ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବ ଓ ବିଶାଖାପାଟନମରୁ ୪୭୦ କି.ମି ପୂର୍ବ ଦିଗରେ ଅତିକ୍ରମ ସମ୍ଭାବନା ରହିଛି। ଗୋପାଳପୁର ଓ ବିଶାଖାପାଟନମ ମଧ୍ୟରେ ୨୩ ତାରିଖ ରାତି ଓ ୨୪ ତାରିଖ ଭୋର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ। ଲଘୁଚାପ କ୍ଷେତ୍ରଟି ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି।
ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ବଙ୍ଗୋପସାଗରରେ ରହିଥିବା ଲଘୁଚାପ ବାତ୍ୟା ନୁହେଁ, ଗଭୀର ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି। ୨୨ତାରିଖ ସନ୍ଧ୍ୟା ବେଳକୁ ଗଭୀର ଅବପାତର ରୂପ ନେବା ସହିତ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. କିମ୍ବା ୭୫ କି.ମି. ପର୍ଯ୍ୟନ୍ତ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୨୩ ସକାଳେ ଉପକୂଳରେ ପହଁଚିବ ଗଭୀର ଅବପାତ । ଭୁବନେଶ୍ବରରୁ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ ବୋଲି ସୂଚନା ମିଳିଛି। ତେଣୁ ୨୩ ଓ ୨୪ ମଧ୍ୟରେ ଉପକୂଳ ନିକଟରେ ବିଶେଷ ପ୍ରଭାବ ପକାଇବା ନେଇ ପୂର୍ବାନୁମାନ କରାଯାଇଛି।

