କଷ୍ଟ ଦେଉଥିବା ଖୁସି

ସମସ୍ତଙ୍କ ଜୀବନ ହସଖୁସିରେ ଭରିଯାଉ ଏକଥା କିଏ ବା ନ ଚାହେଁ। ତା’ଛଡା ମଣିଷ ଜୀବନର ସଂକ୍ଷିପ୍ତ ଅବଧିକୁ ହସଖୁସିରେ ଅତିବାହିତ କରିବାଟା ସବୁ ଦୃଷ୍ଟିରୁ ଶ୍ରେୟସ୍କର ବୋଲି କେତେକେ ବି ମତ ରଖନ୍ତି। ତେବେ ଖୁସି ହେବା ବା ଖୁସିରେ ରହିବାଟା ଏକାନ୍ତ ବ୍ୟକ୍ତିଗତ ଓ ଏହା ସଂପୂର୍ଣ୍ଣ ଭାବେ ନିଜର ମାନସିକତା ଉପରେ ନିର୍ଭର କରେ। ଏହା ଆମ ଜୀବନ ଶୈଳୀ, ବିଚାରବୋଧ,ଚିନ୍ତାଧାରା ଓ ସଂସ୍କାର ଉପରେ ପର୍ଯ୍ୟବସିତ ହୋଇଥାଏ। ଅନ୍ୟକୁ ପୀଡ଼ା ବା କଷ୍ଟ ଦେଇ ଖୁସି ହେବାରେ ଗୌରବ କି ବାହାଦୁରି ନ ଥାଏ। ମାତ୍ର ଅନେକ ସମୟରେ ମଣିଷଙ୍କଠାରୁ ପୁଣି ଇତର ପଶୁପକ୍ଷୀଙ୍କୁ ବିଭିନ୍ନ ଉପାୟରେ ପୀଡ଼ା ଦେଇ ଅନେକ ଖୁସି ଅନୁଭବ କରନ୍ତି। ଏଇ ଯେମିତି ମଣିଷଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଦୁଃସାଧ୍ୟ ଓ ବିପଜ୍ଜନକ କାର୍ଯ୍ୟ, ପଶୁପକ୍ଷୀଙ୍କ ଦ୍ୱାରା ବିଭିନ୍ନ ଖେଳ ପ୍ରଦର୍ଶନ ଯଥା-ଷଣ୍ଡ ଲଢ଼େଇ ହେଉ କି ଗଞ୍ଜା ଲଢ଼େଇ ହେଉ ଓ ସେମାନଙ୍କ ମଧ୍ୟରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାକୁ ଉପଭୋଗ କରି ଆମେ ଖୁସି ଅନୁଭବ କରୁ। ମାଙ୍କଡ ନାଚଠାରୁ ପୁଣି ସର୍କସରେ ଜଙ୍ଗଲୀ ପଶୁପକ୍ଷୀଙ୍କ ଦ୍ୱାରା ବିଭିନ୍ନ କ୍ରୀଡ଼ା କୌଶଳ ପ୍ରଦର୍ଶନ ଯାଏ ସବୁକିଛି ମଣିଷକୁ ଖୁସିର ଖୋରାକ ଯୋଗାଇଥାଏ। ମୁକ୍ତ ଓ ଅବାଧରେ ବିଚରଣ କରୁଥିବା ପଶୁପକ୍ଷୀଙ୍କୁ ପିଞ୍ଜରାରେ ରଖି ଅନେକେ ଖୁସି ଲାଭ କରିଥାଆନ୍ତି ସତ ହେଲେ ପଶୁପକ୍ଷୀଙ୍କ ହୃଦୟର ବ୍ୟଥା ଓ ବେଦନାକୁ ସେମାନେ କ’ଣ କେବେ ବୁଝିବାକ୍‌ୁ ଚେଷ୍ଟା କରିଛନ୍ତି ? ବାସ୍ତବିକ ଅନ୍ୟକୁ କଷ୍ଟ ଦେଇ ଖୁସି ଅନୁଭବ କରିବା ବସ୍ତୁତ ଆଦୌ ଖୁସିରେ ଗଣ୍ୟ ନୁହେଁ। ଏକଥା ସତ ଯେ, ଜଞ୍ଜାଳଗ୍ରସ୍ତ ଓ ସଂଘର୍ଷମୟ ଜୀବନରେ ମଣିଷର ଯଦି ଟିକେ ହସଖୁସି ନାହିଁ ତେବେ ସେ ଜୀବନ ଯେମିତି ବୋଝ ସଦୃଶ ସେମିତି ସାମୟିକ ଭାବେ ଅନ୍ୟର ପୀଡ଼ନରୁ ଖୁସି ଅନୁଭବ କରିବା ଏକ ପ୍ରକାର ଅସାମାଜିକତା। ଆଜି ସାମୟିକ ଖୁସି ପ୍ରାପ୍ତିର ଲକ୍ଷ୍ୟରେ ଅନେକ ବିଭିନ୍ନ ମାଦକ ଦ୍ରବ୍ୟ ସେବନ କରୁଛନ୍ତି। ନିଶାଗ୍ରସ୍ତ ଅବସ୍ଥାରେ କେତେକ ବିଭିନ୍ନ ଆପରାଧିକ କାର୍ଯ୍ୟ ବି କରୁଛନ୍ତି। ସେଥିପାଇଁ ଜେଲ ଜରିମାନା ଦଣ୍ଡ ମଧ୍ୟ ଭୋଗୁଛନ୍ତି। ଏମିତି କି ଦୁରାରୋଗ୍ୟର ଶିକାର ହୋଇ ଶେଷରେ ଅକାଳରେ ଜୀବନ ହାରୁଥିଲେ ବି ଜିହ୍ବା ଲାଳସାକୁ ଚରିତାର୍ଥ କରିବାକୁ ଯାଇ ନିଶାକୁ ସାଥୀ କରି ନେଉଛନ୍ତି। ବଜାର ହାଟ ଠାରୁ ବିବାହ, ବ୍ରତାଦି ବିଭିନ୍ନ କାର୍ଯ୍ୟକ୍ରମରେ ମଦ୍ୟପାନ ଓ ନାନା ଲୋଭନୀୟ ଖାଦ୍ୟ ନିଜର ଖୁସି ପାଇଁ ଖାଉଥିଲେ ବି ପରବର୍ତ୍ତୀ ସମୟରେ ଯାହା ଅଖୁସିର କାରଣ ହୋଇଥାଏ ତାହାକୁ ଲୋକେ ଭୁଲି ଯାଉଛନ୍ତି। ଅଯଥାରେ ଅନେକ ଗୁଡ଼ାଏ କଷ୍ଟ ଓ ଯନ୍ତ୍ରଣା ଭିତରେ ଜୀବନ ଅତିବାହିତ କରିଥା’ନ୍ତି। ଆଜିକାଲି ଛୋଟ ଛୋଟ ପିଲାଙ୍କୁ ମୋବାଇଲ ଧରାଇ ଦେଇ ମାତାପିତା ଦାୟିତ୍ୱମୁକ୍ତ ବୋଲି ଭାବିବା ସହ ବହୁତ ଖୁସି ବି ହେଉଛନ୍ତି। ମାତ୍ର ଛୋଟ ପିଲାଏ ମୋବାଇଲ ପଛରେ ପଡ଼ି ପାଠଶାଠ ପ୍ରତି ଅନାଗ୍ରହୀ ହେବା ସହ ସେମାନଙ୍କ ଆଚରଣ ଓ ବ୍ୟବହାରରେ ବି ଅସ୍ବାଭାବିକ ପରିବର୍ତ୍ତନ ଦେଖାଯାଉଛି; ଯାହା କି ସେମାନଙ୍କ ମାତାପିତା ଓ ଅଭିଭାବକଙ୍କୁ କଷ୍ଟ ଦେଉଛି।
ବର୍ତ୍ତମାନ ସମୟରେ ଅନେକ ବାପା ମାଆ ସେମାନଙ୍କ ପିଲାଙ୍କୁ ଗାଡ଼ି ଚଢ଼ିବାର ସୁଯୋଗ ଦେଇ ଖୁସି ଓ ଗର୍ବ ଅନୁଭବ କରୁଛନ୍ତି। ସ୍କୁଲ, କଲେଜରେ ପଢୁଥିବା ନାବାଳକ ଓ ନାବାଳିକା ପିଲାଏ ବେନିୟମ ଭାବେ ସ୍କୁଟି ଓ ବାଇକ ଧରି ରାସ୍ତାରେ ବୁଲୁଛନ୍ତି। ନିଜେ ଦୁର୍ଘଟଣା ଘଟାଉଛନ୍ତି ଓ ଦୁର୍ଘଟଣାର ଶିକାର ବି ହେଉଛନ୍ତି। ଏହାଦ୍ୱାରା ସେମାନଙ୍କ ମାତାପିତା ଉଭୟ ଆର୍ଥିକ ଓ ମାନସିକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତ। ସେହିପରି ବେନିୟମ ଗାଡ଼ି ଚଳାଇବା ଅଭିଯୋଗରେ ପିଲାଏ ଧରାପଡ଼ିଲେ ସେମାନଙ୍କ ମାତାପିତାଙ୍କୁ ଜରିମାନା ଦେବାକୁ ପଡୁଛି। ଗାଡ଼ି ଚଳାଇବାର ଖୁସି ଏମିତି ଅନେକ ସମସ୍ୟାକୁ ଡାକି ଆଣୁଛି। ଆଜିକାଲି ସ୍କୁଲ କଲେଜରେ ପଢୁଥିବା ପିଲାଏ ପିକ୍‌ନିକ୍‌ ଯିବା ଏକ ସାଧାରଣ କଥା ହୋଇଗଲାଣି। ପିକ୍‌ନିକ୍‌ରେ ଯାଇ ଖୁସି କି ମଜା କରିବା ଗର ହିତକର ନୁହେଁ। ମାତ୍ର ଅଗଭୀର ନଈସୁଅରେ ପଶି ଗାଧୋଇବା କିମ୍ବା ବିପଜ୍ଜନକ ସ୍ଥାନରେ ମୋବାଇଲରେ ସେଲଫି ନେବା ଖୁସି ଯେ ବିପଦକୁ ଡାକିଆଣେ ଏହା ସେମାନଙ୍କୁ କିଏ ବୁଝାଇବ ? ଆଜିକାଲି ଏହିଭଳି ଅନେକ ଦୁର୍ଘଟଣା ଘଟିବା ଓ ଧନଜୀବନ ହାନି ହେଉଥିବା ଖବର ସହ ସମସ୍ତେ ପ୍ରାୟ ଅବଗତ। ପର୍ବପର୍ବାଣିଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଶୋଭାଯାତ୍ରା ଏକ ସାଧାରଣ ଘଟଣା ହୋଇଗଲାଣି। ଦେବଦେବୀଙ୍କ ଭସାଣି ଶୋଭାଯାତ୍ରାଠାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଉଚ୍ଚ ଧ୍ୱନି ସୃଷ୍ଟିକାରୀ ସାଉଣ୍ଡ(ଡିଜେ)ର ବ୍ୟବହାର କରାଯାଉଛି। ବିଶେଷକରି ଆଜିର ଯୁବଗୋଷ୍ଠୀଙ୍କର ଏହା ପ୍ରଥମ ପସନ୍ଦ ହୋଇଯାଇଛି। ଏହି ହସଖୁସି ଭିତରେ ଯେଉଁ ଶବ୍ଦ ପ୍ରଦୂଷଣ ହେଉଛି ତାହା ସୁସ୍ଥ ଓ ଅସୁସ୍ଥ ସମସ୍ତଙ୍କ ଶରୀର ଉପରେ କୁପ୍ରଭାବ ପକାଉଛି। ଶ୍ରବଣ ଶକ୍ତିର ହାନି ସହିତ ହୃଦ୍‌ଘାତଜନିତ ରୋଗକୁ ଡାକି ଆଣୁଛି। ଖୁସି ଭିତରେ ଏ ଯେଉଁ କଷ୍ଟ ସେ କଥା କିଏ କ’ଣ କେବେ ଚିନ୍ତା କରିଛି କି ? ଆଜିକାଲି ମାତାପିତା ପିଲାଙ୍କୁ ଦାମୀ ସ୍କୁଲ କଲେଜରେ ପୁଳା ପୁଳା ଟଙ୍କା ଖର୍ଚ୍ଚ କରି ପାଠ ପଢ଼ାଉଛନ୍ତି। ଏମିତି କି ପାଠ ପଢ଼ା ଆରମ୍ଭରୁ ପିଲାଙ୍କୁ ସେମାନଙ୍କ ପାଖରେ ନ ରଖି ଅଧିକ ଭଲ କରିବା ଲକ୍ଷ୍ୟରେ ବୋଡିଂ ସ୍କୁଲରେ ରଖି ନିଜକୁ ଦାୟିତ୍ୱମୁକ୍ତ ମନେକରୁଛନ୍ତି। ଆଉ ପିଲାଙ୍କ ସଫଳତାରେ ଖୁସି ହେଉଛନ୍ତି, ଗର୍ବ ବି ଅନୁଭବ କରୁଛନ୍ତି। ଆରମ୍ଭରୁ ମାତାପିତାଙ୍କ ସ୍ନେହଶ୍ରଦ୍ଧା ଓ ଆକଟରୁ ବଞ୍ଚିତ ପିଲାଏ ସିନା ପାଠପଢ଼ାରେ ପ୍ରଥମ ହେଉଛନ୍ତି ଆଉ ଭଲ କର୍ମସଂସ୍ଥାନ ପାଇ ଭଲ ରୋଜଗାର କରୁଛନ୍ତି ହେଲେ ନୈତିକତାର ଶିକ୍ଷା ଅଭାବରୁ ସ୍ବାର୍ଥପର, ଅହଙ୍କାରୀ ଓ ନୀତିହୀନ ପାଲଟି ଯାଉଛନ୍ତି; ଯାହା କି ପରିଣତ ବୟସରେ ମାତାପିତାଙ୍କୁ କଷ୍ଟ ଦେଉଛି। ତେଣୁ ବର୍ତ୍ତମାନ ସର୍ବସ୍ବ ମଣିଷ ସାମୟିକ ଖୁସି ପାଇଁ ଏମିତି କିଛି ନ କରୁ ଯାହା ପରେ ତା’ର କଷ୍ଟର କାରଣ ସାଜିବ ଏବଂ ସମାଜ ପାଇଁ ମଧ୍ୟ ବିପଦ ଡାକି ଆଣିବ। ଯେଉଁ ଖୁସି ଆତ୍ମସନ୍ତୋଷ ଆଣି ନ ଦେଲା ସେହି ଖୁସିକୁ ଆମେ କ’ଣ ଖୁସି ବୋଲି କହିପାରିବା ?

  • ଯଦୁମଣି ପାଣିଗ୍ରାହୀ
    ଶଂଖିଡ଼ା, ତିହିଡ଼ି, ଭଦ୍ରକ
    ମୋ-୯୯୩୭୫୬୫୫୨୭

Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri