ସମ୍ବଲପୁର,୩୦ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ୨୦୨୪ରେ ସଂଘଟିତ ଏକ ଶିଶୁକନ୍ୟା ବଳାତ୍କାର ମାମଲାରେ ସମ୍ବଲପୁର ଅତିରିକ୍ତ ଜିଲାଜଜ୍ ତଥା ପୋକ୍ସୋ ଅଦାଲତ ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି ଶନିବାର ଅଭିଯୁକ୍ତଙ୍କୁ ୩୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୪୫ଜଣ ସାକ୍ଷୀ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ଡୁମ୍କୁ ଖଡ଼ିଆପଡ଼ାର ଅନିଲ ସାମଦ(୨୪)ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଇପିସି ଦଫା ୩୭୬(ଏବି)ରେ ଅଭିଯୁକ୍ତଙ୍କୁ ୩୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା, ଦଫା ୫୦୬ରେ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଏବଂ ପୋକ୍ସ ଆକ୍ଟର ଦଫା ୬ରେ ୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ପୀଡ଼ିତ ଶିଶୁକନ୍ୟାଙ୍କୁ କ୍ଷତିପୂରଣ ବାବଦରେ ୧୩.୫୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲା ଆଇନ୍ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୁନ୍ଦରଗଡ଼ ଜିଲା ଦର୍ଲିପାଲି ଅଞ୍ଚଳର ୬ ବର୍ଷୀୟା ନାବାଳିକା ତାଙ୍କ ମା’ଙ୍କ ସହ ମାମୁଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ୨୦୨୪ ଏପ୍ରିଲ୍ ୨୭ରେ ମହୁଲପାଲି ଆସିଥିଲେ। ରାତିରେ ବିବାହ ଉତ୍ସବରେ ନାଚୁଥିବା ବେଳେ ଅଭିଯୁକ୍ତ ଅନିଲ ସମସ୍ତଙ୍କ ନଜର ଆଢ଼ୁଆଳରେ ଶିଶୁକନ୍ୟାକୁ ସେଠାରୁ ନେଇଯାଇ ବଳାତ୍କାର କରିଥିଲେ। ଝିଅକୁ ନ ପାଇ ତାଙ୍କ ମା’ ଓ ପରିବାର ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ। ରାତି ସାଢ଼େ ୯ଟାରେ ଅଭିଯୁକ୍ତ ଝିଅକୁ କ୍ଷତାକ୍ତ ଅବସ୍ଥାରେ ଆଣି ତାଙ୍କ ମାମୁଘର ପାଖରେ ଛାଡ଼ି ଚାଲିଯାଇଥିଲେ। ଘରକୁ ଆସି ଝିଅ ତା’ସହ ଘଟିଥିବା ସବୁକଥା କହିଥିଲା। ପରିବାର ଲୋକେ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଭିମ୍ସାରରେ ଭର୍ତ୍ତି କରିଥିଲେ। ଏପ୍ରିଲ୍ ୨୮ରେ ମହୁଲପାଲି ଥାନାରେ ଦଫା ୩୭୬(ଏବି), ୫୦୬ ଓ ୬ ପୋକ୍ସୋ ଆଇନରେ ଏକ ମାମଲା (ନଂ.୮୦/୨୪)ରୁଜୁକରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଦାଲତରେ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିଲେ। ଅପରପକ୍ଷରେ ପୀଡ଼ିତ ଶିଶୁକନ୍ୟାଙ୍କ ମା’ କହିଛନ୍ତି ଏପର୍ଯ୍ୟନ୍ତ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦେବା ଉଚିତ ବୋଲି ସେ କହିଛନ୍ତି।


