Categories: ଖେଳ

ହରେନ୍ଦ୍ର ଆମେରିକା ହକି ଦଳର କୋଚ୍‌ ନିଯୁକ୍ତ

କଲରାଡୋ ସ୍ପ୍ରିଙ୍ଗ୍ସ (ୟୁଏସ୍‌ଏ), ୯ା୪ (ପି.ଟି.)-ଭାରତର ପୂର୍ବତନ ହକି କୋଚ୍‌ ହରେନ୍ଦ୍ର ସିଂ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ) ପୁରୁଷ ହକି ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ୨୦୧୨ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ହରେନ୍ଦ୍ର ୨୦୧୭ରୁ ୨୦୧୮ ପର୍ଯ୍ୟନ୍ତ ଭାରତ ସିନିୟର ପୁରୁଷ ହକି ଦଳର କୋଚ୍‌ ଥିଲେ। ଏହା ପୂର୍ବରୁ ସେ କିଛି ସମୟ ଭାରତୀୟ ମହିଳା ଦଳର ଦାୟିତ୍ୱରେ ଥିଲେ। ଆମେରିକା ହକି ଦଳର କୋଚ୍‌ ଭାବେ ୫୫ବର୍ଷୀୟ ହରେନ୍ଦ୍ରଙ୍କ କାର୍ଯ୍ୟକାଳ ସ୍ପଷ୍ଟ କରାଯାଇ ନାହିଁ। ତେବେ ସେ ତାଙ୍କ କାର୍ଯ୍ୟକାଳ ସମୟରେ ପରିବାର ସହ ଆମେରିକାରେ ରହିବେ। ହରେନ୍ଦ୍ରଙ୍କ ତତ୍ତ୍ୱାବଧାନରେ ଭାରତୀୟ ପୁରୁଷ ହକି ଦଳ ୨୦୧୮ରେ ଓମାନର ମସ୍କଟ୍‌ଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଭୁବନେଶ୍ୱରରେ ୨୦୧୮ରେ ଅନୁଷ୍ଠିତ ପୁରୁଷ ବିଶ୍ୱକପ୍‌ରେ ଭାରତ ୫ମ ସ୍ଥାନ ଅଧିକାର କରିଥିଲା। ପୁରୁଷ ଦଳ ଆହୁରି ମଧ୍ୟ ୨୦୧୮ ଚାମ୍ପିୟନ୍ସ ଟ୍ରଫିରେ ଏକ ରୌପ୍ୟ ଓ ୨୦୧୮ ଏସିଆନ ଗେମ୍ସରେ ଏକ ବ୍ରୋଞ୍ଜ ଜିତିଥିଲା। ହରେନ୍ଦ୍ରଙ୍କ ତତ୍ତ୍ୱାବଧାନରେ ଭାରତୀୟ ମହିଳା ଦଳ ୨୦୧୭ ଏସିଆ କପ୍‌ରେ ଏକ ସ୍ବର୍ଣ୍ଣ ଜିତିଥିଲା। ସେ ଜାତୀୟ ଜୁନିୟର ହକି ଦଳର କୋଚ ଭାବେ ମଧ୍ୟ କାର୍ଯ୍ୟକରିଛନ୍ତି। ୨୦୧୬ରେ ସେ ଭାରତକୁ ପୁରୁଷ ଜୁନିୟର ବିଶ୍ୱକପ୍‌ ଜିତାଇଛନ୍ତି। ଜାତୀୟ ଜୁନିୟର ଓ ସିନିୟର ଦଳଗୁଡ଼ିକୁ ମୋଟ ୩୫୦ରୁ ଅଧିକ ମ୍ୟାଚ ପାଇଁ କୋଚିଂ ଦେଇଛନ୍ତି। ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ଟୁର୍ନାମେଣ୍ଟରେ ସେ ୮ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୯ ବ୍ରୋଞ୍ଜ ଜିତାଇଛନ୍ତି। ହରେନ୍ଦ୍ର କହିଛନ୍ତି, ଅନ୍ତର୍ଜାତୀୟ ହକିରେ ଆମେରିକା ସ୍ଥିତି ସୁଧାରିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ।

Share