ଜନନାୟକ ଡ. ଆମ୍ବେଡ୍‌କର

ସମ୍ବିଧାନ ନିର୍ମାତା ଓ ଭାରତରତ୍ନ ଡ. ଭୀମ୍‌ରାଓ ରାମ୍‌ଜୀ ଆମ୍ବେଡ୍‌କରଜୀ (ବାବାସାହେବ) ଦଳିତ, ନିଷ୍ପେଷିତ ତଥା ଅସ୍ପୃଶ୍ୟମାନଙ୍କ ପାଇଁ ଆଜୀବନ ସଂଘର୍ଷ କରିଥିଲେ ବୋଲି ଆମେ ସମସ୍ତେ ଜାଣିଛୁ। କିନ୍ତୁ ଡ. ଆମ୍ବେଡ୍‌କର ଜଣେ ଶ୍ରେଷ୍ଠ ଅର୍ଥନୀତିଜ୍ଞ ଥିଲେ ବୋଲି ବହୁତ କମ୍‌ ଜାଣିଛନ୍ତି। ତାଙ୍କର ସମସ୍ତ ଗବେଷଣା ଆର୍ଥିକ ବିଷୟରେ ଥିଲା। କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପିଏଚ୍‌.ଡି, ଲଣ୍ଡନ ସ୍କୁଲ୍‌ ଅଫ ଇକୋନୋମିକ୍ସରୁ ଡି.ଏସ୍‌ସି(ଡକ୍ଟର ଅଫ ସାଇନ୍ସ) ଓ ଲଣ୍ଡନରୁ ଗ୍ରେଡ୍‌ ଇନ୍‌ ବାର ଆଟ୍‌ ଲ’ (ବାରିଷ୍ଟର)ଉପାଧିରୁ ଜଣାପଡ଼େ ସେ ଜଣେ ମହାନ୍‌ ବିଦ୍ୱାନ୍‌ ଓ ଅର୍ଥନୀତିଜ୍ଞ ଥିଲେ। ତାଙ୍କର ବହୁ ପ୍ରବନ୍ଧ ଓ ଗବେଷଣାପତ୍ର ଆର୍ଥିକ ବିଷୟରେ ଥିଲା। ‘ଆଡ୍‌ମିନିଷ୍ଟ୍ରେଶନ ଅଫ୍‌ ଫାଇନାନ୍ସ ଅଫ୍‌ ଇଷ୍ଟ ଇଣ୍ଡିଆ କମ୍ପାନୀ’ନାମରେ ସେ ଏମ୍‌.ଏ. (ସ୍ନାତକୋତ୍ତର)ରେ ଥେସିସ୍‌ (ଗବେଷଣାପତ୍ର) ଉପସ୍ଥାପନା କରିଥିଲେ। ଲଣ୍ଡନରେ ଅଧ୍ୟୟନ କରି ଇଂରେଜମାନଙ୍କର ଭାରତରେ ଶୋଷଣ ବିରୋଧରେ ଏହି ଗବେଷଣାପତ୍ର ଉପସ୍ଥାପନା କରିଥିଲେ। ଏଥିରୁ ତାଙ୍କର ସାହସିକତାର ପ୍ରମାଣ ମିଳୁଛି। ସେହିପରି ତାଙ୍କର ଡି.ଏସ୍‌ସି.ର ଥେସିସ୍‌ ବିଷୟ ଥିଲା ‘ପ୍ରୋବ୍ଲେମ୍‌ ଅଫ୍‌ ରୁପି।’ ଏଥିରେ ସେ ଇଂରେଜମାନେ ଭାରତକୁ କିପରି ଲୁଣ୍ଠନ କରି ଭାରତର ଅର୍ଥନୀତିକୁ ଦୁର୍ବଳ କରୁଛନ୍ତି, ସେ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ଏଥିରୁ ତାଙ୍କର ପ୍ରଖର ରାଷ୍ଟ୍ରବାଦର ପରିଚୟ ମିଳୁଛି।
ଇଂରେଜମାନଙ୍କ ବିରୋଧରେ ତତ୍କାଳୀନ ଦୁଇଜଣ ଅର୍ଥନୀତିଜ୍ଞ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ। ଦାଦାଭାଇ ନାରୋଜୀ(୧୮୨୫-୧୯୧୭) ସର୍ବପ୍ରଥମେ ୧୮୭୬ରେ ‘ପଭର୍ଟି ଅଫ୍‌ ଇଣ୍ଡିଆ’ ପୁସ୍ତକ ରଚନା କରିଥିଲେ। ରମେଶ ଚନ୍ଦ୍ର ଦତ୍ତ (୧୮୪୮-୧୯୦୯) ୧୮୬୬ରେ ‘ଦି ଇକୋନୋମିକ୍‌ ହିଷ୍ଟ୍ରି ଅଫ୍‌ ଇଣ୍ଡିଆ’ ପୁସ୍ତକ ରଚନା କରିଥିଲେ। ଏହି ଦୁଇଜଣ ଅର୍ଥନୀତିଜ୍ଞ ସେତେବେଳେ ନିଜ ରଚନାରେ ଇଂରେଜମାନଙ୍କ ଆର୍ଥିକ ଶୋଷଣ ବିରୋଧରେ ଲେଖିଥିଲେ। ଏମାନଙ୍କ ପରେ ତୃତୀୟ ଅର୍ଥଶାସ୍ତ୍ରୀ ହେଉଛନ୍ତି ଡ. ଆମ୍ବେଡ୍‌କର। ଡ. ଆମ୍ବେଡ୍‌କର ଜଣେ କୁଶଳୀ ରାଜନୀତିଜ୍ଞ ସହିତ ଶ୍ରେଷ୍ଠ ଅର୍ଥନୀତିଜ୍ଞ ଥିଲେ। ଏପରି ଦୁର୍ଲଭ ଚରିତ୍ର ବହୁତ କମ୍‌ ଦେଖାଯାଆନ୍ତି। ତତ୍କାଳୀନ ମହାରାଷ୍ଟ୍ରରୁ ୧୯୦୪ ମସିହାରୁ ‘ଦେଶର କଥା’ ନାମକ ପତ୍ରିକାକୁ ସଖାରାମ ଗଣେଶ ଦେଉସକର ପ୍ରକାଶିତ କରୁଥିଲେ। ଏଥିରେ ୧୯୧୫ରୁ ୧୯୨୫ ପର୍ଯ୍ୟନ୍ତ ଦେଶର ଅର୍ଥନୀତି ସମ୍ବନ୍ଧରେ ଡ. ଆମ୍ବେଡ୍‌କରଙ୍କ ଗବେଷଣା ମୂଳକ ଲେଖା ନିୟମିତ ପ୍ରକାଶ ପାଉଥିଲା।
ଡ. ଆମ୍ବେଡ୍‌କର ୧୯୨୦ରେ ‘ମୂକନାୟକ’ ନାମକ ପାକ୍ଷିକ ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ। ୧୯୨୭ରେ ସେ ‘ବହିଷ୍କୃତ ସମାଜ’ ନାମକ ସାପ୍ତାହିକ ପତ୍ରିକା, ୧୯୩୦ରେ ‘ଜନତା’ ନାମକ ସାପ୍ତାହିକ ପତ୍ରିକା ଆରମ୍ଭ କରିଥିଲେ। ୧୯୫୬ରେ ସେ ଏହି ପତ୍ରିକାର ନାମ ‘ଜନତା’ ପରିବର୍ତ୍ତେ ‘ପ୍ରବୁଦ୍ଧ ଭାରତ’ ରଖିଥିଲେ। ପ୍ରକାଶଥାଉ କି, ସ୍ବାମୀ ବିବେକାନନ୍ଦ ୧୮୯୬ରେ ଯେଉଁ ସାପ୍ତାହିକ ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ ତା’ର ନାମ ମଧ୍ୟ ‘ପ୍ରବୁଦ୍ଧ ଭାରତ’ ଥିଲା। ବୋଧହୁଏ ଏହି ଦୁଇଜଣ ମହାପୁରୁଷଙ୍କ ମନ ମସ୍ତିଷ୍କରେ ସମାନ ଭାରତର ଚିତ୍ର ପ୍ରତିଫଳିତ ହୋଇଥିଲା। ଡ. ଆମ୍ବେଡ୍‌କର ଏହିସବୁ ପତ୍ରିକାରେ ଆର୍ଥିକ ସମାନତା ଓ ସାମାଜିକ ବିଷମତା ଆଦି ବିଷୟ ଉପରେ ଉଲ୍ଲେଖ କରୁଥିଲେ । ପରାଧୀନତାର କାଳଖଣ୍ଡରେ ଏହିପରି ରାଜନୈତିକ ନେତା ଦୁର୍ଲଭ ଥିଲେ। ଗାନ୍ଧିଜୀ ଓ ତିଳକଙ୍କ ପରେ ଡ. ଆମ୍ବେଡ୍‌କର ତୃତୀୟ ଏହିପରି ବ୍ୟକ୍ତି ଥିଲେ।
୧୯୨୪ରେ ସେ ‘ବହିଷ୍କୃତ ହିତକାରିଣୀ ସଭା’, ୧୯୨୭ରେ ସେ ‘ସମାଜ ସମତା ସଂଘ’, ୧୯୩୭ରେ ସେ ‘ଇଣ୍ଡିପେଣ୍ଡେଣ୍ଟ ଲେବର ପାର୍ଟି’, ୧୯୪୨ରେ ସେ ‘ସ୍ୟୁଡୁଲ୍‌ଡ କାଷ୍ଟ ଫେଡେରେଶନ’ ଓ ୧୯୫୬ରେ ସେ ‘ରିପବ୍ଲିକାନ୍‌ ପାର୍ଟି’ ପ୍ରତିଷ୍ଠା କରିଥିଲେ । ଏହି ସମସ୍ତ ସଙ୍ଗଠନରେ ସେ ବହୁ ବୁଦ୍ଧିଜୀବୀଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ। ତାଙ୍କର ମହାନ୍‌ ଆଦର୍ଶ ଓ ସଙ୍ଗଠନ କୁଶଳତାରେ ଅନୁପ୍ରାଣିତ ହୋଇ ଶହ ଶହ କାର୍ଯ୍ୟକର୍ତ୍ତା ଏହି ସଙ୍ଗଠନଗୁଡ଼ିକରେ ଜଡ଼ିତ ଥିଲେ। ସାଧାରଣ ଜନତାଙ୍କ ସ୍ବରକୁ ଏହି ସଙ୍ଗଠନର କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ମାଧ୍ୟମରେ ସରକାର ଓ ପ୍ରଶାସନ ନିକଟରେ ଉପସ୍ଥାପନ କରୁଥିଲେ।
ଡ. ଆମ୍ବେଡ୍‌କର ଜଣେ ମହାନ୍‌ ଶିକ୍ଷାବିତ୍‌ ଥିଲେ। ସେ ମହାବିଦ୍ୟାଳୟରେ କିଛିବର୍ଷ ଅଧ୍ୟାପକ ରୂପେ କାର୍ଯ୍ୟ କରିଛନ୍ତି। ସେ ମହାବିଦ୍ୟାଳୟର ଅଧ୍ୟକ୍ଷ ରୂପେ ମଧ୍ୟ ଅବସ୍ଥାପିତ ହୋଇଛନ୍ତି। ୧୯୨୫ରେ ସେ ଦଳିତ ଛାତ୍ରମାନଙ୍କ ପାଇଁ ଛାତ୍ରାବାସ ଆରମ୍ଭ କରିଥିଲେ। ୧୯୪୫ରେ ସେ ‘ପିପୁଲ୍ସ ଏଜୁକେଶନ ସୋସାଇଟି’ ନାମରେ ଏକ ସଂସ୍ଥା ପ୍ରତିଷ୍ଠା କରିଥିଲେ। ଏହି ସଂସ୍ଥା ଆଜି ମଧ୍ୟ ମହାରାଷ୍ଟ୍ରର ୪୦ଟି ସ୍ଥାନରେ କାର୍ଯ୍ୟରତ । ମୁମ୍ବାଇଠାରେ ସେ ‘ସିଦ୍ଧାର୍ଥ’ ନାମକ ଏକ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହି ମହାବିଦ୍ୟାଳୟ ଭାରତର ପ୍ରଥମ ମହାବିଦ୍ୟାଳୟ, ଯେଉଁଠାରେ ସାମାଜିକ ବିଜ୍ଞାନର ବିଷୟ ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିଲା। ସାମାଜିକ ବିଜ୍ଞାନର ବିଷୟ ଛାତ୍ରମାନଙ୍କ ନିମିତ୍ତ କେତେ ଆବଶ୍ୟକ ତାହାକୁ ସେ ସେତେବେଳେ ଅନୁଭବ କରି ପ୍ରଚଳନ କରିଥିଲେ। ଏଥିରୁ ତାଙ୍କ ଦୂରଦ୍ରଷ୍ଟାର ପ୍ରମାଣ ମିଳିଛି ।
୧୯୫୬ରେ ଯେତେବେଳେ ସେ ରିପବ୍ଲିକାନ୍‌ ପାର୍ଟି ପ୍ରତିଷ୍ଠା କରିଥିଲେ, ସେ ଅନୁଭବ କଲେ ଯେ ଯେଉଁ ଯୁବକମାନେ ଏଥିରେ ସାମିଲ ହେଉଛନ୍ତି ସେମାନଙ୍କର ରାଜନୀତି ସମ୍ବନ୍ଧରେ ବିଶେଷ ଜ୍ଞାନ ନାହିଁ। ସେମାନେ କେବଳ ସ୍ବାର୍ଥ ପାଇଁ କିମ୍ବା ସ୍ବଳ୍ପ ସମୟ ମଧ୍ୟରେ ଶସ୍ତା ଲୋକପ୍ରିୟତା ଅର୍ଜନ କରିବାକୁ ଚାହୁଁଛନ୍ତି। ଏଣୁ ଡ. ଆମ୍ବେଡ୍‌କର ଅନୁଭବ କଲେ ସେମାନଙ୍କୁ ଠିକ୍‌ ପ୍ରଶିକ୍ଷଣ ଦେବା ଆବଶ୍ୟକ। ଏଣୁ ସେ ରିପବ୍ଲିକାନ୍‌ ପାର୍ଟିରେ ଯୁବତୀ ଯୁବକମାନଙ୍କୁ ରାଜନୀତିର ପ୍ରଥମ ସୋପାନ ରାଷ୍ଟ୍ରୀୟତା ସହିତ ସଂସଦୀୟ ପ୍ରଣାଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ସଂସ୍ଥା ପ୍ରତିଷ୍ଠା କରିଥିଲେ। ଉପରୋକ୍ତ ସମସ୍ତ କାର୍ଯ୍ୟ ଜଣେ ବ୍ୟକ୍ତି କିପରି ସମ୍ପାଦନ କରିପାରୁଥିଲେ ତାହା ଆଶ୍ଚର୍ଯ୍ୟର ବିଷୟ। ଗୋଟିଏ ସାଧାରଣ ପରିବାରରେ ଜନ୍ମଗ୍ରହଣ କରି ତତ୍କାଳୀନ ଦାରିଦ୍ର୍ୟର କଷାଘାତ ସହିତ ଅସ୍ପୃଶ୍ୟତାର ତାଡ଼ନାର ଘୋର ଶିକାର ହୋଇଥିବା ବ୍ୟକ୍ତିଙ୍କର ଏହିପରି ହିମାଳୟ ସଦୃଶ୍ୟ କାର୍ଯ୍ୟାବଳୀ କେବଳ ଜଣେ ମହାମାନବ ପକ୍ଷେ ସମ୍ଭବ। ଏହିପରି ଅନେକ କାର୍ଯ୍ୟ ଓ ଦର୍ଶନ ଦ୍ୱାରା ସମକାଳୀନ ନେତୃମଣ୍ଡଳ ମଧ୍ୟରେ ସେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିଥିଲେ। ବାସ୍ତବରେ ସେ ଜଣେ ଅସାଧାରଣ ଜନନାୟକ ଓ ଚିନ୍ତାନାୟକ।

  • ସର୍ବେଶ୍ୱର ବେହେରା
    ଆଡ୍‌ଭୋକେଟ
    ଖଟ୍‌ବିନସାହି, କଟକ
    ମୋ-୯୪୩୭୦୧୬୩୮୪

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri