Categories: ଖେଳ

ହକି ଆନାଲିଟିକାଲ କୋଚ୍‌ ସିରିଲୋଙ୍କ ଇସ୍ତଫା

ନୂଆଦିଲ୍ଲୀ, ୨୩ା୯ (ପି.ଟି.)-ସ୍ବାସ୍ଥ୍ୟ ପ୍ରସଙ୍ଗ ଦର୍ଶାଇ ଭାରତୀୟ ପୁରୁଷ ହକି ଦଳର କୋଚ୍‌ ଖ୍ରିସ୍‌ ସିରିଲୋ ତାଙ୍କ ପଦତ୍ୟାଗ କରିଛନ୍ତି। କିଛିଦିନ ପୂର୍ବେ ଡେଭିଡ୍‌ ଜନ୍‌ ହାଇ ପର୍ଫର୍ମାନ୍ସ ଡାଇରେକ୍ଟର ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ। ଫଳରେ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଧକ୍କା ହୋଇଛି। ପୂର୍ବତନ ଅଷ୍ଟ୍ରେଲୀୟ ଡ୍ରାଗ୍‌ଫ୍ଲିକର ସିରିଲୋ ଅଲିମ୍ପିକ ବ୍ରୋଞ୍ଜ ବ୍ୟତୀତ ବିଶ୍ୱକପ୍‌ ସ୍ବର୍ଣ୍ଣ ଏବଂ ଏକାଧିକ ପଦକ ଜିତିଛନ୍ତି। ଗତ ରବିବାର ସେ ଭିକ୍ଟୋରିଆସ୍ଥିତ ତାଙ୍କ ବାସଭବନରୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ୩୪ ବର୍ଷୀୟ ସିରିଲୋ କୋଭିଡ୍‌-୧୯ ମହାମାରୀ ମଧ୍ୟଭାଗ ଜୁନ୍‌ ମାସରେ ଅଷ୍ଟ୍ରେଲିଆ ପଳାଇଥିଲେ। ସେତେବେଳେ ଜାତୀୟ ଖେଳାଳିମାନଙ୍କୁ ଏକ ମାସ ଛୁଟି ଦିଆଯାଇଥିଲା। ବେଙ୍ଗାଲୁରୁସ୍ଥିତ ସାଇ ସାଉଥ ସେଣ୍ଟରରେ ଅଗଷ୍ଟ ୪ରୁ ଏକ ମାସରୁ ଅଧିକ ସମୟ ହେଲା ଜାତୀୟ କ୍ୟାମ୍ପ ଚାଲିଛି। କିନ୍ତୁ ସିରିଲୋ ଫେରି ନ ଥିଲେ। କିନ୍ତୁ ଶୁଣିବାକୁ ମିଳୁଛି ଯେ, ଏହି ଅଷ୍ଟ୍ରେଲୀୟ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଭାରତୀୟ ହକି ସହିତ ସମ୍ପର୍କ ଛିନ୍ନ କରିଛନ୍ତି। ସିରିଲୋଙ୍କ ନିକଟତମ ମହଲରୁ ପ୍ରକାଶ ତାଙ୍କର ସ୍କିନ୍‌ ଇନ୍‌ଫ୍ଲାମେଶନ ସମସ୍ୟା ରହିଛି। ଏଥିପାଇଁ ସେ ଚିକିତ୍ସିତ ହେଉଛନ୍ତି। ଏହି କାରଣ ଦର୍ଶାଇ ସେ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ସିରିଲୋ ଭାରତୀୟ ଦଳ ସହ ଅଢେଇ ବର୍ଷ କାର୍ଯ୍ୟ କରିବା ପରେ ଟୋକିଓ ଅଲିମ୍ପିକ୍ସ ଦୃଷ୍ଟିରୁ ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ (ସାଇ) ତାଙ୍କ କାର୍ଯ୍ୟକାଳ ଆହୁରି ଏକ ବର୍ଷ ବୃଦ୍ଧି କରିଥିଲା। ସେରିଲୋ ହେଉଛନ୍ତି ହକି ଇଣ୍ଡିଆର ତୃତୀୟ ଅଷ୍ଟ୍ରେଲୀୟ ସପୋର୍ଟ ଷ୍ଟାଫ୍‌। ମାସକ ପୂର୍ବେ ଇସ୍ତଫା ଦେଇଥିବା ଅନ୍ୟ ଦୁଇଜଣ ଷ୍ଟାଫ୍‌ ହେଲେ ହାଇ ପର୍ଫର୍ମାନ୍ସ ଡାଇରେକ୍ଟର ଜନ୍‌ ଏବଂ ପୁରୁଷ ଟିମ୍‌ ଫିଜିଓ ଡେଭିଡ୍‌ ମ୍ୟାକ୍‌ଡୋନାଲ୍ଡ।

Share