ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଗୁରୁବାର ସକାଳ ୮ଟା ୩୦ ସୁଦ୍ଧା ବରଗଡ଼ ଜିଲା ଅମ୍ବାଭୋନାରେ ସର୍ବାଧିକ ୧୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ୍ ଖୁଣ୍ଟ ଆଦି ଉପୁଡ଼ି ପଡ଼ଛି। ଘର, ରାସ୍ତା ଭୁଶୁଡ଼ି ପଡିଥିବା ବେଳେ ତଳିଆ ଅଞ୍ଚଳରେ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଗାଁରେ ପଶିଛି। ରାଜଧାନୀ ଭୁବନେଶ୍ୱର ସମେତ ସହରାଞ୍ଚଳରେ ମଧ୍ୟ ପାଣି ଘେରରେ ଲୋକେ ଫସି ରହିଥିବା ଦେଖିବାକୁ ମିଳିଛି।
ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ବିଶେଷକରି ଶୁକ୍ରବାର ଅତି ପ୍ରବଳରୁ ଅଧିକ ବର୍ଷା ନେଇ କୋରାପୁଟ ଓ ମାଲକାନଗିରି ଜିଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ନବରଙ୍ଗପୁର ଆଦି ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।