ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ ନଥିବା ଦର୍ଶକଙ୍କ ଭିଡ଼ ଜମିଥିଲା। ନନ୍ଦରାଣୀ, ନନ୍ଦରାଜା ମେଲାଣୀ ଦେବା ପରେ ଶ୍ରୀକୃଷ୍ଣ, ବଲରାମ ଗୋପାଳ ବାଳକଙ୍କ ଗହଣରେ ଗୋପଦାଣ୍ଡ ପରିକ୍ରମା କରିଥିଲେ। ଏହି ସମୟରେ ବେନିଭାଇ ଶ୍ରୀକୃଷ୍ଣ, ବଲରାମଙ୍କୁ ପ୍ରତିଘର ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଥିଲା। ଅନ୍ୟପଟେ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ ପ୍ରେରିତ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଡାସୁର ଆଦି ରାକ୍ଷସୀ, ରାକ୍ଷସ ଗୋପପୁର ପହଞ୍ଚିଥିଲେ। ତେବେ ଶ୍ରୀକୃଷ୍ଣଙ୍କ ସ୍ପର୍ଶରେ ଜଣେ ପରେ ଜଣେ ରାକ୍ଷସୀ, ରାକ୍ଷସ ନିହତ ହୋଇଥିଲେ।
ସେହିପରି ମଥୁରାନଗରୀ ଦୃଶ୍ୟାଭିନୟ ମଧ୍ୟ କୌଣସି ଗୁଣରେ ପଛରେ ପଡ଼ି ନଥିଲା। ଅନ୍ୟଦିନ ଭଳି କଂସ ମହାରାଜ ମଥୁରାଭ୍ରମଣରେ ବାହାରିଥିଲେ। ସ୍ଥାନୀୟ ସେଲ୍ସଟ୍ୟାକ୍ସ ଅଫିସ ପରିସରରେ ରହିଥିବା ମୁକ୍ତେଶ୍ୱର ମହାଦେବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରିଭ୍ରମଣ କରିବା ସମୟରେ ସେ ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡକୁ ଯାଇଥିଲେ। ବସଷ୍ଟାଣ୍ଡ ପରିସରରେ ସ୍ବଚ୍ଛତାର ଅଭାବ ଏବଂ ଗାଡ଼ି ଚାଳକମାନେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ସୂଚନା ପାଇ ବସଷ୍ଟାଣ୍ଡ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କୁ ତାଗିଦ୍ କରିବା ସହିତ ୧୨ଲକ୍ଷ ସ୍ବର୍ଣ୍ଣମୁଦ୍ରାରେ ଦଣ୍ଡିତ କରିଥିଲେ। ଏହାପରେ ସେ ରଙ୍ଗମହଲକୁ ଯାଇ ନାଚଗୀତରେ ମସଗୁଲ ହୋଇଥିଲେ।
ରଙ୍ଗମହଲରୁ ସେ ରାଜ ଦରବାରକୁ ଯାଇଥିଲେ। ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ ଅତିଥିଭାବେ ଯୋଗଦାନ କରିଥିଲେ। କଂସ ମହାରାଜ ତାଙ୍କୁ ମଥୁରାନଗରୀର ଉଚ୍ଚଶିକ୍ଷା, ସଂସ୍କୃତି ଏବଂ କ୍ରୀଡ଼ା ବ୍ୟବସ୍ଥା ଉପରେ ପଚାର ବୁଝିଥିଲେ। ଧନୁଯାତ୍ରାକୁ ଅସ୍ମିତାର ଜୟଯାତ୍ରା ବୋଲି ଅଭିହିତ କରି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ। ଧନୁଯାତ୍ରା ମହୋତ୍ସବକୁ ଏଥର ଅନୁଦାନ ୧କୋଟିରୁ ଦେଢ଼କୋଟିକୁ ବୃଦ୍ଧି କରାଯାଇ ଥିବାବେଳେ ଏକ ସୁଇମିଂପୁଲ୍ କରାଯିବ। ଏହା ସହିତ ୨୦୦ରୁ ଅଧିକ ଧନୁଯାତ୍ରା କଳାକାରଙ୍କୁ ଏଥର ୧୦ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ। ଶିକ୍ଷା, କ୍ରୀଡ଼ାର ବିକାଶ ଦିଗରେ ମଧ୍ୟ ବହୁବିଧ ପଦକ୍ଷେପ ନିଆଯାଇଛି। ସେହିପରି ଧନୁଯାତ୍ରା ମହୋତ୍ସବ କିଭଳି ୟୁନେସ୍କୋ ମାନ୍ୟତା ପାଇ ପାରିବ, ସେ ନେଇ ଉଦ୍ୟମ ଜାରି ରହିଛି ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଂସ ମହାରାଜଙ୍କ ସମ୍ମୁଖରେ କହିଥିଲେ। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ଧନୁଯାତ୍ରା ମହୋତ୍ସବର ସମ୍ପାଦକ ସୁରେଶ୍ୱର ଶତପଥୀ ମଧ୍ୟ ଉପସ୍ଥିତ ଥିଲେ।


