ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି। ଗୋବିନ୍ଦଙ୍କ ଅକାଳ ବିୟୋଗ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଶୁଦ୍ଧିକ୍ରିୟା ପାଇଁ ଅର୍ଥ ନ ଥିବାରୁ ନିକଟସ୍ଥ ନୂଆପଡ଼ା କଲେଜରେ ଯୁକ୍ତ ଦୁଇ (+2) ପଢ଼ୁଥିବା ବଡ଼ ଝିଅ ହେପି ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଛୋଟ ଭଉଣୀ ଓ ଭାଇଙ୍କୁ ସାଙ୍ଗରେ ନେଇ ଗାଁ ଗାଁ ଭିକ୍ଷା ମାଗୁଥିବା ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି।
ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ସହାୟତାର ହାତ ବଢ଼ାଇଛନ୍ତି। ଗ୍ରାମର ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବଣିକ ସଂଘ ୧୦ ହଜାର ଟଙ୍କା ସମେତ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦେଇଛି। ଦେଶ-ବିଦେଶରେ କାମ କରୁଥିବା କିଛି ସ୍ଥାନୀୟ ଯୁବକଙ୍କ ସହ ଯୋଗାଯୋଗ କରି ଆର୍ଥିକ ସହାୟତା ପାଇଁ ଉଦ୍ୟମ ଚାଲିଥିବା ସେ କହିଛନ୍ତି।
ଗୋବିନ୍ଦ କାଠମିସ୍ତ୍ରୀ ଭାବେ କାମ କରି ୭୫ ବର୍ଷୀୟା ବୃଦ୍ଧା ମା’ ଶଶୀ ମହାରଣା, ମାନସିକ ବିକୃତ ସ୍ତ୍ରୀ ଛବିରାଣୀ, ଦୁଇ ଝିଅ ଓ ଛୋଟ ପୁଅଙ୍କ ପ୍ରତିପୋଷଣ କରୁଥିଲେ। ମାତ୍ର ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ବର୍ତ୍ତମାନ ସ୍ୱାମୀପରିତ୍ୟକ୍ତା ଭଉଣୀ ହାରାବତୀ ସ୍ଥାନୀୟ ଶ୍ରୀରାମ ମନ୍ଦିରରେ କାମ କରି ଆଣୁଥିବା ଅନ୍ନଭୋଗରେ ଏହି ପରିବାର ପ୍ରତିପୋଷିତ ହେଉଛନ୍ତି।
ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ଥିଲେ ସୁଦ୍ଧା ଗୋବିନ୍ଦଙ୍କ ପରିବାର ଆଜି ଯାଏ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ବର୍ଷା ଦିନେ ଭଙ୍ଗାଘର ଉପରେ ଜରିପାଲ ଟାଣି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ବାରମ୍ବାର ନିବେଦନ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀ ଦୁଷ୍ମନ୍ତ ସାହୁ ଅଭିଯୋଗ କରିଛନ୍ତି। ସ୍ୱର୍ଗତ ଗୋବିନ୍ଦଙ୍କ ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

