ଘୃଣା ମନ୍ତବ୍ୟ ରୋକିବା ଜରୁରୀ

ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲ୍‌ର ବିତର୍କରେ ଭାଗ ନେଇ ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ନୂପୁର ଶର୍ମା ଇସ୍‌ଲାମ ଧର୍ମର ସଂସ୍ଥାପକ ପେଗମ୍ବର ମହମ୍ମଦଙ୍କ ସମ୍ପର୍କରେ ଯେଉଁ ଅସୂୟାସୂଚକ ମନ୍ତବ୍ୟ ଦେଲେ, ତାକୁ ନେଇ ଉଭୟ ଦେଶ ଭିତରେ ଓ ବିଦେଶରେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ନୂପୁରଙ୍କ ଉତ୍ତେଜକ ମନ୍ତ୍ରବ୍ୟକୁ ଦେଶ ଭିତରେ ବିଭିନ୍ନ ସଙ୍ଗଠନ, ବୁଦ୍ଧିଜୀବୀ ଏବଂ ମୁସଲମାନ ସମ୍ପ୍ରଦାୟର ଅନେକ ପ୍ରମୁଖ ବ୍ୟକ୍ତି ନିନ୍ଦା କରିଥିଲେ। କାନପୁରରେ ଏହାକୁ ନେଇ ହିଂସ୍ର ପ୍ରତିବାଦ ଦେଖିବାକୁ ମିଳିଥିଲା। ଏହି ବକ୍ତବ୍ୟର ଭିଡିଓ କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବିଦେଶରେ ବିଶେଷ କରି ମୁସଲମାନ ବହୁଳ ଆରବ ଦେଶଗୁଡ଼ିକରେ ଜୋରଦାର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆମ ସହ ଉତ୍ତମ ସମ୍ପର୍କ ରଖି ଆସିଥିବା କତାର, ସାଉଦି ଆରବ, ୟୁଏଇ, କୁଏଟ୍‌, ଇରାନ ପରି ଆରବ ଦେଶଗୁଡ଼ିକ ପକ୍ଷରୁ ଏହାର ଆନୁଷ୍ଠାନିକ ପ୍ରତିବାଦ କରାଯାଇଛି। ଉଦ୍‌ବେଗର କଥା, ସେସବୁ ଦେଶର ନାଗରିକମାନେ ବି ଭାରତ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାରତୀୟ ସାମଗ୍ରୀର ବର୍ଜନ ଲାଗି ଅଭିଯାନ ଫଳରେ ସେଠାକାର ବଜାରରେ ଭାରତୀୟ ସାମଗ୍ରୀ ବିକ୍ରି ନ ହୋଇ ପଡ଼ିରହିଛି।
ନୂପୁର ଶର୍ମାଙ୍କ ବକ୍ତବ୍ୟ ଲାଗି ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଦେଶର ସମ୍ମାନହାନି ହେବା ସହ ଆରବ ଦେଶଗୁଡ଼ିକରେ ଭାରତ ବିରୋଧୀ ମାନସିକତା ସୃଷ୍ଟି ହେବା ଚିନ୍ତାଜନକ। କାରଣ ଆମ ଦେଶର ଅର୍ଥନୈତିକ ବିକାଶରେ ଆରବ ଦେଶଗୁଡ଼ିକର ଭୂମିକା ରହିଛି। ଆଜିର ଦିନରେ ୩.୨ କୋଟି ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ କେବଳ ଆରବ ଦେଶଗୁଡ଼ିକରେ ହିଁ ୧.୫ କୋଟିରୁ ଅଧିକ ବସବାସ କରୁଛନ୍ତି। ପ୍ରବାସୀଙ୍କ ଜରିଆରେ ଭାରତକୁ ଆସୁଥିବା ଭାରତର ମୋଟ ଆୟର ୫୫% କେବଳ ଆରବ ଦେଶଗୁଡ଼ିକରୁ ଆସୁଛି। ଏହାବ୍ୟତୀତ ଭାରତ ସେଠାକୁ ପ୍ରତିବର୍ଷ ୩ ଲକ୍ଷ କୋଟିର ରପ୍ତାନି କରୁଛି। ଆମର ମୋଟ ଅଶୋଧିତ ତେଲ ଆମଦାନୀର ୬୨ପ୍ରତିଶତ କେବଳ ଆରବ ଦେଶଗୁଡ଼ିକରୁ ହେଉଛି। ଏଭଳି ପରିସ୍ଥିତିରେ ଆରବ ଦେଶଗୁଡ଼ିକରେ ଦେଖାଯାଇଥିବା ପ୍ରତିକ୍ରିୟା ଭାରତର ଅର୍ଥନୀତି ଏବଂ ସେଠାରେ ରହୁଥିବା ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।
ନିଜର ପ୍ରବକ୍ତାଙ୍କ ଉତ୍ତେଜକ ବକ୍ତବ୍ୟକୁ ନେଇ ବିଦେଶରେ ତୀବ୍ର ପ୍ରତିକ୍ରିୟାକୁ ଦେଖି ସରକାର ଓ ଶାସକ ଦଳ ରକ୍ଷାତ୍ମକ ସ୍ଥିତିକୁ ଆସିବା ସ୍ବାଭାବିକ। ହଠାତ୍‌ ଆମେ କୌଣସି ଧର୍ମ ପ୍ରତି ଘୃଣାରେ ବିଶ୍ୱାସ କରୁନାହୁଁ, ସବୁ ଧର୍ମକୁ ସମ୍ମାନ ଜଣାଉଛୁ ଏବଂ ସର୍ବଧର୍ମ ସମଭାବରେ ବିଶ୍ୱାସ କରୁଛୁ ବୋଲି ପ୍ରେସ୍‌ ବିବୃତି ଦେବାକୁ ପଡ଼ିଲା। ନୂପୁରଙ୍କ ଘୃଣାର ବକ୍ତବ୍ୟକୁ ସିଧାସଳଖ ଭାବେ ଅସ୍ବୀକାର ଓ ନାପସନ୍ଦ କରି ଦୀର୍ଘ ଦଶ ଦିନ ପରେ ହେଲେ ବି ତାଙ୍କୁ ପାର୍ଟିରୁ ନିଲମ୍ବିତ କରିବାକୁ ଏବଂ ଦିଲ୍ଲୀ ଭାଜପାର ମିଡିଆ ପ୍ରମୁଖ ନବୀନ ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରିବାକୁ ପଡ଼ିଲା।
ତେବେ ବିଦେଶୀ ଚାପରେ ପଡ଼ି ଭାଜପା ନେତୃତ୍ୱ ନୂପୁରଙ୍କୁ ଦଳରୁ ନିଲମ୍ବିତ କରିଥିଲେ ମଧ୍ୟ ସରକାର ସେମାନଙ୍କୁ ଗିରଫ କରିବାକୁ ସାହସ ଦେଖାଇ ନାହାନ୍ତି। ଓଲଟା ତାଙ୍କର ଜୀବନକୁ ବିପଦ ରହିଛି ବୋଲି କହି ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇଛନ୍ତି। ଅନ୍ୟପକ୍ଷରେ ନିକଟରେ ଜ୍ଞାନବାପି ମସଜିଦ୍‌ ବିବାଦରେ ଶିବଲିଙ୍ଗକୁ ନେଇ ସୋସିଆଲ ମିଡିଆରେ କଟାକ୍ଷ ମାତ୍ର କରିଥିବା ଦୁଇଜଣ ପ୍ରଫେସରଙ୍କ ବିରୋଧରେ ପୋଲିସ ୨୪ ଘଣ୍ଟା ମଧ୍ୟରେ ମାମଲା ଦାଏର କରିଛି। ପ୍ରଫେସର ରତନଲାଲଙ୍କୁ ତୁରନ୍ତ ଗିରଫ କରାଯାଇଥିବା ବେଳେ ଭାଜପାର ସମର୍ଥକମାନେ ପ୍ରଫେସର ରବିକାନ୍ତଙ୍କ ଉପରେ ଆକ୍ରମଣ କରିଛନ୍ତି। ଧାର୍ମୀୟ ଭାବନାକୁ ଆହତ କରିଥିବା ଅଭିଯୋଗରେ ଦୁଇ ଦଳିତ ପ୍ରଫେସରଙ୍କ ବିରୋଧରେ ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ନେଇଥିବା ସରକାର ନୂପୁର ଓ ନବୀନଙ୍କ କ୍ଷେତ୍ରରେ ଚୁପ୍‌ ରହିବା ସେମାନଙ୍କ ଦୋମୁଁହା ନୀତିକୁ ଦର୍ଶାଉଛି। ଧର୍ମୀୟ ଘୃଣା ସୃଷ୍ଟିକାରୀ ବିବୃତି ଦେବାରେ ନୂପୁର ଶର୍ମା ଦେଶରେ ପ୍ରଥମ କିମ୍ବା ଶେଷ ବ୍ୟକ୍ତି ନୁହନ୍ତି। ଗତ କିଛିବର୍ଷ ଧରି ଶାସକ ଦଳ ଓ ତା’ର ସମର୍ଥିତ ବ୍ୟକ୍ତି ଓ ସଙ୍ଗଠନମାନଙ୍କ ଦ୍ୱାରା ଦେଶରେ ଘୃଣା ସୃଷ୍ଟିକାରୀ ବିବୃତି ଦେବା ଜାରି ରହିଛି। ଆଜି ବିଦେଶୀ ଚାପରେ ସର୍ବଧର୍ମ ସମଭାବର କଥା କହୁଥିବା ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ରାଷ୍ଟ୍ରୀୟ ନେତୃତ୍ୱ ନିଜର ରାଜନୈତିକ ସ୍ବାର୍ଥ ପାଇଁ ଅତୀତରେ ବାରମ୍ବାର ଧର୍ମୀୟ ବିଦ୍ୱେଷ ସୃଷ୍ଟିକାରୀ ବକ୍ତବ୍ୟ ଦେଇ ଆସିଛନ୍ତି। ବିଶେଷ କରି ଗୋଦି ମିଡିଆ ଦ୍ୱାରା ଆୟୋଜିତ ଟିଭି କାର୍ଯ୍ୟକ୍ରମଗୁଡ଼ିକ ଧର୍ମୀୟ ବିଦ୍ୱେଷ ସୃଷ୍ଟିର ଆଡ୍ଡାରେ ପରିଣତ ହୋଇଛି। ଜନଗଣଙ୍କ ଜ୍ୱଳନ୍ତ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ଅତ୍ୟନ୍ତ ସୁନିୟୋଜିତ ଭାବେ ଏହାକୁ ଆୟୋଜିତ କରାଯାଉଛି।
ଗତ କିଛିମାସ ମଧ୍ୟରେ ଦେଶର ହରିଦ୍ୱାର, ବାରାଣସୀ ପରି ବିଭିନ୍ନ ସ୍ଥାନରେ ଧର୍ମ ସଂସଦ ନାଁରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଖୋଲାଖୋଲି ଭାବେ ଘୃଣା ଓ ହିଂସାର ଆହ୍ବାନ ଦିଆଯିବା ଦେଖିବାକୁ ମିଳିଛି। ଏଭଳି ଘୃଣାର ଭାଷଣ ଦେବା, କେବଳ ଅପରାଧ ନୁହେଁ ବରଂ ସମ୍ବିଧାନ ବିରୋଧୀ। ଭାରତୀୟ ଫୌଜଦାରି ଆଇନର୧୫୩ (କ) ଓ ୫୦୫ (ଗ) ଧାରା ଅନୁଯାୟୀ ଏହା ଗୁରୁତର ଅପରାଧ। ପରିତାପର ବିଷୟ, ଏଭଳି ଧର୍ମୀୟ ଘୃଣା ଓ ବିଦ୍ୱେଷର ଖୋଲାଖୋଲି ପରିବେଷଣ ସତ୍ତ୍ୱେ ବି ଦେଶର ସରକାର ଚୁପ୍‌ ରହିଛନ୍ତି। ଅଥଚ ପ୍ରଧାନମନ୍ତ୍ରୀଙ୍କୁ ଗଡ୍‌ସେ ସମର୍ଥକ ବୋଲି କହି ନିଜର ଫେସ୍‌ବୁକ୍‌ରେ ପୋଷ୍ଟ କରିବା ଅଭିଯୋଗରେ ଗୁଜରାଟର ଦଳିତ ବିଧାୟକ ଜିଗ୍ନେସ୍‌ ମେୱାନୀଙ୍କୁ ନିକଟରେ ଆସାମର ଭାଜପା ସରକାରର ପୋଲିସ ଗୁଜରାଟ ଯାଇ ଗିରଫ କରିଛି। ସରକାରଙ୍କ ସହ ଭିନ୍ନମତ ରଖିଥିବା ଅନେକ ସାମାଜିକ କର୍ମୀ, ଖବରଦାତା ଓ ବୁଦ୍ଧିଜୀବୀଙ୍କ ବିରୋଧରେ ରାଜଦ୍ରୋହ ମାମଲା ଦାଏର କରିବା ସହ କେତେଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।
ତେବେ ଆଶ୍ୱସ୍ତିର ବିଷୟ, ବିଦେଶୀ ପ୍ରତିକ୍ରିୟା ପରେ ଭାଜପା ନେତୃତ୍ୱ ଧର୍ମୀୟ ବିଦ୍ୱେଷ ଓ ଉତ୍ତେଜକ ଭାଷଣ ଦେଉଥିବା ନିଜର ୩୭ ଜଣ ନେତାଙ୍କୁ ଚିହ୍ନଟ କରି ସେମାନଙ୍କୁ କୌଣସି ମନ୍ତବ୍ୟ ନ ଦେବାକୁ ତାଗିଦ୍‌ କରିଥିବା ଜଣାପଡ଼ିଛି। ଅନ୍ୟପଟେ ମୁସ୍‌ଲିମ ପର୍ସନାଲ ଲ’ ବୋର୍ଡ ମଧ୍ୟ ଗୋଦି ମିଡ଼ିଆରେ ଧର୍ମ ଉପରେ କୌଣସି ପ୍ରକାର ଆଲୋଚନାରେ ଭାଗ ନ ନେବା ପାଇଁ ନିଜ ସମ୍ପ୍ରଦାୟର ଧର୍ମଗୁରୁ ଓ ବିଦ୍ୱାନମାନଙ୍କୁ ପରାମର୍ଶ ଦେଇଛି। ଯଦି ଉଭୟ ପରାମର୍ଶ କାର୍ଯ୍ୟକାରୀ ହେବ, ତା’ହେଲେ ଦେଶରେ ଗଣମାଧ୍ୟମ ଜରିଆରେ ପ୍ରଚାରିତ ହେଉଥିବା ଘୃଣାର ପ୍ରଚାର ପ୍ରସାର ଅନେକ ପରିମାଣରେ କମିଯିବ।
ସାଧାରଣତଃ ଶାସକମାନେ ନିଜର ଅପାରଗତା, ଜନବିରୋଧୀ ନୀତି ଏବଂ ଦରବୃଦ୍ଧି, ବେରୋଜଗାର ଆଦି ଜ୍ୱଳନ୍ତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟେଇବା ପାଇଁ ଏସବୁ ଧର୍ମୀୟ ପ୍ରସଙ୍ଗକୁ ଉଠାଇଥାନ୍ତି। ତେବେ ଦେଶରେ ସରକାରୀ ପ୍ରୋତ୍ସାହନରେ ଚାଲିଥିବା ଧର୍ମୀୟ ଘୃଣା ଓ ହିଂସାର ଭାଷଣକୁ ରୋକିବା ଜରୁରୀ। କାରଣ ଏହା ଆମ ସମାଜକୁ ବରବାଦ କରିଦେବ। ଆମର ବହୁଳତାବାଦୀ ସଂସ୍କୃତିକୁ ଧୂଳିସାତ୍‌ କରିବ। ରୋଜଗାର ଓ ବିକାଶ ପରିବର୍ତ୍ତେ ଆମର ଯୁବକମାନଙ୍କୁ ଦଙ୍ଗାକାରୀରେ ପରିଣତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri