୨୭ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରିଛି। ଏହାର ପ୍ରଭାବରେ ରାଜ୍ୟରେ ୨୭ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଆସନ୍ତା ୨ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଗୁରୁବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ସମ୍ବଲପୁର, ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ। ସେହିପରି ଶୁକ୍ରବାର ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ସୋନପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ କନ୍ଧମାଳ, ନୂଆପଡ଼ା, ଢେଙ୍କାନାଳ, କଟକ, ନୟାଗଡ଼, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ। ସେଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବୁଧବାର ମାଲକାନଗିରିରେ ସର୍ବାଧିକ ୪୯ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୋପଳପୁରରେ ୪୬, ଫୁଲବାଣୀରେ ୩୭.୪, ଛତ୍ରପୁର ୨୭, ବାରିପଦା ୨୫, ବୌଦ୍ଧ, କେନ୍ଦୁଝର ୧୩, କଟକ ୧୦ ମି.ମି. ବର୍ଷା ହୋଇଛି।

Heavy rain till 27 july