Categories: ଖେଳ

ହକି ବିଶ୍ୱକପ: ଗୋଲ ସ୍କୋରିଂରେ ହୋଇପାରେ ରେକର୍ଡ

ଭୁବନେଶ୍ୱର, ୨୨।୧: ଚଳିତ ହକି ବିଶ୍ୱକପରେ ଏପର୍ଯ୍ୟନ୍ତ ୨୪ଟି ପୁଲ୍‌ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି। ଏହା ମଧ୍ୟରେ ୫.୪୨ ହାରରେ ୧୩୦ଟି ଗୋଲ ସ୍କୋର ହୋଇଛି। ଏହା ମଧ୍ୟରେ ଫିଲ୍ଡ ଗୋଲ ୮୦, ପେନାଲ୍ଟି କର୍ନର ଗୋଲ ୪୩ ଓ ପେନାଲ୍ଟି ଷ୍ଟ୍ରୋକ୍‌ ଗୋଲ ୭ ରହିଛି। ପ୍ରତିଯୋଗିତାରେ ଆହୁରି ୨୦ଟି ମ୍ୟାଚ ଖେଳାଯିବାକୁ ବାକିଅଛି। ଯଦି ଏପରି ଗୋଲ ସ୍କୋରିଂ ଧାରା ଜାରିରହେ ତେବେ ଏହା ସର୍ବାଧିକ ଗୋଲ ସ୍କୋରିଂ ବିଶିଷ୍ଟ ବିଶ୍ୱକପ ହେବାର ସମ୍ଭାବନା ରହିଛି।
ଟାଇଟଲ ଦାବିଦାର ନେଦରଲାଣ୍ଡ୍ସ ଦଳ ୩ ମ୍ୟାଚରୁ ସର୍ବାଧିକ ୨୨, ଅଷ୍ଟ୍ରେଲିଆ ୨୦ ଓ ବେଲଜିୟମ ୧୪ ଗୋଲ ଦେଇ ଶୀର୍ଷ ୩ ସ୍ଥାନରେ ରହିଛନ୍ତି। ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ପେନାଲ୍ଟି କର୍ନରରୁ ସର୍ବାଧିକ ୭ଟି ଲେଖାଏ ଗୋଲ ଦେଇଛନ୍ତି। ଫ୍ରାନ୍ସର ଭିକ୍ଟର ଚାର୍ଲେଟ ୬ ଗୋଲ ଦେଇ ଟପ୍‌ ସ୍କୋରର ଅଛନ୍ତି। ଅଷ୍ଟ୍ରେଲିଆର ବ୍ଲେକ ଗୋଭର୍ସ, ଜେରେମି ହଓ୍ବୋର୍ଡ, ବେଲଜିୟମର ଟମ୍‌ ବୁନ୍‌, ନେଦରଲାଣ୍ଡ୍ସର ଥିଏରୀ ବ୍ରିଙ୍କମାନ ଓ ଜିପ୍‌ ଜାନସେନ ୫ଟି ଲେଖାଏ ଗୋଲ ଦେଇ ମିଳିତଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୦୨ରେ ଜର୍ମାନୀରେ ଅନୁଷ୍ଠିତ ବିଶ୍ୱକପରେ ୭୨ ମ୍ୟାଚରୁ ୩୦୦ ଗୋଲ ସ୍କୋର ହୋଇଥିଲା। ମ୍ୟାଚପିଛା ଗୋଲ ଆଭରେଜଥିଲା ୪.୧୭। ତେବେ ଏହି ବିଶ୍ୱକପ ଭିନ୍ନ ଫର୍ମାଟରେ ଖେଳାଯାଇଥିଲା। ଭାଗ ନେଇଥିବା ୧୬ଟି ଦଳକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରତି ପୁଲ୍‌ର ଶୀର୍ଷ ୨ଟି ଲେଖାଏ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲେ। ଭୁବନେଶ୍ୱରରେ ଅନୁଷ୍ଠିତ ୨୦୧୮ ବିଶ୍ୱକପରେ ମୋଟ ୩୬ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ୧୫୭ଟି ଗୋଲ ସ୍କୋର ହୋଇଥିଲା। ୧୯୮୨ରେ ମୁମ୍ବାଇରେ ଅନୁଷ୍ଠିତ ବିଶ୍ୱକପ ମଧ୍ୟ ହାଇସ୍କୋରିଂ ବିଶିଷ୍ଟ ଥିଲା। ୧୨ ଦଳ ବିଶିଷ୍ଟ ପ୍ରତିଯୋଗିତାରେ ମୋଟ ୪୨ଟି ମ୍ୟାଚ ଖେଳାଯାଇଥିଲା ଏବଂ ୨୧୬ଟି ଗୋଲ ହୋଇଥିଲା। ଆଭରେଜ ଥିଲା ୫.୧୪। ଚଳିତ ସଂସ୍କରଣରେ ଅନ୍ୟ ଦଳ ଗୁଡ଼ିକ ତୁଳନାରେ ଭାରତ ବହୁ ପଛରେ ପଡ଼ିଛି। ୩ ମ୍ୟାଚରୁ ଦଳ ମାତ୍ର ୬ଟି ଗୋଲ ସ୍କୋର କରିପାରିଛି। ଏହା ମଧ୍ୟରେ ୩ଟି ଲେଖାଏ ଫିଲ୍ଡ ଓ ପେନାଲ୍ଟି କର୍ନର ଗୋଲ ସାମିଲ। ଆକାଶଦୀପ ସିଂ ସର୍ବାଧିକ ୨ଟି ଗୋଲ ଦେଇଛନ୍ତି। ଅମିତ ରୋହିଦାସ, ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଓ ଶମଶେର ସିଂ ଗୋଟିଏ ଲେଖାଏ ଗୋଲ ଦେବାରେ ସକ୍ଷମ ହୋଇଛନ୍ତି। ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୪୪ ଖେଳାଳି ଗ୍ରୀନ୍‌ କାର୍ଡ ଏବଂ ୧୫ ଜଣ ୟେଲୋ କାର୍ଡ ପାଇଛନ୍ତି।

Share