ଦୁର୍ଗମ ପଥ, ଦୁର୍ଦ୍ଧର୍ଷ ପଥିକ

ଜୀବିତାବସ୍ଥାରେ ଓଡ଼ିଶାର ଯେଉଁ ଦୁଇଜଣ ଯୋଗଜନ୍ମାଙ୍କୁ କିମ୍ବଦନ୍ତୀ ପୁରୁଷ ହେବାର ସୌଭାଗ୍ୟ ମିଳିଛି, ସେମାନଙ୍କ ଭିତରୁ ଜଣେ ହେଲେ ଉତ୍କଳଗୌରବ ମଧୁସୂଦନ ଦାସ ବା ମଧୁବାବୁ ଓ ଅନ୍ୟ ଜଣେ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁବାବୁ। ମଧୁବାବୁ ଥିଲେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ପ୍ରାଣପ୍ରତିଷ୍ଠାତା। ବିଜୁବାବୁ ହେଉଛନ୍ତି ଆଧୁନିକ ଓଡ଼ିଶାର ନିର୍ମାତା। ମଧୁବାବୁଙ୍କ ପରେ ବିଜୁବାବୁ ଥିଲେ ଓଡ଼ିଆ ସ୍ବାଭିମାନର ପ୍ରତୀକ, ଓଡ଼ିଶାର ପ୍ରାଣ ଓ ଚେତନା। ଦୁଃସାହସ ଥିଲା ତାଙ୍କ ଚରିତ୍ରର ବିଶେଷତ୍ୱ। ବାସ୍ତବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ପରେ ବିଜୁବାବୁ ହେଉଛନ୍ତି ଓଡ଼ିଶା ମାଟିର ବରପୁତ୍ର, ଯାହାଙ୍କ ସାହସିକତାକୁ ନେଇ ଗର୍ବ ଅନୁଭବ କରେ ପ୍ରତ୍ୟେକ ଓଡ଼ିଆ। ପିଲାଟି ଦିନରୁ ସେ ଥିଲେ ଦୁର୍ଗମ ପଥର ଦୁର୍ଦ୍ଧର୍ଷ ଯାତ୍ରୀ। ପଡ଼ିଆରେ ଫୁଟ୍‌ବଲ୍‌ ଖେଳିବାଠାରୁ ଆକାଶରେ ବିମାନ ଉଡ଼େଇବା ପର୍ଯ୍ୟନ୍ତ ସବୁଥିରେ ସେ ଥିଲେ ସାହସୀ, ଧୁରନ୍ଧର ଓ ଅନନ୍ୟ। ତାଙ୍କ ଦୁଃସାହସିକତା, ନିର୍ଭୀକତା ଓ ଦେଶପ୍ରେମକୁ କେନ୍ଦ୍ରକରି ଗଢ଼ିଉଠିଛି ଅନେକ କଥା, କାହାଣୀ ଓ କିମ୍ବଦନ୍ତୀ।
୧୯୨୩ ମସିହା କଥା। ବିଜୁଙ୍କୁ ସେତେବେଳେ ବୟସ ମାତ୍ର ୭ ବର୍ଷ। ହଠାତ୍‌ ଦିନେ ପେଟରେ ଅନୁଭବ କଲେ ଯନ୍ତ୍ରଣା। ଦିନକୁ ଦିନ ଯନ୍ତ୍ରଣା ବଢ଼ିଲେ ବି ଏହା ଅସହ୍ୟ ହେବା ପର୍ଯ୍ୟନ୍ତ କାହାକୁ କିଛି ନ କହି ଲୁଚେଇ ରଖିଲେ ନିଜ ଭିତରେ। ଶେଷରେ ପରିସ୍ଥିତି ଏଭଳି ହେଲା ଯେ ତାଙ୍କ ଯନ୍ତ୍ରଣା ଦେଖି ସ୍ତବ୍ଧ ହୋଇପଡ଼ିଲେ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ଦେବୀ। ଡାକ୍ତରଖାନା ନେବାରୁ ଜଣାପଡ଼ିଲା ଆପେଣ୍ଡିସାଇଟ୍‌ସ ଫାଟିଯାଇଛି ଏବଂ ଏଥିପାଇଁ ତୁରନ୍ତ ଅପରେଶନ ଦରକାର। ମାତ୍ର ତତ୍କାଳ ନିଶ୍ଚେତକ ବ୍ୟବସ୍ଥା ଉପଲବ୍ଧ ହୋଇ ନ ପାରିବାରୁ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲେ ଡାକ୍ତର। କାରଣ ବିନା ନିଶ୍ଚେତକରେ ଅସ୍ତ୍ରୋପଚାର କଲେ ପିଲା କଷ୍ଟ ସହିପାରିବ କି ନାହିଁ, ତାହା ହିଁ ଥିଲା ଚିନ୍ତାର ବିଷୟ। ବାଳକ ବିଜୁ ଡାକ୍ତରଙ୍କ ଆଶଙ୍କାକୁ ଅନୁଭବ କରି ସଙ୍ଗେସଙ୍ଗେ କହିଲେ ଆପଣ ଅପରେଶନ କରନ୍ତୁ, ମୁଁ ପ୍ରସ୍ତୁତ। ସେଦିନ ବିନା ନିଶ୍ଚେତକରେ ଅପରେଶନ ହେଲା ଏବଂ ସବୁ କଷ୍ଟ ସହିନେଲେ ବିଜୁ। ଅପରେଶନ କରିଥିବା ଇଂରେଜ ଡାକ୍ତର ମ୍ୟାଦର ଓନିଲ୍‌ ଆଶ୍ଚର୍ଯ୍ୟ ହୋଇ ସେହିଠାରେ ବିଜୁଙ୍କୁ ସମ୍ବୋଧନ କରି କହିଥିଲେ, ‘ବ୍ରେଭ୍‌ ଆଣ୍ଡ ଡେୟାରିଂ ବୟ।’
୧୯୩୨ ମସିହାର କଥା। ସେତେବେଳେ ସେ ରେଭେନ୍ସା କଲେଜର ବିଜ୍ଞାନ ଛାତ୍ର। ବୟସ ମାତ୍ର ଷୋହଳ। ମୁଣ୍ଡକୁ ଘାରିଲା କଟକରୁ ପେଶାୱର(ବର୍ତ୍ତମାନ ପାକିସ୍ଥାନରେ ଅବସ୍ଥିତ) ପର୍ଯ୍ୟନ୍ତ ପ୍ରାୟ ୪ହଜାର ୫ଶହ ମାଇଲ ଦୁଃସାହସିକ ସାଇକେଲ ଯାତ୍ରାର ନିଶା। ଘରେ ସମସ୍ତେ ଆଶ୍ଚର୍ଯ୍ୟ। ବନ୍ଧୁବାନ୍ଧବ, ସାଇପଡ଼ିଶା ତାଜୁବ୍‌। ହେଲେ ବିଜୁଙ୍କ ଜିଦ୍‌ ଆଗରେ ହାର୍‌ ମାନିଲା ସମସ୍ତଙ୍କ ବାରଣ। ମେ’ ୧ ତାରିଖ ଖରାଛୁଟିରେ ବନ୍ଧୁ ଅମର ଦେ ଓ ଭ୍ରମରବର ସାହୁଙ୍କୁ ସାଙ୍ଗରେ ନେଇ ଆରମ୍ଭ ହେଲା ପେଶାୱର ଯାତ୍ରା। ବଣଜଙ୍ଗଲ ଓ ପାହାଡ଼ିଆ ଦୁର୍ଗମ ରାସ୍ତା ଅତିକ୍ରମ କରି ସେମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଥିଲେ ଦୀର୍ଘ ୩୫ ଦିନର କଷ୍ଟସାଧ୍ୟ ଯାତ୍ରା ପରେ।
୧୯୪୭, ଜୁଲାଇ ୨୩ ବର୍ଷାଭିଜା ସକାଳ। କଲିକତା ଏୟାରପୋର୍ଟରୁ ଉଡ଼ିବାକୁ ପ୍ରସ୍ତୁତ ହେଉଥାଏ ଏକ ପୁରୁଣା ଡାକୋଟା ବିମାନ। ଆକାଶରେ ଚାଲିଥାଏ ମାଳ ମାଳ ଭସା ବାଦଲଙ୍କ ଲୁଚକାଳି ଖେଳ। ଧୀରେ ଧୀରେ ବଢୁଥାଏ ପବନର ବେଗ। ପାଇଲଟ୍‌ଙ୍କୁ ସତର୍କ କରାଇଦେବା ଉଦ୍ଦେଶ୍ୟରେ କେହି ଜଣେ ପଛରୁ କହିଲେ ଝଡ଼ ଆସୁଛି। ପିଲାଟିବେଳୁ ବିପଦ ସହ ଖେଳିବାକୁ ଭଲ ପାଉଥିବା ପାଇଲଟ୍‌ ଜଣକ ଏହାକୁ ଭୂ୍ରକ୍ଷେପ କରିବା ପରିବର୍ତ୍ତେ ଖୁବ୍‌ ହାଲ୍‌କା ଭାବେ ଗ୍ରହଣ କରି କହିଲେ, ବିଜୁର ଜାହାଜ ଉଡ଼େ ଝଡ଼ ଉପରେ। ତା’ପରେ ବିମାନ ଧରି ଉଡ଼ିଗଲେ ଆକାଶର ମଥାନ ଉପରକୁ। ଆଜୀବନ ବିପଦକୁ ବେଖାତିର କରି ଝଡ଼ ଉପରେ ଉଡୁଥିବା ସେହି ପାଇଲଟ୍‌ ଜଣକ ଥିଲେ ବିଜୁ ପଟ୍ଟନାୟକ। ସାଧାରଣତଃ ଅନ୍ୟ ପକ୍ଷୀମାନେ ଝଡ଼ର ସୂଚନା ପାଇବା ମାତ୍ରେ ଉଡ଼ିଯାଆନ୍ତି ନିରାପଦ ସ୍ଥାନକୁ। ମାତ୍ର ଝଡ଼ ଆସୁଛି ଜାଣି ମଧ୍ୟ ଆକାଶରେ ନିର୍ଭୟରେ ଉଡ଼େ ଇଗଲ୍‌। ଝଡ଼ର ବେଗ ଯେତିକି ବଢ଼େ, ସେତିକି ସେତିକି ଉପରକୁ ଉଡ଼େ ଇଗଲ୍‌ର ଡେଣା। ସେଦିନ ଠିକ୍‌ ସେହି ଇଗଲ୍‌ ପରି ଝଡ଼ ବତାସକୁ ଫୁତ୍‌କାରରେ ଉଡ଼େଇଦେଇ ବିଜୁ ପଟ୍ଟନାୟକ ଉଡ଼ିଯାଇଥିଲେ କଲିକତାରୁ ଜାଭା। ସେଠାରେ ଡଚ୍‌୍‌ ସେନା ଆଖିରେ ଆଙ୍ଗୁଠି ଗେଞ୍ଜି ଇଣ୍ଡୋନେସିଆର ଦୁଇ ତୁଙ୍ଗନେତା ସୁତନ ସହରିତ୍‌ ଓ ମହମ୍ମଦ ହାଟ୍ଟାଙ୍କୁ ବିମାନରେ ବସାଇ ଉଡ଼େଇ ଆଣିଥିଲେ ନୂଆଦିଲ୍ଲୀ। ଠିକ୍‌ ସେମିତି ରେଙ୍ଗୁନ ମାଟିରେ ବନ୍ଦୀହୋଇ ରହିଥିବା ବ୍ରିଟିଶ ନାଗରିକମାନଙ୍କୁ ସେ ଜାପାନୀ ଶତ୍ରୁଙ୍କ କବଳରୁ ମୁକୁଳେଇ ଆଣିଥିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ। ଡଚ୍‌ ଆକ୍ରମଣ ବେଳେ ନିଜ ଜୀବନକୁ ଭ୍ରୂକ୍ଷେପ ନ କରି ସୋଭିଏଟ୍‌ ରୁଷିଆର ସୈନ୍ୟମାନଙ୍କୁ ଯୋଗାଇଥିଲେ ଲଢ଼େଇ ଅସ୍ତ୍ରଶସ୍ତ୍ର। ସେ ହିଁ ଥିଲେ ଭାରତର ପ୍ରଥମ ପାଇଲଟ୍‌, ଯିଏ ଅଶାନ୍ତ କଶ୍ମୀର ଉପତ୍ୟକାରେ ଅବତରଣ କରେଇ ପାରିଥିଲେ ଯୁଦ୍ଧ ବିମାନ। ତାଙ୍କ ନାମ ସହିତ ଯୋଡ଼ିହୋଇ ରହିଛି ୧୯୬୨ ଚାଇନା ଆକ୍ରମଣ ବେଳେ ବରଫାବୃତ୍ତ ଦୁର୍ଗମ ଅଞ୍ଚଳରେ ଲଢୁଥିବା ଭାରତୀୟ ସୈନ୍ୟଙ୍କ ପାଖରେ ଖାଦ୍ୟସାମଗ୍ରୀ ପହଞ୍ଚାଇପାରିବା ଭଳି ଅନେକ ଦୁଃସାହସିକ ଘଟଣା, ଯେଉଁ ଘଟଣାସବୁକୁ ବିଶ୍ୱାସ କରିହୁଏନି ସହଜରେ। ପ୍ରବାଦ ପରି ଲାଗେ।
୧୯୪୨ ଭାରତ ଛାଡ଼ ଆନ୍ଦୋଳନ ବେଳେ ଡାଲ୍‌ମିଆ ଜୈନ ଏୟାରୱେଜ୍‌ର ମୁଖ୍ୟ ପାଇଲଟ୍‌ ଥିବା ବିଜୁ ପଟ୍ଟନାୟକ ବହନ କରିଥିଲେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବାର ଦାୟିତ୍ୱ। ତାଙ୍କର ସାହସିକତା ଯୋଗୁ ଅରୁଣା ଆସଫ୍‌ ଅଲ୍ଲୀ, ଜୟପ୍ରକାଶ ନାରାୟଣ, ଅଚ୍ୟୁତ ପଟବର୍ଦ୍ଧନଙ୍କ ଭଳି ନେତାମାନେ ବିଭିନ୍ନ ସ୍ଥାନରେ ପହଞ୍ଚତ୍ ପାରିଥିଲେ ନିରାପଦରେ।
ବ୍ରିଟିଶ୍‌ ବିରୋଧୀ କାର୍ଯ୍ୟକଳାପ ପାଇଁ ୧୯୪୩ ରେ ବନ୍ଦୀହୋଇ ଜେଲରେ ଥିବା ବିଜୁବାବୁ ପାରୋଲରେ ଆନନ୍ଦଭବନ ଫେରିଥିଲେ ୨ ବର୍ଷ ପରେ। ସେତେବେଳେ ସେ ସମ୍ପୂର୍ଣ୍ଣ ନିଃସ୍ବ କହିଲେ ଚଳେ। ଅଥଚ ତାଙ୍କୁ ଘାରିଲା ଶିଳ୍ପାୟନ ମାଧ୍ୟମରେ ଓଡ଼ିଶାର ଦାରିଦ୍ର୍ୟ ଦୂର କରିବାର ନିଶା। ସେତେବେଳେ ଚୌଦ୍ୱାର ଥିଲା ଟାଙ୍ଗରା ଭୂଇଁ। ରାସ୍ତାଘାଟର ସୁବିଧା ନ ଥିଲା ଗମନାଗମନ ପାଇଁ। ସେଇ ଅପନ୍ତରା ଟାଙ୍ଗରା ଭୂଇଁରେ ସେ ପ୍ରତିଷ୍ଠା କଲେ ଆଧୁନିକ ଲୁଗାକଳ।
ବିଜୁବାବୁଙ୍କ ପ୍ରଥମ ମୁଖ୍ୟମନ୍ତ୍ରିତ୍ୱ ସମୟ, ଅର୍ଥାତ୍‌ ୧୯୬୧-୬୨ ମସିହାର ଘଟଣା। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଥାଏ ହୀରାକୁଦ ବନ୍ଧ ଭାଙ୍ଗିଯିବାର ଆଶଙ୍କା। ହୀରାକୁଦ ବନ୍ଧ ଭାଙ୍ଗିଲେ ଭାସିଯିବ କଟକ ସହର। ସାରା ସହରବାସୀଙ୍କୁ ଆଚ୍ଛନ୍ନ କରି ରଖିଥାଏ ଏହି ଆଶଙ୍କା ଓ ଆତଙ୍କ। ଖବର ପହଞ୍ଚତ୍ଲା ବିଜୁବାବୁଙ୍କ ପାଖରେ। ସେ ସହସା ଆସି ପହଞ୍ଚତ୍ଗଲେ କଟକ ରେଳଷ୍ଟେଶନରେ। ଷ୍ଟେଶନର ଇନ୍‌କ୍ୱାରି ରୁମ୍‌ର ମାଇକ୍‌ ସାମ୍ନାକୁ ଯାଇ ସହରବାସୀଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରିଦେଲେ ଉଦ୍‌ବୋଧନ। ତାଙ୍କର ବକ୍ତବ୍ୟ ଥିଲା- ‘ମୁଁ ବିଜୁ ପଟ୍ଟନାୟକ କହୁଛି, ବନ୍ଧ ବିଲ୍‌କୁଲ ଭାଙ୍ଗିବନାହିଁ। ଯଦି ଇଞ୍ଜିନିୟରମାନଙ୍କ କଥାକୁ ବିଶ୍ୱାସ କରୁଛ, ତା’ହେଲେ ଗଛ, ପାହାଡ଼, ମୁଣ୍ଡିଆ ଯାହା ପାଉଛ ଚଢ଼ିଯାଅ। ଉଚ୍ଚ ଜାଗାକୁ ପଳେଇଯାଅ। ଯଦି ମୋ କଥା ମାନୁଛ, ତେବେ ନିଶ୍ଚିନ୍ତରେ ଯାଇ ଘରେ ଶୋଇପଡ଼।’ ଆଶ୍ଚର୍ଯ୍ୟର କଥା ହେଲା, ସେଦିନ ବିଜୁବାବୁଙ୍କ କଥା ମାନି ସାହସ ବାନ୍ଧିଥିଲେ ସହରବାସୀ। ବିଜୁବାବୁଙ୍କ ଆକଳନ ଅନୁସାରେ ହୀରାକୁଦ ବନ୍ଧ ଭାଙ୍ଗି ନ ଥିଲା ଏବଂ ଭୁଲ୍‌ ପ୍ରମାଣିତ ହେଲା ଇଞ୍ଜିନିୟରମାନଙ୍କ ଆଶଙ୍କା।
ଏହା ହିଁ ତାଙ୍କ ଭଳି ଜଣେ ରାଷ୍ଟ୍ରନାୟକଙ୍କ ବ୍ୟକ୍ତିତ୍ୱର ଅସଲ ପରିଚୟ। ସେ ପରିଚୟ କେବଳ ଓଡ଼ିଶାରେ କାହିଁକି, ସମଗ୍ର ଭାରତବର୍ଷରେ ବିରଳ। ନିଜ ସାହସିକତା ସମ୍ପର୍କରେ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି- ବିଶ୍ୱବିଖ୍ୟାତ ନେପୋଲିୟନ ହେଉଛନ୍ତି ତାଙ୍କର ଆଦର୍ଶ ପୁରୁଷ, ଯିଏ କହୁଥିଲେ ଅସମ୍ଭବ ବୋଲି କୌଣସି ଶବ୍ଦ ତାଙ୍କ ଅଭିଧାନରେ ନାହିଁ। କଥାରେ ଅଛି-ରାଜା ସିନା ପୂଜା ପାଏ ଆପଣା ଦେଶରେ, କବି ପୂଜା ପାଉଥାଏ ଦେଶ ବିଦେଶରେ। କିନ୍ତୁ ଏହି ଉକ୍ତିକୁ ଅସମ୍ପୂର୍ଣ୍ଣ ପ୍ରମାଣିତ କରିଦେଇଛି ବିଜୁ ପଟ୍ଟନାୟକଙ୍କ ତ୍ୟାଗ ଓ ସାହସିକତା। ସେ କବି ନ ଥିଲେ ଅଥଚ ପୂଜା ପାଇଛନ୍ତି ନେପାଳ, ଇଣ୍ଡୋନେସିଆ ଓ ରୁଷିଆ ଆଦି ଦେଶରେ। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ତାଙ୍କୁ ମିଳିଥିଲା ୨୧ ତୋପ ସଲାମି ସହ ଭୂମିପୁତ୍ର ଉପାଧି। ସୋଭିଏଟ୍‌ ରୁଷ୍‌ରୁ ପାଇଥିଲେ ସେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍‌ ଲେଲିନ୍‌।’ ସେ କହୁଥିଲେ-ପଢ଼ିବା ନୁହେଁ, ଇତିହାସ ଗଢ଼ିବା ତାଙ୍କର ଲକ୍ଷ୍ୟ। ୧୯୧୬, ମାର୍ଚ୍ଚ ୫ରେ ଜନ୍ମଗ୍ରହଣ କରି ଅନେକ ଇତିହାସ ରଚିଥିବା ଏହି ପ୍ରବାଦପୁରୁଷଙ୍କ ଜୀବନଦୀପ ୧୯୯୭, ଏପ୍ରିଲ୍‌ ୧୭ ତାରିଖରେ ଲିଭିଗଲା ସତ, କିନ୍ତୁ ଜାତୀୟତାର ହୃତ୍‌ପିଣ୍ଡରେ ସେ ସ୍ପନ୍ଦନ ହୋଇ ରହିଗଲେ କାଳ କାଳ ପାଇଁ।

  • ଡ. ପ୍ରଫୁଲ୍ଲ କୁମାର ସାହୁ
    ବିଜୁ ପଟ୍ଟନାୟକ ନଗର, ଭଦ୍ରକ
    ମୋ:୬୩୭୧୬୪୨୪୬୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri