Categories: ଖେଳ

ଫିଟ୍‌ନେସ୍‌ କାରଣରୁ ହାର୍ଦ୍ଦିକ ବୋଲିଂ କରିନାହାନ୍ତି: ରୋହିତ

ଦୁବାଇ,୧୦।୧୧(ପି.ଟି.): ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବୋଲିଂ କରିବାକୁ ସହଜ ଅନୁଭବ କରୁନାହାନ୍ତି ବୋଲି ତାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌) ଫାଇନାଲର ଅବ୍ୟବହିତ ପୂର୍ବରୁ କହିଛନ୍ତି। ଚଳିତ ଆଇପିଏଲ୍‌ରେ ହାର୍ଦ୍ଦିକ ବୋଲିଂ କରିନାହାନ୍ତି। ତେବେ ଫିଟ୍‌ନେସ କାରଣରୁ ସେ ବୋଲିଂ କରିନାହାନ୍ତି ବୋଲି ରୋହିତ ସ୍ପଷ୍ଟ କରିଛନ୍ତି। ଯଦି ସେ ସହଜ ଅନୁଭବ କରୁଛନ୍ତି ତା’ହେଲେ ସେ ବୋଲିଂ କରିବାରେ ଅସୁବିଧା ନାହିଁ। କିନ୍ତୁ ସେ ଏବେ ବୋଲିଂ କରିବାକୁ ଆଦୌ ସହଜ ଅନୁଭବ କରୁନାହାନ୍ତି ବୋଲି ରୋହିତ କହିଛନ୍ତି। ସ୍ବାସ୍ଥ୍ୟପ୍ରତି ସେ ଅଧିକ ଧ୍ୟାନ ଦେବା ଉଚିତ। ତେବେ ବ୍ୟାଟିଂରେ ହାର୍ଦ୍ଦିକ ଏଥର ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଦଳରେ ତାଙ୍କର ଗୁରୁତ୍ୱ ରହିଛି। ସେ ମଧ୍ୟ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଦଳ ଯିବ। ଗତବର୍ଷ ହାର୍ଦ୍ଦିକ ଇଂଲଣ୍ଡରେ ପିଠିରେ ଅସ୍ତ୍ରୋପଚାର କରାଇଥିଲେ। ୨୦୧୯ରେ ସେପ୍ଟେମ୍ବରରେ ସେ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ମ୍ୟାଚ୍‌ ଖେଳିଥିଲେ। ସେ ମଧ୍ୟ ଦକ୍ଷିଣ ଆଫ୍ରିକ ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ଥିଲେ। ବାଂଲାଦେଶ, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଟେଷ୍ଟ ସିରିଜ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ ସେ ଖେଳି ନ ଥିଲେ ଓ ପୂରା ନ୍ୟୁଜିଲାଣ୍ଡ ଗସ୍ତ ମଧ୍ୟ କରି ନ ଥିଲେ।

Share