ହର୍ଗିଲା ସେନାପତି

ପାଞ୍ଚବର୍ଷ ବୟସ ହୋଇଥିବା ବେଳେ ତାଙ୍କୁ ଆଈଙ୍କ ପାଖରେ ରହିବା ଲାଗି ଛାଡ଼ି ଦିଆଯାଇଥିଲା। ଆସାମର ବ୍ରହ୍ମପୁତ୍ର ନଦୀ କୂଳରେ ଆଈ ଖେତରେ କାମ କରନ୍ତି। ସେହି କୁନି ଝିଅଟିକୁ ମଧ୍ୟ ସାଥିରେ ନେଇଥାଆନ୍ତି। ଓ୍ବେଟଲାଣ୍ଡ୍‌ ବା ସନ୍ତସନ୍ତିଆ ଅଞ୍ଚଳରେ ରହୁଥିବା ପକ୍ଷୀଙ୍କୁ ଦେଖାଇ ପ୍ରକୃତି ସହ ନାତୁଣୀକୁ ଆଈ ଚିହ୍ନାଇ ଦେଇଥାଆନ୍ତି। ସେତିକିବେଳେ ପିଲାଟି ଷ୍ଟୋର୍କ ବା ନିର୍ଦ୍ଦିଷ୍ଟ ପ୍ରଜାତିର ବଗ ଦେଖିବାକୁ ପାଇଥିଲେ। ଆଈ ତାଙ୍କୁ ପକ୍ଷୀଙ୍କ କାକଳି ସହ ଅଭ୍ୟସ୍ତ କରାଇ ଦେଇଥିଲେ। ଫଳରେ କୁନି ଝିଅ ସେହି ପକ୍ଷୀ ପ୍ରେମରେ ପଡ଼ିଗଲେ। ବଡ଼ ହୋଇ ତାଙ୍କ ଉପରେ ଗବେଷଣା କଲେ ଓ ସେମାନଙ୍କ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାରୁ ଆଜି ସେ ପରିଶ୍ରମର ଫଳ ପାଇଛନ୍ତି। ନିକଟରେ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଦ୍ୱାରା ପ୍ରଦତ୍ତ ‘ଚାମ୍ପିୟନ୍‌ ଅଫ୍‌ ଦି ଆର୍ଥ ୨୦୨୨’ ସମ୍ମାନ ପାଇବା ପରେ ସେହି କୁନି ଝିଅ ଡକ୍ଟର ପୂର୍ଣ୍ଣିମା ଦେବୀ ବର୍ମନ ଅନ୍ୟ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପରିବେଶପ୍ରେମୀଙ୍କ ପାଇଁ ଆଇକନ୍‌ ପାଲଟି ଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୫ରେ ୟୁଏନ୍‌ଇପି ଦ୍ୱାରା ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଜୈବ ବିବିଧତାକୁ ସୁରକ୍ଷିତ ଓ ସଂରକ୍ଷଣ ରଖିବା ଦିଗରେ ଦୃଷ୍ଟାନ୍ତସୃଷ୍ଟିକାରୀ ପଦକ୍ଷେପ ନେଉଥିବା ଅନ୍ତର୍ଜାତୀୟ ସ୍ତରର ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥାଏ।
ପୂର୍ଣ୍ଣିମା ଆସାମର କାମରୂପ ଅନ୍ତର୍ଗତ ପପ୍‌ ମାଜିର ଗାଁରେ ଜନ୍ମଗ୍ରହଣ କରିଥିଲେ। କୌଣସି ପାରିବାରିକ କାରଣରୁ ସେ ଆଈଙ୍କ ପାଖରେ ରହୁଥିଲେ ମଧ୍ୟ ପାଠ ପଢ଼ାରେ ମନନଶୀଳ ଥିଲେ। ପ୍ରାଣୀବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିବା ପରେ ‘ଗ୍ରେଟର ଆଡ୍‌ଜୁଟାଣ୍ଟ ଷ୍ଟୋର୍କ’ ବା ନିର୍ଦ୍ଦିଷ୍ଟ ଲମ୍ବାଥଣ୍ଟିଆ ପକ୍ଷୀ ପ୍ରଜାତି ଉପରେ ଗବେଷଣା ଆରମ୍ଭ କରିଦେଇଥିଲେ। ପିଲାଟିବେଳୁ ଯେଉଁ ପକ୍ଷୀଗୁଡ଼ିକୁ ନିକଟରୁ ଦେଖିଆସିଥିଲେ ସେମାନଙ୍କ ଜୀବନ ଦୁର୍ବିଷହ ହେଉଥିବା ଅନୁଭବ କରିବା ପରେ ସେ ତାଙ୍କ ସନ୍ଦର୍ଭ ପ୍ରସ୍ତୁତିକୁ ପଛରେ ପକାଇ ଦେଇଥିଲେ। ସେମାନଙ୍କ ଜୀବନ ରକ୍ଷା ଓ ବଂଶବୃଦ୍ଧି ଦିଗରେ ଲାଗି ପଡ଼ିଥିଲେ। ପକ୍ଷୀ ଶିକାରୀମାନେ ଏତେ ମାତିଥିଲେ ଯେ ଷ୍ଟୋର୍କଗୁଡ଼ିକୁ ବଞ୍ଚାଇବା ପୂର୍ଣ୍ଣିମାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଥିଲା। ତେଣୁ ସେ ଅଭିନବ ଉପାୟ ବାହାର କଲେ। ସ୍ଥାନୀୟ ମହିଳାମାନଙ୍କୁ ଏକଜୁଟ କରି ଓ୍ବେଟ୍‌ଲାଣ୍ଡ ସହ ପକ୍ଷୀଙ୍କ ସୁରକ୍ଷା ଦିଗରେ ସେମାନଙ୍କୁ ସଚେତନ କଲେ। କହିଲେ ପରିବେଶ ଓ ପକ୍ଷୀ ସୁରକ୍ଷିତ ରହିଲେ ମଣିଷର ଜୀବନଯାପନ ସୁଗମ ହେବ। ଅହମିଆ ଭାଷାରେ ଷ୍ଟୋର୍କକୁ ‘ହର୍ଗିଲା’ ବୋଲି କୁହାଯାଇଥାଏ। ତେଣୁ ସ୍ଥାନୀୟ ଅଞ୍ଚଳରେ ସ୍ବାଭିମାନ ସୃଷ୍ଟି କରିବାକୁ ଯାଇ ସେ ପ୍ରଥମେ କାମରୂପ ଜିଲାର ଦାଦରା, ପଚାରିୟା ଓ ସିଙ୍ଗିମାରି ଗ୍ରାମରେ ପକ୍ଷୀମାନଙ୍କ ପାଇଁ କୃତ୍ରିମ ବସା ତିଆରି କଲେ। ଏହି କାର୍ଯ୍ୟରେ ମହିଳାମାନଙ୍କ ସହଯୋଗ ମିଳିବାରୁ ପକ୍ଷୀ ବସା ସଂଖ୍ୟା ଧୀରେ ଧୀରେ ବଢ଼ି ୨୮ରୁ ୨୫୦ରେ ପହଞ୍ଚତ୍ ‘ଗ୍ରେଟର ଆଡ୍‌ଜୁଟାଣ୍ଟ ଷ୍ଟୋର୍କ’ଙ୍କ ପାଇଁ ଏହା ବିଶ୍ୱର ସର୍ବବୃହତ୍‌ ବ୍ରିଡିଂ କଲୋନୀରେ ପରିଣତ ହୋଇଯାଇଥିଲା। ସ୍ଥାନୀୟ ଅଞ୍ଚଳର ମହିଳାଙ୍କ ସହଯୋଗ ବଢ଼ିବାରୁ ପୂର୍ଣ୍ଣିମା ଅଧିକ ଉତ୍ସାହିତ ହୋଇଥିଲେ। ୨୦୧୭ରେ ସେ ପକ୍ଷୀମାନଙ୍କ ଅଣ୍ଡାରୁ ଛୁଆ ଫୁଟାଇବା ଲାଗି ବଡ଼ବଡ଼ ବାଉଁଶ ମଞ୍ଚା ସୃଷ୍ଟି କରିଥିଲେ। ଜୋର୍‌ ପବନ ଦେଲେ କିମ୍ବା କୌଣସି ଅସ୍ବାଭାବିକ ସ୍ଥିତି ଉପୁଜିଲେ ଅଣ୍ଡାଗୁଡ଼ିକ ଆଉ ତଳେ ପଡ଼ିବାର ଆଶଙ୍କା ରହିଲା ନାହିଁ। ପକ୍ଷୀ ବଂଶ ବୃଦ୍ଧି ଲାଗି ପୂର୍ଣ୍ଣିମାଙ୍କ ଅହରହ ଉଦ୍ୟମରେ ଅନୁପ୍ରାଣିତ ହୋଇ ଦିନକୁ ଦିନ ଅଧିକ ମହିଳା ତାଙ୍କ ସହ ସାମିଲ ହୋଇଚାଲିଲେ ଓ ସେହି ଗୋଷ୍ଠୀ ‘ହର୍ଗିଲା ଆର୍ମି’ ଭାବେ ପରିଚିତ ହେଲେ। ଏବେ ସେହି ଆର୍ମିରେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୦ ହଜାରରେ ପହଞ୍ଚତ୍ ସାରିଲାଣି। ଏପରି କି ସ୍ଥାନୀୟ ଲୋକସଙ୍ଗୀତ, କବିତା, ପର୍ବପର୍ବାଣି ଏବଂ ନାଟକରେ ଏହି ପକ୍ଷୀ ସ୍ଥାନିତ ହୋଇଥିବା ଦେଖିବାକୁ ମିଳିଛି। ଏଥିରୁ ଯେଉଁ ନୈତିକ ଶିକ୍ଷା ସମାଜକୁ ବଣ୍ଟାଯାଇପାରିଛି, ତାହା ହେଲା ମହିଳାଙ୍କ ଯୋଗଦାନ। ସାଧାରଣତଃ ପୁରୁଷପ୍ରଧାନ ସମାଜରେ ପକ୍ଷୀଙ୍କ ସୁରକ୍ଷା ସକାଶେ କାର୍ଯ୍ୟ କରିବା ନିଶ୍ଚିତ ଭାବେ ସେମାନଙ୍କ ପାଇଁ ଆହ୍ବାନପୂର୍ଣ୍ଣ ଥିଲା। କିନ୍ତୁ ହର୍ଗିଲା ଆର୍ମି ଦେଖାଇ ଦେଇଛନ୍ତି କିଭଳି ମହିଳାମାନେ ସେମାନଙ୍କ ନିଷ୍ଠା ବଳରେ ପରିବର୍ତ୍ତନକାରୀ ପାଲଟିପାରନ୍ତି।
ଇଣ୍ଟରନ୍ୟାଶନାଲ ୟୁନିୟନ୍‌ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର (ଆଇୟୁସିଏନ୍‌)ର ନାଲି ତାଲିକାରେ ସ୍ଥାନିତ ଗ୍ରେଟର ଆଡଜୁଟାଣ୍ଟ ଷ୍ଟୋର୍କଙ୍କ ପୂର୍ଣ୍ଣବିକଶିତ ଏକକ ପକ୍ଷୀଙ୍କ ସଂଖ୍ୟା ବିଶ୍ୱରେ ୮୦୦ରୁ ୧୨୦୦ ରହିଛି। ସେଥିମଧ୍ୟରୁ ଆସାମରେ (୬୫୦ରୁ ୮୦୦) ଦେଖାଯାଇଥାଆନ୍ତି। ଏମାନେ ସହରାଞ୍ଚଳ ନିକଟବର୍ତ୍ତୀ ଇଲାକାରେ ବାସ କରୁଥିବାରୁ ଶିକାର ଭୟ ଅଧିକ ଥାଏ। ଜନସଂଖ୍ୟା ବୃଦ୍ଧି ଯୋଗୁ ପକ୍ଷୀବସା ଥିବା ଗଛ କଟାଗଲେ ସେମାନଙ୍କ ବାସସ୍ଥଳୀ ନଷ୍ଟ ହୋଇଯାଇଥାଏ। ଅତଏବ ପ୍ରକୃତିର ଗୋଟେ ନିର୍ଦ୍ଦିଷ୍ଟ ପକ୍ଷୀଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ଲାଗି ଜୀବନତମାମ ଲଗାଇ ଦେଇଥିବା ପୂର୍ଣ୍ଣିମାଙ୍କ ଜନ୍ମ ବୋଧହୁଏ ବିଧିପ୍ରଣୀତ ବୋଲି କୁହାଯାଇପାରେ। ଜାତିସଂଘର ‘ଚାମ୍ପିୟନ୍‌ ଅଫ୍‌ ଦି ଆର୍ଥ ୨୦୨୨’ ସମ୍ମାନ ପାଇବା ପୂର୍ବରୁ ସେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। ସମ୍ଭବତଃ ତାଙ୍କୁ ବେଶି ଆନନ୍ଦ ଦେଉଥିବ ତାଙ୍କ ଦ୍ୱାରା ସୃଷ୍ଟ ପକ୍ଷୀ କଲୋନୀରୁ ଅଣ୍ଡାରୁ ଛୁଆ ଫୁଟି ଆକାଶରେ ଉଡ଼ୁଥିବାର ଦୃଶ୍ୟ ଯେତେବେଳେ ସେ ସନ୍ଦର୍ଶନ କରୁଥିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri