Categories: ଖେଳ

ଜାଭେଲିନ୍‌ ଛାଡ଼ି କ୍ରିକେଟକୁ ପସନ୍ଦ କରିଥିଲେ ହାଜେଲଉଡ୍‌

ଜୋଶ୍‌ ହାଜେଲଉଡ୍‌ କ୍ରିକେଟ ଜଗତରେ ଏକ ପରିଚିତ ନାମ। ଅଷ୍ଟ୍ରେଲିଆର ଏହି ଦ୍ରୁତ ବୋଲର ଇତିମଧ୍ୟରେ ୫୯ ଟେଷ୍ଟ, ୬୯ ଦିନିକିଆ ଓ ୪୧ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି। ଟେଷ୍ଟରେ ୨୦୦, ଦିନିକିଆରେ ୧୦୦ ଓ ଟି୨୦ରେ ୫୦ ଉଇକେଟ ପୂରଣ କରିସାରିଥିବା ଏହି ତାରକା ବୋଲର ଆଗକୁ ଆହୁରି ଅନେକ ରେକର୍ଡ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ହେଲେ ଅନେକ ହୁଏତ ଜାଣି ନ ଥିବେ ଯେ ହାଜେଲ୍‌ଉଡ୍‌ ସ୍କୁଲ କ୍ୟାରିୟରରେ ଜଣେ କ୍ରିକେଟର ନୁହେଁ ବରଂ ଜଣେ ଜାଭେଲିନ୍‌ ଥ୍ରୋୟରଭାବେ ପରିଚିତ ଥିଲେ। ଆଥଲେଟିକ୍ସ କ୍ୟାରିୟରରେ ସେ ଫିଲ୍ଡ ଇଭେଣ୍ଟ ପ୍ରତି ବିଶେଷ ଆଗ୍ରହୀ ଥିଲେ। କ୍ରମେ ଜାଭେଲିନ୍‌ ଥ୍ରୋ ଉପରେ ସେ ଫୋକସ କରିଥିଲେ। ମାତ୍ର ପରେ କ୍ରିକେଟ ପ୍ରତି ଆକୃଷ୍ଟ ହୋଇଥିଲେ। ଏହାର କାରଣ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। କାରଣ କ୍ରିକେଟ ଏକ ଟିମ୍‌ ଗେମ୍‌। ଏଥିରେ ଜଣେ ଖେଳାଳି ଖରାପ ଖେଳିଲେ ମଧ୍ୟ ସଫଳତା ପାଇପାରିବ, କାରଣ ସାଥୀ ଖେଳାଳିଙ୍କ ସଫଳତାରେ ସେ ଭାଗୀଦାର ହୋଇପାରିବ।
ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପକ୍ଷରୁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି ହାଜେଲଉଡ୍‌। ମାତ୍ର ଆହତ ସମସ୍ୟା ଯୋଗୁ ସେ ଏପର୍ଯ୍ୟନ୍ତ ଦଳସହ ଯୋଗ ଦେଇପାରି ନାହାନ୍ତି। ଚଳିତ ମାସ ଶେଷ ସପ୍ତାହରେ ସେ ଆର୍‌ସିବି ଦଳରେ ସାମିଲ ହେବା ସମ୍ଭାବନା ରହିଛି। ଗତ ସଂସ୍କରଣ (୨୦୨୨)ରେ ସେ ଆର୍‌ସିବିକୁ ପ୍ଲେ-ଅଫ୍‌କୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୨୦ଟି ଉଇକେଟ ହାସଲ କରିଥିଲେ ଏହି ୩୨ ବର୍ଷୀୟ ଖେଳାଳି। ନିଜ କ୍ୟାରିୟର ସମ୍ପର୍କରେ ହାଜେଲଉଡ୍‌ କହିଛନ୍ତି ଯେ, ”କ୍ରିକେଟ ହେଉଛି ମୋର ପ୍ରଥମ ପସନ୍ଦ। ମୋତେ ଯେତେବେଳେ ୧୫-୧୬ ବର୍ଷ ହୋଇଥିଲା ସେତେବେଳେ ଏକ ଦୃଢ଼ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଅନୁଭବ କରିଥିଲି। ଶୀତଦିନେ ମୁଁ ଆଥ୍‌ଲେଟିକ୍ସରେ ମନୋନିବେଶ କରି ନିଜକୁ ଫିଟ୍‌ ରଖିଥିଲି। ମୋ ମତରେ ଆଥ୍‌ଲେଟିକ୍ସ ପରି ବ୍ୟକ୍ତିଗତ କ୍ରୀଡ଼ାରେ ଭଲ ପ୍ରଦର୍ଶନର ଦିନ ଅପେକ୍ଷା ଖରାପ ପ୍ରଦର୍ଶନର ଦିନ ଅଧିକ ରହିଥାଏ। ଏହା ମୋ ମନକୁ ଆନ୍ଦୋଳିତ କରିଥିଲା ଏବଂ ମୁଁ କ୍ରିକେଟକୁ ଚୟନ କରିଥିଲି। କ୍ରିକେଟ ଏକ ଦଳଗତ ଖେଳ ହୋଇଥିବାରୁ ସାଥୀ ଖେଳାଳିଙ୍କ ସହ ମଜାମସ୍ତିରେ ଦିନ କଟିଥାଏ। ମାତ୍ର ଆଥଲେଟିକ୍ସରେ ଅଧିକାଂଶ ସମୟ ଏକୁଟିଆ କାଟିବାକୁ ହୋଇଥାଏ“। ସେ ଆହୁରି ମଧ୍ୟ କହିଛନ୍ତି ଯେ, ”ବ୍ୟକ୍ତିଗତ କ୍ରୀଡ଼ା ବହୁତ କଷ୍ଟସାଧ୍ୟ। ଏହାକୁ ମୁଁ କେବେହେଲେ ଦୀର୍ଘଦିନଧରି କ୍ୟାରିୟର କରିପାରି ନ ଥାନ୍ତି। ପ୍ରଦର୍ଶନ ଦୃଷ୍ଟିରୁ ଏଥିରେ ଭଲ ଅପେକ୍ଷ ମନ୍ଦ ଦିନ ଅଧିକ ରହିଥାଏ। ଜଣେ ଯଦି ଟିମ୍‌ ଇଭେଣ୍ଟକୁ କ୍ୟାରିୟର କରିବ ତେବେ ଭଲ ଓ ମନ୍ଦ ଦିନ ୫୦-୫୦ ରହିବ। ଏଥିରେ ବିଜୟ କିମ୍ବା ପରାଜୟରେ ମାନସିକତା ଦୃଷ୍ଟିରୁ ବିଶେଷ ପ୍ରଭାବ ନ ଥାଏ। ଏପରିକି ଜଣେ କୌଣସି ଦିନ କିମ୍ବା ସପ୍ତାହରେ ଖରାପ ଖେଳିଲେ ମଧ୍ୟ ସାଥୀ ଖେଳାଳିଙ୍କ ସଫଳତାକୁ ଉପଭୋଗ କରିପାରିବ। ମୁଁ ବିଭିନ୍ନ ଦଳରେ କେବଳ ନିଜର ନୁହେଁ ସାଥୀ ଖେଳାଳିଙ୍କ ସଫଳତାକୁ ମଧ୍ୟ ମନଭରି ଉପଭୋଗ କରି ଆସିଛି“।

Share