Categories: ଖେଳ

ହାରିସ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ୍‌

ଦୁବାଇ, ୨୬।୮(ପି.ଟି.)- ପୂର୍ବତନ ଅଷ୍ଟ୍ରେଲିଆ ପେସ୍‌ ବୋଲର ର଼୍ୟାନ ହାରିସ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଦିଲ୍ଲୀ କ୍ୟାପିଟାଲ ଦଳର ବୋଲିଂ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଗତ ୨ ବର୍ଷ ଧରି ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ଜେମ୍ସ ହୋପ୍ସ କ୍ୟାପିଟାଲ୍ସ ଦଳର ବୋଲିଂ କୋଚ୍‌ ଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏଥର ଦଳସହ ରହି ପାରିବେ ନାହିଁ ବୋଲି ଜଣାଇବାପରେ ତାଙ୍କ ସ୍ଥାନରେ ୪୦ ବର୍ଷୀୟ ହାରିସଙ୍କୁ ନିଆଯାଇଛି। ଆଇପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ମୁଁ ବହୁତ ଖୁସି। ଟ୍ରଫି ଜିତିବା ପାଇଁ ଫ୍ରାଞ୍ଚାଇଜ୍‌ର ଅଭିଳାଷକୁ ପୂରଣ କରିବା ଲାଗି ମୋତେ ସୁଯୋଗ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସ ଦଳର ବୋଲିଂ ଲାଇନ୍‌ଅପ୍‌ ଭଲ। ଏହା ସହ କାର୍ଯ୍ୟ କରିବାକୁ ମୁଁ ବ୍ୟଗ୍ର ବୋଲି ହାରିସ କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟକୁ ବିଳମ୍ବରେ ପ୍ରବେଶ କରିଥିବା ହାରିସ କ୍ୟାରିୟରରେ ୧୧୩ ଟେଷ୍ଟ, ୪୪ ଦିନିକିଆ ଓ ୪ଟି ଦିନିକିଆ ଉଇକେଟ ନେଇଛନ୍ତି। ୨୦୦୯ରେ ସେ ଡେକାନ ଚାର୍ଜର୍ସ ଦଳର ସଦସ୍ୟଭାବେ ଆଇପିଏଲ ଟ୍ରଫି ଜିତିଥିଲେ। ଆହତ ସମସ୍ୟା ଯୋଗୁ ସେ ୨୦୧୫ରେ ଅବସର ନେଇ ଯାଇଥିଲେ। ଏହାପରେ କୋଚିଂକୁ ଆପଣେଇ ଅଷ୍ଟ୍ରେଲିଆନ ଟିମ୍‌ ଏବଂ ବିଗ୍‌ବାଶ୍‌ ଲିଗ୍‌ରେ ବ୍ରିସବେନ୍‌ ହିଟ୍‌ ସହ କୋଚିଂ ଦାୟିତ୍ୱ ତୁଲାଇ ଆସୁଛନ୍ତି। ପୂର୍ବରୁ ସେ ଆଇପିଏଲ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ବୋଲିଂ କୋଚ୍‌ ମଧ୍ୟ ଥିଲେ। ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଗ୍ରୁପରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ, ମହମ୍ମଦ କୈଫ, ସାମୁଏଲ ବଦ୍ରି ଓ ବିଜୟ ଦହିୟା ରହିଛନ୍ତି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇପିଏଲର ୧୩ତମ ସଂସ୍କରଣକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି।

Share