Categories: ରାଜ୍ୟ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି; କାଳବୈଶାଖୀ ପ୍ରଭାବରେ ୭ ରୁ ଏହି ସବୁ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬।୪: ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କଟକ, ଭଦ୍ରକ, ନୟାଗଡ଼, ମୟୁରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ ଏବଂ ବଲାଙ୍ଗୀର ଆଦି ୧୧ଟି ଜିଲାକୁ ଏ ନେଇ ସତର୍କତା ଜାରି କରାଯାଇଛି।

ସେହିପରି କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, କନ୍ଧମାଳ, ନୟାଗଡ଼, ଗଜପତି, ବାଲେଶ୍ୱର, ଖୋର୍ଦ୍ଧା ଏବଂ ପୁରୀ ଜିଲାରେ ଗୁଳୁଗୁଳି ଜାରି ରହିବ ବୋଲି କୁହାଯାଇଛି। ଶନିବାର ଦିନ ସାଢ଼େ ୧୧ଟା ସୁଦ୍ଧା କେନ୍ଦୁଝରରେ ୩୮.୬ ଡିଗ୍ରୀ, ଝାରସୁଗୁଡ଼ା ଓ ସମ୍ବଲପୁରରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ତାପମାତ୍ରା ୩୭.୨ ଡିଗ୍ରୀ, ହୀରାକୁଦରେ ୩୬.୯ ଡିଗ୍ରୀ ଓ ରାଉରକେଲାରେ ପାରଦ ୩୬. ୬ ଡିଗ୍ରୀ, ଭୁବନେଶ୍ୱରରେ ତାପମାତ୍ରା ୩୬. ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ତେବେ ଅସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି । ତେବେ ଦୁଇ ତିନି ଦିନ ପରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ରବିବାର କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ ଏବଂ ଯାଜପୁର ଜିଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ କିଛି ସ୍ଥାନରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ କୁଆ ପଥର ମଧ୍ୟ ପଡ଼ିବାର ସମ୍ଭାବନା ରହିଛି।