Categories: ଖେଳ

ହରିୟାଣାରେ ହେବ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ

ନୂଆଦିଲ୍ଲୀ, ୨୫ା୭ (ପି.ଟି.)-୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୪ର୍ଥ ସଂସ୍କରଣ ହରିୟାଣାରେ ହେବ। ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାର ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ମିଳିତ ଭାବେ ଏକ ଭିଡିଓ କନଫରେନ୍ସ ଜରିଆରେ ଘୋଷଣା କରିଛନ୍ତି। ଗେମ୍ସ ପଞ୍ଚକୁଲାଠାରେ ଆୟୋଜନ ହେବ। ସାଧାରଣତଃ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ପ୍ରତିବର୍ଷ ଜାନୁୟାରୀରେ ହୋଇଥାଏ। କରୋନା ମହାମାରୀ ଯୋଗୁ ଏଥର ତାହାକୁ ଘୁଞ୍ଚାଇ ଦିଆଯାଇଛି ବୋଲି ରିଜିଜୁ କହିଛନ୍ତି। ତେବେ ଏଥର ଗେମ୍ସ ଆୟୋଜନ ବେଳକୁ ମହାମାରୀର ପ୍ରଭାବ ହ୍ରାସ ପାଇଥିବ। ଏହା ପୂରା ମାତ୍ରାରେ ହେବ ଏବଂ ଏଥିରେ ସମସ୍ତ ରାଜ୍ୟରୁ ୧୦,୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଯୋଗ ଦେବେ ବୋଲି କ୍ରୀଡ଼ାମନ୍ତ୍ରୀ ଆଶା ପ୍ରକାଶ କରି କହିଛନ୍ତି। ସୂଚନାଯୋଗ୍ୟ, ହରିୟାଣା ଏପର୍ଯ୍ୟନ୍ତ ସମସ୍ତ ତିନୋଟି ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ସଫଳତାର ସହିତ ଆୟୋଜନ କରିସାରିଛି। ଏହି ରାଜ୍ୟ ୨୦୧୯ ଓ ୨୦୨୦ ସଂସ୍କରଣରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ୨୦୧୯ରେ ହରିୟାଣା ୧୫୯ ପଦକ ଏବଂ ୨୦୨୦ରେ ୨୦୦ ପଦକ ଲାଭ କରିଥିଲା। ୨୦୧୮ରେ ଏହି ରାଜ୍ୟ ୧୦୨ ପଦକ (୩୮ ସ୍ବର୍ଣ୍ଣ, ୨୬ ରୌପ୍ୟ ଓ ୩୮ ବ୍ରୋଞ୍ଜ) ସହ ପୋଡିୟମ ଫିନିଶ କରିଥିଲା।

Share