Categories: ଖେଳ

ହାସିମୋତୋ ଟୋକିଓ ଅଲିମ୍ପିକ ସଭାପତି

ଟୋକିଓ, ୧୯ା୨ (ଏପି)-ସିକୋ ହାସିିମୋତୋ ଟୋକିଓ ଅଲିମ୍ପିକ ଆୟୋଜକ କମିଟି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୭ଟି ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ତନ୍ମଧ୍ୟରେ ୪ଟି ଶୀତକାଳୀନ ଅଲିମ୍ପିକ୍ସ ଏବଂ ୩ଟି ଗ୍ରୀଷ୍ଣକାଳୀନ ଅଲିମ୍ପିକ୍ସ ରହିଛି। ଜାପାନରେ ରାଜନୀତି ହେଉ ଅବା କୌଣସି ପରିଚାଳନା ପରିଷଦରେ କ୍ୱଚିତ ମହିଳା କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳିଥାଏ। ପୁରୁଷ ପ୍ରଧାନ କାର୍ଯ୍ୟନିର୍ବାହୀ ବୋର୍ଡର ଏକ ବୈଠକରେ ୫୬ ବର୍ଷୀୟା ହାସିମୋତୋଙ୍କୁ ଟୋକିଓ ଅଲିମ୍ପିକ ଆୟୋଜକ କମିଟି ସଭାପତି ଭାବେ ମନୋନୀତ କରାଯାଇଛି। ହାସିମୋତୋଙ୍କୁ ୮୩ ବର୍ଷୀୟ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୋଶିରୋ ମୋରିଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ଲିଙ୍ଗବାଦୀ ଟପ୍ପଣୀ ଦେଇ ବିବାଦୀୟ ହେବା ପରେ ମୋରି ଗତ ସପ୍ତାହରେ ଅଲିମ୍ପିକ ଆୟୋଜକ କମିଟି ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ। ସେ କହିଥିଲେ ମହିଳାମାନେ କମ୍‌ କାର୍ଯ୍ୟକରି ଅଧିକ କଥା କହିଥାନ୍ତି। ହାସିମୋତୋ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ କ୍ୟାବିନେଟ୍‌ରେ ଅଲିମ୍ପିକ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ବିଭାଗ ଦାୟିତ୍ୱରେ ଥିଲେ। ହାସିମୋତୋ ତିନୋଟି ଗ୍ରୀଷ୍ଣକାଳୀନ ଅଲିମ୍ପିକ୍ସ (୮୮, ୯୨ ଓ ୯୬)ରେ ସାଇକ୍ଲିଂ ଏବଂ ଚାରୋଟି ଶୀତକାଳୀନ ଅଲିମ୍ପିକ୍ସ (୮୪, ୮୮, ୯୨ ଓ ୯୪)ରେ ସ୍ପିଡ୍‌ସ୍କେଟିଂ ଇଭେଣ୍ଟରେ ଭାଗ ନେଇଥିଲେ। ସେ ଏକମାତ୍ର ବ୍ରୋଞ୍ଜ ପଦକ ୧୯୯୨ରେ ୧,୫୦୦ ମିଟର ସ୍ପିଡ୍‌ ସ୍କେଟିଂରେ ଜିତିଥିଲେ। ହାସିମୋତୋ ବିଭିନ୍ନମତେ ଅଲିମ୍ପିକ୍ସ ସହିତ ସଂଶ୍ଲିଷ୍ଟ। ୧୯୬୪ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବର ମାତ୍ର ୫ଦିନ ପୂର୍ବରୁ ସେ ଉତ୍ତରାଞ୍ଚଳ ଜାପାନ ହୋକାଇଦୋରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାମ ସିକୋ ‘ସିକା’ ଶବ୍ଦରୁ ଆସିଛି। ‘ସିକା’ର ଇଂଲିଶ ଅନୁବାଦ ହେଉଛି ଅଲିମ୍ପିକ ଜ୍ୟୋତି।

Share