ହାଟଡିହୀ/ଛେନାପଦୀ,୨୫l୪(ଶୁଭକାନ୍ତ ନାୟକ/ନିରାକାର ପରିଡା): ଜଣେ ଓଏଏସ୍ ଅଧିକାରୀ ସରକାରୀ ଅନୁଦାନର ବିନିଯୋଗ ପ୍ରମାଣ ପତ୍ର (ୟୁସି/ୟୁଟିଲାଇଜେସନ ସାର୍ଟିଫିକେଟ) ଦେବା ବେଳେ ଫେଡ଼ାଣ ଭୁଲ କରିଦେଇଛନ୍ତି । ଯାହାକି ଏବେ ନଜରକୁ ଆସିଛି । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଦସ୍ତଖତ ଥାଇ ୨୩ ଡିସେମ୍ବର ୨୦୧୩ ରେ ଏହି ୟୁସି ଜିଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀଙ୍କୁ ଅନୁସାରେ ପ୍ରଦାନ କରିଛନ୍ତି । ୟୁସିରେ ଲେଖା ଯାଇଛି ଯେ ଗତ ୨୦୧୦-୧୧ ରେ ବ୍ଲକ କଳା ସଂସ୍କୃତି ସଙ୍ଘକୁ ୨ ଲକ୍ଷ ଟଙ୍କା ସରକାରୀ ଅନୁଦାନ ମିଳିଥିଲା। ଉକ୍ତ ଅନୁଦାନରୁ ଗତ ୨୦୧୩-୧୪ ରେ ୧ ଲକ୍ଷ ୮୭ ହଜାର ୨୦୦ ଟଙ୍କା ପାଲା ଏବଂ ଦାସ କାଠିଆ ଟ୍ରୁପ୍ସ ପାଇଁ ଖର୍ଚ୍ଚ ହୋଇଥିବା ବେଳେ ଆଉ ୧୨ ହଜାର ୬୦୦ ଟଙ୍କା ବଳକା ଅନୁଦାନ ରହିଛି। କିନ୍ତୁ ବଳକା ଅନୁଦାନ ୧୨ ହଜାର ୮୦୦ ଟଙ୍କା ଉଲ୍ଲେଖ ରହିବା କଥା। ୟୁସି ଦେବା ବେଳେ ଏପରି ଫେଡ଼ାଣ ଭୂଲ କରି ୟୁସି ଦେବା ଅଧିକାରୀଙ୍କ ସ୍ବଚ୍ଛତା ଏବଂ ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ବିଡିଓ ରଞ୍ଜନ ପରିଡା କହିଛନ୍ତି, ମୋ କାର୍ଯ୍ୟକାଳ ସମୟରେ ଏପରି ତ୍ରୁଟି ହୋଇନି । ଯାହା ସମୟରେ ହୋଇଛି ସେ ସେଥିପାଇଁ ଉତ୍ତରଦାୟୀ ରହିବେ l
ସୂଚନା ଯୋଗ୍ୟ, ଅଳ୍ପ କିଛି ଦିନ ତଳେ କଳାକାରମାନେ ବ୍ଲକ କଳା ସଂସ୍କୃତି ସଙ୍ଘକୁ ଅଦ୍ୟାବଧି ଆସିଥିବା ସରକାରୀ ଅନୁଦାନ ଏବଂ କଳାକାରଙ୍କ ନାମ ପଞ୍ଜିକରଣ ଅନୁଦାନ ହେରଫେର ହୋଇଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ସହ ଆପତ୍ତି ଉଠାଇଥିଲେ। କିନ୍ତୁ ଅଦ୍ୟାବଧି ପ୍ରକୃତ ଘଟଣାର ରହସ୍ୟ ଜଣାପଡିନି l ଏପରିସ୍ଥଳେ ପୂର୍ବରୁ ସଙ୍ଘକୁ ଆସିଥିବା ଅନୁଦାନର କୌଣସି ରେକର୍ଡ ପତ୍ର ନ ଥିବା ବେଳେ ତାଙ୍କ କାର୍ଯ୍ୟକାଳ ସମୟରେ ସମସ୍ତ ରେକର୍ଡ ଅଛି ବୋଲି ବିଡ଼ିଓ ରଞ୍ଜନ ପରିଡା କହୁଛନ୍ତି। ଅପରପକ୍ଷେ ସଙ୍ଘକୁ ଆସିଥିବା ସରକାରୀ ଅନୁଦାନ ହେରଫେର ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ କେନ୍ଦୁଝର ଜିଲାପାଳଙ୍କୁ ତଦନ୍ତ ସହ ରିପୋର୍ଟ ମଗାଇଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲା ସଂସ୍କୃତି ଅଧିକାରୀ ଏହାର ଅନୁଧ୍ୟାନ କରୁଛନ୍ତି।
Dharitri – Odisha’s No.1 Odia Daily