେଲ କହିଛନ୍ତି। ସାରା ବିଶ୍ୱରେ ଦେଖାଦେଇଥିବା ଏହି ଆନ୍ଦୋଳନକୁ ଏହି ଦୁଇ ଖେଳାଳି ଅକୁଣ୍ଠିତ ଭାବେ ସମର୍ଥନ କରିଛନ୍ତି। କିଛିଦିନ ତଳେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜ ଅବସରରେ ହୋଲ୍ଡିଂ ବର୍ଣ୍ଣବୈଷମ୍ୟ ବିରୋଧରେ କଡ଼ା ବାର୍ତ୍ତା ଦେଇଥିଲେ। ସେହିପରି ରେନଫୋର୍ଡ- ବ୍ରେଣ୍ଟ ପ୍ରଥମ କୃଷ୍ଣକାୟ ମହିଳା ଭାବେ ଇଂଲଣ୍ଡ ପାଇଁ କ୍ରିକେଟ ଖେଳିଥିଲେ। ସେ ୨୨ଟି ଦିନିକିଆ ଓ ୭ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଉଲ୍ଲେଖଥାଉ କି, ଗତ ମେ ମାସରେ ଆମେରିକାରେ ଜର୍ଜ ଫ୍ଲଏଡ ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କୁ ଜଣେ ଗୋରା ପୋଲିସ ଅଫିସର ମାରିଦେଇଥିଲେ। ଏହାପରେ ‘ବ୍ଲାକ ଲାଇଭ୍ସ ମ୍ୟାଟର’ ଆନ୍ଦୋଳନ ସାରା ବିଶ୍ୱରେ ଆରମ୍ଭ ହୋଇଥିଲା।

Share