Categories: ଖେଳ

ହରିକ୍ରିଷ୍ଣା ଜିତିଲେ ଚେସ୍‌ ଇଭେଣ୍ଟ

ଚେନ୍ନାଇ, ୨୦ା୭ (ପି.ଟି.)- ଭାରତର ଗ୍ରାଣ୍ଡମାଷ୍ଟର ପି. ହରିକ୍ରିଷ୍ଣା ଆକ୍ସେଣ୍ଟସ ଚେସ୍‌ ୯୬୦ ଟୁର୍ନାମେଣ୍ଟ ଜିତିଛନ୍ତି। ୫୩ତମ ବିଲ୍‌ ଚେସ୍‌ ଫେଷ୍ଟିଭାଲ୍‌ ୨୦୨୦ର ଏହା ହେଉଛି ଏକ ଅଂଶ ବିଶେଷ। ୭ ରାଉଣ୍ଡ ଖେଳରେ ହରିକ୍ରିଷ୍ଣା ୫.୫ ପଏଣ୍ଟ ଅର୍ଜନ କରିଥିଲେ। ଇଭେଣ୍ଟରେ ହରିକ୍ରିଷ୍ଣା (୨୬୯୦ ଏଲୋ ପଏଣ୍ଟ) ଅପରାଜେୟ ରହିଥିଲେ। ଫାଇନାଲ ରାଉଣ୍ଡରେ ସୁଇସ୍‌ ଖେଳାଳି ନୋଏଲ୍‌ ଷ୍ଟଡର୍‌ଙ୍କ ନିକଟରୁ ପୋଲାଣ୍ଡର ରାଡୋସ୍ଲାଭ ଓଜାସେକ୍‌ଙ୍କ ପରାଜୟରୁ ତାଙ୍କୁ ଫାଇଦା ମିଳିଥିଲା। ଚେସ୍‌ ୯୬୦ ଇଭେଣ୍ଟ (ଫିଶର ରାଣ୍ଡମ୍‌ ଚେସ୍‌ ଭାବେ ମଧ୍ୟ ପରିଚିତ)ରେ ଜର୍ମାନୀର ୧୫ବର୍ଷୀୟ ଭିନ୍‌ସେଣ୍ଟ କିମର ଚମତ୍କାର ପ୍ରଦର୍ଶନ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଓଜାସେକ୍‌ ୪.୫ ପଏଣ୍ଟ ସହ ତୃତୀୟ ହୋଇଥିଲେ। ପ୍ରତିଯୋଗିତାରେ ଇଂଲଣ୍ଡର ମାଇକେଲ ଆଡାମ୍ସଙ୍କ ସହ ଏକ ଡ୍ର ସହ ହରିକ୍ରିଷ୍ଣାଙ୍କ ଅଭିଯାନ ଆରମ୍ଭ ହୋଇଥିଲା। ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ସେ ଯଥାକ୍ରମେ ଆଲେକ୍‌ଜାଣ୍ଡର ଡନ୍‌ଚେଙ୍କୋ ଏବଂ ସୁଇଜରଲାଣ୍ଡର ନୋଏଲ୍‌ ଷ୍ଟଡର୍‌ଙ୍କୁ ହରାଇ ଦେଇଥିଲେ। ୩୪ ବର୍ଷୀୟ ଭାରତୀୟ ଖେଳାଳି କିମର ଓ ଓଜାସେକ୍‌ଙ୍କ ବିପକ୍ଷ ୪ର୍ଥ ଓ ୫ମ ରାଉଣ୍ଡ ଗେମ୍‌ ଡ୍ର’ ରଖିଥିଲେ। ରୋମେନ୍‌ ଏଡୁଆର୍ଡ ଏବଂ ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ସ୍ପେନର ଡେଭିଡ୍‌ ଆଣ୍ଟନ ଗୁଇଜାରୋ ବିପକ୍ଷ ପରବର୍ତ୍ତୀ ଦୁଇ ରାଉଣ୍ଡ ଗେମ୍‌ରେ ବିଜୟ ଲାଭ କରି ସେ ଟୁର୍ନାମେଣ୍ଟ ଜିତିଥିଲେ। ରବିବାର ରାପିଡ୍‌ ଇଭେଣ୍ଟ ଚାଲିଛି। ସୋମବାର ଗୋଟିଏ ଦିନ ବିଶ୍ରାମ ପରେ ଜୁଲାଇ ୨୧ରେ କ୍ଲାସିକାଲ ଇଭେଣ୍ଟ ଆରମ୍ଭ ହେବ। କରୋନା ମହାମାରୀ ଯୋଗୁ ବିଲ୍‌ ଚେସ୍‌ ଫେଷ୍ଟିଭାଲରେ ସମସ୍ତ ସ୍ବାସ୍ଥ୍ୟ ପ୍ରୋଟୋକଲ୍‌ ଅନୁପାଳନ କରାଯାଉଛି। ଚେସ୍‌ ବୋର୍ଡରେ ଖେଳାଳିଙ୍କ ମଧ୍ୟରେ ଦୂରତା ରକ୍ଷା କରାଯାଉଛି। ପ୍ରତିଟି ଗେମ୍‌ ପରେ ସମସ୍ତ ଗୋଟି, ବୋର୍ଡ, ଚେସ୍‌ କ୍ଲକ୍‌କୁ ବିଶୋଧନ କରାଯାଉଛି। ଭେନ୍ୟୁରେ ଦର୍ଶକମାନଙ୍କୁ ଅନୁମତି ଦିଆଯାଉ ନାହିଁ।

Share