ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।
ଗ୍ରୀଷ୍ମପ୍ରବାହକୁ ନେଇ ସ୍ଥିତିକୁ ନେଇ ମନ୍ତ୍ରୀ ରେଡ୍ଡୀ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଜିଲାପାଳମାନଙ୍କଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଜୟଶଙ୍କର ଭୁପାଲପାଲ୍ଲୀ ଜିଲାରେ ୪ ଜଣ ଅଂଶୁଘାତରେ ପ୍ରାଣ ହରାଇଥିବାବେଳେ ଓ୍ବାରାଙ୍ଗଲ ଅର୍ବାନ୍, କରିମନଗର ଏବଂ ନିଜାମାବାଦରେ ୩ ଜଣ ଲେଖାଏ ଏବଂ ଜୋଗୁଲାମ୍ବା ଗଡଓ୍ବାଲ, ରାଙ୍ଗାରେଡ୍ଡୀ ଏବଂ ସୂର଼୍ୟାପେଟ୍ ଜିଲାରେ ଜଣେ ଲେଖାଏ ପ୍ରାଣ ହରାଇଥିବା ମନ୍ତ୍ରୀ କହିଛନ୍ତି।
ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି। ଅତ୍ୟଧିକ ଉତ୍ତପ୍ତ ଗ୍ରାମଗୁଡ଼ିକୁ ଚିହ୍ନଟ କରିବା ସହ ଗଣମାଧ୍ୟମ, ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ମାଧ୍ୟମ ଜରିଆରେ ଲୋକଙ୍କୁ ସତର୍କ କରାଇବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଅଂଶୁଘାତଜନିତ ମୃତ୍ୟୁକୁ ଯେପରି ରୋକାଯାଇପାରିବ, ସେଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ କହିବା ସହ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା, ଛୋଟ ପିଲା ଓ ଅସୁସ୍ଥ ଲୋକମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି।

