ହିନ୍ଦୀ ଓ ହିନ୍ଦୁତ୍ୱ

ଗତ କିଛି ମାସର ବିରତି ପରେ ଏବେ ସମ୍ଭବତଃ କେନ୍ଦ୍ର ସରକାରଙ୍କ ‘ନୂତନ ଭାରତ’ରେ ପୁରୁଣା କଥା ଓ କାର୍ଯ୍ୟକଳାପର ଆବିର୍ଭାବ ହେବା ଭଳି ମନେ ହେଲାଣି। ମୋଦି ସରକାରଙ୍କ ପ୍ରଥମ ପାଳିର ଶାସନରେ ହିନ୍ଦୁତ୍ୱ ଚିନ୍ତାଧାରା ଲୋକମାନଙ୍କ ଉପରେ ଲଦି ଦିଆଯିବା ଦେଖାଯାଇଥିଲା। ଏଠାରେ ମନେରଖିବାକୁ ହେବ ଯେ, ହିନ୍ଦୁ ଧର୍ମରେ ଉଦାରତା ଓ ସହନଶୀଳତା ହେଉଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସେଥିପାଇଁ ଏହି ଚିନ୍ତାଧାରା ସର୍ବପୁରାତନ ହୋଇ ବଞ୍ଚିରହିଛି। ଅନ୍ୟପଟେ ‘ହିନ୍ଦୁତ୍ୱ’ ଏକ ଚିନ୍ତାଧାରା ଯେଉଁଥିରେ ସହନଶୀଳତା ଏବଂ ଉଦାରତାର କୌଣସି ସ୍ଥାନ ନାହିଁ। ଅନ୍ୟସବୁ ଧର୍ମର ସଂକୀର୍ଣ୍ଣ ଚିନ୍ତାଧାରା ଭଳି ହିନ୍ଦୁତ୍ୱ ଚିନ୍ତାଧାରାରେ ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳିଥାଏ। ଆମେ ସମସ୍ତେ ହିନ୍ଦୁ। କିନ୍ତୁ ହିନ୍ଦୁତ୍ୱରେ ଥିବା ଘୃଣାଭାବକୁ ସ୍ବୀକାର କରିପାରୁ ନାହୁଁ। କେବଳ ଉଚ୍ଚ ଜାତିର ମାନସିକତାକୁ ନେଇ ସୃଷ୍ଟି ହୋଇଥିବା ହିନ୍ଦୁତ୍ୱ ଚିନ୍ତାଧାରାରେ ସବୁ ହିନ୍ଦୁ ସାମିଲ ହେବା ସମ୍ଭବପର ନୁହେଁ ଏବଂ ଏହା ହିନ୍ଦୁ ସମାଜରେ ବିଭେଦ ସୃଷ୍ଟି କରୁଛି।
ବିଗତ ଦିନକୁ ଦେଖିଲେ ସେତେବେଳେ ଯେଉଁମାନେ ହିନ୍ଦୁତ୍ୱ ପ୍ରୟାସକୁ ବିରୋଧ କରିଥିଲେ ସେମାନଙ୍କୁ କଳେବଳେ କୌଶଳେ ଦମନ କରାଯାଉଥିଲା ଏବଂ ସ୍ଥଳବିଶେଷରେ ପ୍ରତିବାଦର ସ୍ବର ବଦଳାଉ ନ ଥିବା ବ୍ୟକ୍ତିଙ୍କୁ ଜୀବନରୁ ମାରି ଦିଆଯାଉଥିଲା। ହେତୁବାଦୀ ନରେନ୍ଦ୍ର ଡାଭଲକରଙ୍କଠାରୁ ଆରମ୍ଭକରି ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ପର୍ଯ୍ୟନ୍ତ ଅନେକଙ୍କ ପ୍ରାଣ ଯିବା କଥା ଦେଶବାସୀ ଦେଖିଛନ୍ତି। ନିକଟରେ ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ସରିବା ପରେ ପୁନଶ୍ଚ ହିନ୍ଦୁତ୍ୱ ରୂପକ ଚାରାଟି ପାଣି ପାଇଲା ଭଳି ମନେହେଉଛି। ଦୁଇ ଦିନ ତଳେ ରାଜସ୍ଥାନର ଜଣେ ଅଟୋ ରିକ୍ସା ଡ୍ରାଇଭର ଗଫର ମହମ୍ମଦ କାଚ୍ଚଓ୍ବାଙ୍କୁ ଦୁଇ ଜଣ ବ୍ୟକ୍ତି ‘ମୋଦି ଜିନ୍ଦାବାଦ୍‌’ ଓ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ ବାଧ୍ୟ କରିଥିଲେ। ସେମାନଙ୍କ କଥାରେ ରାଜି ନ ହେବାରୁ ତାଙ୍କୁ ନିର୍ଧୁମ ମାଡ଼ ଖାଇବାକୁ ପଡ଼ିଥିଲା। ଏ ହେଉଛି ଗୋଟିଏ ତରିକା, ଯେଉଁଥିରେ ଲୋକଙ୍କୁ ଭୟଭୀତ କରାଇ ବିଶୃଙ୍ଖଳା ସୃଷ୍ଟି କରାଯାଉଛି। ଦ୍ୱିତୀୟ ସଦ୍ୟ ଘଟଣା ହେଉଛି ଡିଏମ୍‌କେ ଏମ୍‌ପି କାନିମୋଝିଙ୍କୁ ଚେନ୍ନାଇ ବିମାନବନ୍ଦରଠାରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବଳ (ସିଆଇଏସ୍‌ଏଫ୍‌)ର ଜଣେ ଅଧିକାରୀ ହିନ୍ଦୀ ଜାଣିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ କାନିମୋଝି କହିଥିଲେ ତାମିଲ ବା ଇଂଲିଶ ବୁଝିପାରିବେ। ଏହାର ଜବାବରେ ସିଆଇଏସ୍‌ଏଫ୍‌ର ଅଧିକାରୀ ଆକ୍ଷେପ କରି କାନିମୋଝିଙ୍କୁ ଭାରତୀୟ କି ବୋଲି ପଚାରିଥିଲେ। ଅର୍ଥାତ୍‌ ହିନ୍ଦୀ ଜାଣି ନ ଥିବା ବ୍ୟକ୍ତି ଭାରତୀୟ ହୋଇପାରିବେ ନାହିଁ ବୋଲି ସଂକେତ ଦିଆଗଲା। କାନିମୋଝି ଏସବୁକୁ ଟୁଇଟ୍‌ କରିବା ପରେ ସିଆଇଏସ୍‌ଏଫ୍‌ ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯିବ ବୋଲି ତତ୍‌କ୍ଷଣାତ୍‌ ଜବାବ ଦିଆଯାଇଛି।
ଉପରବର୍ଣ୍ଣିତ ଦ୍ୱିତୀୟ ଘଟଣାକୁ ଦେଖିଲେ ସମଗ୍ର ଦେଶ ଉପରେ ହିନ୍ଦୀ ଭାଷା ଲଦି ଦିଆଯିବାର ଧାରା ଉପର ସ୍ତରରୁ ତଳକୁ ନିଗିଡ଼ି ଚାଲିଛି ବୋଲି ବୁଝାପଡ଼ୁଛି। ଉତ୍ତର ଭାରତରେ ଅଧିକ ଲୋକ ହିନ୍ଦୀ କହୁଥିବାରୁ ଓ ଜାତୀୟ ରାଜନୀତିରେ ଏହି ଭାଷାଭାଷୀ ଲୋକଙ୍କ ଦଖଲ ଥିବାରୁ ହିନ୍ଦୀକୁ ସର୍ବତ୍ର ପ୍ରଚଳନ କରିବା ଲାଗି ଜୋରଜବରଦସ୍ତ ପଦକ୍ଷେପ ନିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଘୋଷଣା କରାଯାଇଥିବା ନୂଆ ଶିକ୍ଷା ନୀତି-୨୦୨୦ରେ ହିନ୍ଦୀକୁ ପ୍ରାଧାନ୍ୟ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଧରାଯାଉ ସିଆଇଏସ୍‌ଏଫ୍‌ର ଅଧିକାରୀଙ୍କୁ ତାମିଲ ଜଣା ନାହିଁ ଓ ସେ ଇଂଲିଶରେ ପାରଙ୍ଗମ ନୁହନ୍ତି, ତାହା ହେଲେ କାନିମୋଝିଙ୍କୁ ପଚାରିବାରେ ଅନ୍ୟ ଅଧିକାରୀଙ୍କ ସହାୟତା ନେଇପାରିଥାଆନ୍ତେ। କିନ୍ତୁ ହିନ୍ଦୀ ଭାଷା କହୁଥିବା କିଛି ଭାରତୀୟଙ୍କ ମନରେ ଏଭଳି ଏକ ବିଶ୍ୱାସ ସୃଷ୍ଟି କରିଦିଆଗଲାଣି ଯେ, ଭାରତୀୟତାର ପ୍ରଥମ ସଂଜ୍ଞା ହେଉଛି ହିନ୍ଦୀ ଭାଷା। ଏପରି ବିକୃତ ମନୋଭାବକୁ ଓଡ଼ିଶାରେ ମୁଷ୍ଟିମେୟ ଆଦରରେ କୋଳେଇ ନେଇପାରନ୍ତି, କିନ୍ତୁ ଦେଶବ୍ୟାପୀ ଏବଂ ଓଡ଼ିଶାରେ ମଧ୍ୟ ଅନେକ ଏଭଳି ଭାଷାପ୍ରେମୀ ଅଛନ୍ତି ଯେଉଁମାନେ ନିଜ ଭାଷାକୁ ମରିବାକୁ ଦେବେ ନାହିଁ। କାରଣ ସେମାନେ ଜାଣନ୍ତି ଯେ, ଭାଷା ମରିଗଲେ ସଂସ୍କୃତି ଓ ଜାତି ମରିଯିବ।
ଭାରତୀୟ ସମ୍ବିଧାନରେ ରହିଛି ଯେକୌଣସି ନାଗରିକ ତାଙ୍କ ଇଚ୍ଛା ଅନୁଯାୟୀ ଭାଷା ବ୍ୟବହାର କରିପାରିବେ। ମାତ୍ର ସମ୍ପୃକ୍ତ ଭାଷା ଜାଣି ନ ଥିବା ଜଣେ କହିବା ପରେ ତାଙ୍କ ନାଗରିକତ୍ୱକୁ ନେଇ ପ୍ରଶ୍ନ ଉଠାଯିବା ଗ୍ରହଣୀୟ ନୁହେଁ। ରାଜସ୍ଥାନରେ ଡ୍ରାଇଭରଙ୍କୁ ‘ମୋଦି ଜିନ୍ଦାବାଦ୍‌’ ଓ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ନ ଥିବାରୁ ଆକ୍ରମଣ କରାଯିବା ହେଉ ବା କାନିମୋଝିଙ୍କୁ ହିନ୍ଦୀ ଜାଣି ନ ଥିବାରୁ ଅପଦସ୍ଥ କଲା ଭଳି ସ୍ଥିତି ସୃଷ୍ଟି କରାଯାଉଥିବାରୁ ଭାରତୀୟ ସମ୍ବିଧାନ ତା’ର ଧର୍ମନିରପେକ୍ଷତା ହରାଇ ବସୁଛି। ଯେପର୍ଯ୍ୟନ୍ତ ଜନସାଧାରଣ କୌଣସି ପ୍ରସଙ୍ଗ ବା ଘଟଣାକୁ ହୃଦୟରୁ ସମର୍ଥନ କରିନାହାନ୍ତି, ସେପର୍ଯ୍ୟନ୍ତ କେବଳ ‘ଚାପ’ ପକାଯାଇ ଲୋକଙ୍କ ମନକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। ଯେହେତୁ ଭାରତବ୍ୟାପୀ ଏକ ଭୟର ବାତାବରଣ ସୃଷ୍ଟି କରିଦିଆଯାଉଛି, ଅନେକେ ଅନନ୍ୟୋପାୟ ହୋଇ ଭୁଲ ଦେଖୁଥିଲେ ମଧ୍ୟ ପ୍ରତିବାଦ କରିବାକୁ ଜୁ ପାଉନାହାନ୍ତି। ବାସ୍ତବରେ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶ ସକାଶେ ଏଭଳି ଚିନ୍ତାଧାରା ବିକାଶରେ ବାଧା ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri