ଦେବାରେ ଆନନ୍ଦ

ପ୍ରକାଶ ତ୍ରିପାଠୀ

ସନ୍ଥ କବିରଙ୍କ ଭାଷାରେ ଯଦି ଘରକୁ ଅଧିକ ଟଙ୍କା ଓ ଡଙ୍ଗାଭିତରକୁ ଅଧିକ ପାଣି ଆସେ ତେବେ ତାହାକୁ ଦୁଇ ହାତରେ ତୁରନ୍ତ ବାହାରକୁ କାଢ଼ନ୍ତୁ। ସନ୍ଥ କବିରଙ୍କ ଏପରି କହିବାର ତାତ୍ପର୍ଯ୍ୟ ହେଲା ନିଜ ରୋଜଗାରରୁ କିଛି କିଛି ଅନ୍ୟକୁ ଦାନ କରନ୍ତୁ ଓ ଚାରିକଡ଼ରେ ଥିବା ଅଭାବୀ ମଣିଷଙ୍କୁ ସାହା ହୁଅନ୍ତୁ। ଏହାଦ୍ୱାରା ଆପଣ ଖୁସିରେ, ଶାନ୍ତିରେ ଓ ନିରାପଦରେ ବଞ୍ଚିପାରିବେ ଯେମିତି ଡଙ୍ଗା ଭିତରକୁ ପଶୁଥିବା ପାଣି କାଢ଼ିଲେ ଆପଣଙ୍କ ଯାତ୍ରା ସୁରକ୍ଷିତ ଓ ସଫଳ ରୁହେ। ଆମ ଭାରତୀୟ ପରମ୍ପରାରେ ଦାନକୁ ଏକ ଶ୍ରେଷ୍ଠ କର୍ମ ଭାବେ ଗ୍ରହଣ କରାଯାଏ। ସେଥିପାଇଁ ବିଭିନ୍ନ ସମୟରେ ଦୁଃଖୀ ଦରିଦ୍ରଙ୍କୁ ଅର୍ଥଦାନ, ଆହାର ଦାନ, ବସ୍ତ୍ରଦାନ, ସ୍ବର୍ଣ୍ଣ ଦାନ, ଭୂମି ଦାନ ଆଦି ପ୍ରଦାନର ବ୍ୟବସ୍ଥା ପ୍ରାଚୀନ ସମୟରୁ ରହିଆସିଛି। ସର୍ବେ ଭବନ୍ତୁ ସୁଖୀନଃ ମହାମନ୍ତ୍ର ମଧ୍ୟ ଏହା ଉପରେ ଆଧାରିତ। ଘର ସମ୍ମୁଖରୁ ଜଣେ ଭିକାରୀ ଖାଲି ହାତରେ ଫେରିଗଲେ ତାହାକୁ ଅମଙ୍ଗଳ ଭାବେ ଧରାଯାଏ । ସେଥିପାଇଁ ରୋଷେଇ ପୂର୍ବରୁ ମୁଠିଏ ଚାଉଳ କଢ଼ାଯାଇ ରଖାଯାଏ ଭିକାରୀଙ୍କ ଉଦ୍ଦେଶ୍ୟରେ; ଯାହାକୁ ମୁଠି ଚାଉଳ କୁହାଯାଏ। କେବଳ ମଣିଷ ନୁହେଁ, ଜୀବଜନ୍ତୁ ଓ ବୃକ୍ଷ ଆଦିଙ୍କୁ ମଧ୍ୟ ଆହାର, ଜଳ ଦାନର ବ୍ୟବସ୍ଥା ରହିଛି। ଜନ୍ମ ବେଳେ କେହି କିଛି ଆଣିକି ଆସି ନ ଥାନ୍ତି କିମ୍ବା ଏ ସଂସାରରୁ ବିଦାୟ ନେବା ବେଳେ କେହି କିଛି ସାଥିରେ ନେଇ ଯାଇ ନ ଥାନ୍ତି। ଈଶ୍ବର ସବୁ କିଛି ସମସ୍ତଙ୍କ ପାଇଁ ଏ ସଂସାରରେ ସାଇତି ରଖିଛନ୍ତି। ତେଣୁ ଈଶ୍ୱରଙ୍କଠାରୁ ଦାନରେ ପାଇଥିବା ଧନ ସମ୍ପତ୍ତି ଅନ୍ୟକୁ ଦେବାରେ କାର୍ପଣ୍ୟ କାହିଁକି। ଏହାକୁ ଯେଉଁ ମାନବମାନେ ବୁଝିପାରିଛନ୍ତି, କାର୍ଯ୍ୟରେ ଲଗାଇଛନ୍ତି ସେମାନେ ମାନବରୁ ମହାମାନବକୁ ପରିବର୍ତ୍ତିତ ହୋଇଛନ୍ତି।
ପ୍ରାଚୀନ ଗ୍ରନ୍ଥ ଅନୁସାରେ ରାଜା ହରିଶଚନ୍ଦ୍ରଙ୍କୁ ଶ୍ରେଷ୍ଠ ଦାନବୀରମାନଙ୍କ ମଧ୍ୟରେ ଗଣାଯାଏ। ଉଲ୍ଲେଖ ରହିଛି ଯେ ସେ ଯେତେବେଳେ ଦୁଇ ହାତରେ ଅନ୍ୟକୁ ଦାନ କରନ୍ତି ସେତେବେଳେ ତାଙ୍କ ନଜର ତଳକୁ ଥାଏ। ଦାନ ଗ୍ରହଣ କରୁଥିବା ମଣିଷକୁ ସେ ଦେଖନ୍ତି ନାହିଁ। ରାଜା ଦାନ ଦେଉଥିବା ବେଳର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗେ। ଲୋକେ ଭାବନ୍ତି, ଏ କେମିତିକା ରାଜା ଯେ ଦାନ ଅର୍ପଣ କରୁଥିବା ବେଳେ ଲଜ୍ଜାରେ ତଳକୁ ମୁହଁ କରିଦେଉଛନ୍ତି। କିନ୍ତୁ ଏହାର କାରଣ ସେମାନେ ରାଜା ହରିଶଚନ୍ଦ୍ରଙ୍କୁ ପଚାରି ପାରୁ ନ ଥାନ୍ତି। ଶେଷରେ କଥା ଗୋସ୍ବାମୀ ତୁଳସୀ ଦାସଙ୍କ ନିକଟରେ ପହଞ୍ଚିଲା। ତୁଳସୀ ଦାସ ଏହାର ରହସ୍ୟ ଜାଣିବା ପାଇଁ ରାଜା ହରିଶଚନ୍ଦ୍ରଙ୍କ ନିକଟକୁ ଏକ ପତ୍ର ଲେଖିଲେ। ସେଥିରେ ମାତ୍ର ଚାରିଧାଡ଼ି ସେ ଲେଖିଲେ। ଏସି ଦେନି ଦେନ ଜୁ , କିତ ଶିଖେ ହୋ ସେନ, ଜୋ ଜୋ କର ଉଁଚୋ କରେଂ, ତ୍ୟୋଂ ତ୍ୟୋଂ ନୀଚେ ନୈନ। ଅର୍ଥାତ୍‌ ତୁଳସୀ ଦାସ ପଚାରିଥିଲେ ଯେ ହେ ରାଜନ, ତୁମେ ଏପରି ଦାନ କାହାଠାରୁ ଶିଖିଛ ଯେ, ତୁମର ହାତ ଦାନ ଦେବା ପାଇଁ ଉପରକୁ ଯେତେ ଯେତେ ଉଠୁଛି, ତୁମର ନଜର, ତୁମର ଆଖି ସେତେ ସେତେ ତଳକୁ ଆସୁଛି। ତୁଳସୀ ଦାସଙ୍କ ପତ୍ର ପଢ଼ି ତାଙ୍କ ନିକଟକୁ ରାଜା ଉତ୍ତର ଦେଲେ। ସେ ଉତ୍ତର ଥିଲା ଭାବର, ବୋଧର ଓ ସମର୍ପଣର। ରାଜା ଲେଖିଲେ ଦେନ ହାର କୋଇ ଔର ହୈ ଭେଜତ ଜୋ ଦିନ ରୈନ, ଲୋଗ ଭରମ ହମ ପର କରେଂ ତାସୋ ନୀଚେ ନୈନ । ଅର୍ଥାତ୍‌ ଦେବାବାଲା ଆଉ ଜଣେ, ସେ ହେଉଛନ୍ତି ପରମାତ୍ମା, ସଭିଙ୍କ ମାଲିକ। ସେ ଦିନରାତି ଆମକୁ ଦେଉଛନ୍ତି। କିନ୍ତୁ ଲୋକେ ଭାବୁଛନ୍ତି ଯେ ମୁଁ (ରାଜା ) ସେମାନଙ୍କୁ ଦେଉଛି। ଏ କଥା ଭାବି ମୋତେ ସରମ ଲାଗୁଛି, ଲାଜ ଲାଗୁଛି ଓ ମୋ ନଜର ତଳକୁ ହୋଇଯାଉଛି।
ପ୍ରଥମେ ଉପରବାଲା ଆମକୁ ଦେଉଛନ୍ତି। ତାହାକୁ ଆମେ ପରେ ଅନ୍ୟକୁ ଦେଉଛୁ। ଯାହା ଆମେ ପାଉ ସେଥିରେ ଆମେ ଜୀବିକା ନିର୍ବାହ କରୁ। କିନ୍ତୁ ଆମେ ଯାହା ଅନ୍ୟକୁ ଦେଉ ସେଥିରେ ଜୀବନ ଗଢୁ । ସାରା ଜୀବନ ଆମେ ଆମର ଆୟ ଓ ବ୍ୟୟର ହିସାବ ନିକାସରେ ଅତିବାହିତ କରୁ। ଆଳସ୍ୟ ଓ ଭୋଗ ବିଳାସରେ ସମୟ କାଟୁ, ହେଲେ ସୁଖ ମିଳିପାରେ ନାହିଁ ଆମକୁ। କେବେ କେମିତି ଅନ୍ୟକୁ ସାହାଯ୍ୟ, ବେସାହାରାକୁ ସାହାରା, ଅଭାବୀଙ୍କୁ ସହାୟତା ଆମ ମନରେ ଅଫୁରନ୍ତ ଖୁସି ଭରିଦିଏ, ଯାହା କି ଅନ୍ୟ ପାର୍ଥିବ ଉପାଦାନରୁ ଆମକୁ ମିଳିପାରି ନ ଥାଏ। ଚାଇନାରେ ଦାନକୁ ନେଇ ଏକ ଲୋକକଥା ରହିଛି। ଯଦି ଆପଣ ଏକ ଘଣ୍ଟା ପାଇଁ ଖୁସି ଚାହୁଁଛନ୍ତି ତେବେ ନିଦରେ ଶୋଇପଡ଼। ଯଦି ଦିନଟିଏ ପାଇଁ ଖୁସି ଚାହୁଁଛ ତେବେ ମାଛ ଧରିବାକୁ ଯାଅ। ଯଦି ସାରା ଜୀବନ ଖୁସିରେ ବଞ୍ଚିବାକୁ ଚାହୁଁଛ ତେବେ ଅନ୍ୟକୁ ସାହାଯ୍ୟ କର। ଆମ ସଂସ୍କୃତିରେ ଧନର ସଦୁପଯୋଗ ପାଇଁ ବାର୍ତ୍ତା ରହିଛି। ଧନର ପ୍ରୟୋଗ ତିନିପ୍ରକାର କରାଯାଏ; ଯେଉଁଥିରେ କି ଦାନକୁ ସର୍ବୋତ୍ତମ ସ୍ଥାନ ମିଳିଛି। ଧନର ଦାନ ବା ତ୍ୟାଗକୁ ମହାନତାର ଆଖ୍ୟା ଦିଆଯାଇଛି। ସେଥିପାଇଁ ଧନଦାନକୁ ପ୍ରାଚୀନ କାଳରେ ଗୁରୁତ୍ୱ ଦିଆଯାଉଥିଲା। ଧନର ଭୋଗକୁ ଦ୍ୱିତୀୟ ସ୍ଥାନ ମିଳିଛି। ଅର୍ଥାତ୍‌ ଆବଶ୍ୟକତା ଅନୁଯାୟୀ ଖାଦ୍ୟ, ବସ୍ତ୍ର ଓ ବାସଗୃହ ତଥା ଅନ୍ୟାନ୍ୟ ସୁଖ ସୁବିଧା ପାଇଁ ଖର୍ଚ୍ଚ ମଧ୍ୟ କରାଯାଇପାରିବ। ତୃତୀୟ ସ୍ଥାନରେ ରହିଛି ଧନ ନାଶ। ଅର୍ଥାତ୍‌ ଆପଣ ଧନକୁ ଦାନ କରିବେ ନାହିଁ, ନିଜ ପାଇଁ ଖର୍ଚ୍ଚ କରିବେ ନାହିଁ, ତେବେ ତାହା ଧନ ନାଶରେ ଗଣା ହେବ। ସେଥିପାଇଁ ଦାନ, ଖର୍ଚ୍ଚ ଓ ସଞ୍ଚୟ ଭିତରେ ଧନର ସନ୍ତୁଳନ ପାଇଁ ପରାମର୍ଶ ଦିଆଯାଇଛି। ଯଦି କିଛି ପ୍ରାପ୍ତିର ଆଶା ରଖୁଛ, ତେବେ ତା’ ପୂର୍ବରୁ ଅନ୍ୟକୁ ଅର୍ପଣ କରିବା ଶିଖ। ଗୋସ୍ବାମୀ ତୁଳସୀ ଦାସଙ୍କ ଭାଷାରେ ଯେପରି ପକ୍ଷୀଙ୍କ ଶୋଷରେ ନଦୀର ଜଳ ହ୍ରାସ ହୁଏନାହିଁ, ସେହିପରି ଅନ୍ୟକୁ ଦାନ ଦେବାରେ ଧନ ହ୍ରାସ ହୁଏନାହିଁ। ଦାନ ଦେଇ କେହି କେବେ ଗରିବ ହୁଏନାହିଁ। ଦାନ ଦେଇ ତାହାର ପ୍ରଚାର କରନାହିଁ। ଏହାଦ୍ୱାରା ନିଜ ମଧ୍ୟରେ ଅହଂ ଭାବ ଉଦ୍ରେକ ହୁଏ। ସେଥିପାଇଁ କୁହାଯାଏ ଡାହାଣ ହାତରେ ଦେଉଥିବା ଦାନ ଯେପରି ବାମ ହାତକୁ ଜଣା ନ ପଡ଼େ। ଗୀତାରେ କୁହାଯାଇଛି, ବିନା ପ୍ରତ୍ୟାଶାରେ ଦେଶ, କାଳ ଓ ପାତ୍ରକୁ ନ ଦେଖି ଯେଉଁ ଦାନ ଅର୍ପଣ କରାଯାଏ ତାହା ଶ୍ରେଷ୍ଠ ଦାନ। କୋରାନରେ କୁହାଯାଇଛି- ପ୍ରାର୍ଥନା ମନୁଷ୍ୟକୁ ଈଶ୍ୱରଙ୍କ ନିକଟକୁ ଅଧା ରାସ୍ତା ପର୍ଯ୍ୟନ୍ତ ନେଇଯାଏ, ଉପବାସ ଈଶ୍ୱରଙ୍କ ମହଲ ପର୍ଯ୍ୟନ୍ତ ନେଇଯାଏ ଓ ଦାନ ମନୁଷ୍ୟକୁ ଈଶ୍ୱରଙ୍କ ମହଲ ଭିତରକୁ ନେଇଯାଇଥାଏ। ଋକବେଦରେ କୁହାଯାଇଛି, ଯେଉଁ ମନୁଷ୍ୟ ଦାନ-ଦକ୍ଷିଣା ଅର୍ପଣ କରନ୍ତି, ସେମାନେ ସ୍ବର୍ଗ ଲୋକରେ ଉଚ୍ଚ ସ୍ଥାନ ପ୍ରାପ୍ତ ହୁଅନ୍ତି। ଦାନୀ କେବେ ଦୁଃଖୀ ହୁଏ ନାହିଁ କି ତାକୁ ପାପ କେବେ ସ୍ପର୍ଶ କରିପାରେ ନହିଁ। ପ୍ରତ୍ୟେକ ମନୁଷ୍ୟ ନିଜ ଶକ୍ତି ଓ ସାମର୍ଥ୍ୟ ଅନୁସାରେ ଦାନ କରିବା ଉଚିତ। ଯଦିବା ଆପଣ ଦାନ ପାଇଁ ସାମର୍ଥ୍ୟ ନୁହନ୍ତି, କିନ୍ତୁ ଦାନ କରିବାର ଅଭିଳାଷ ଅଛି, ତାହା ମଧ୍ୟ ପୁଣ୍ୟ । ଯେପରି ବାଷ୍ପୀକରଣ ଦ୍ୱାରା ପୃଥିବୀରୁ ଜଳ ଆକାଶକୁ ଯାଇ ପୁନଃ ବର୍ଷା ରୂପେ ପୃଥିବୀକୁ ଫେରିଆସେ, ଠିକ୍‌ ସେହିପରି ସଜ୍ଜନ ମନୁଷ୍ୟ ଯାହା ଗ୍ରହଣ କରନ୍ତି, ତାହା ଦାନ କରିଦିଅନ୍ତି।
ଆମ ଚାରିକଡରେ ଥିବା ଅଭାବୀ ମଣିଷଙ୍କୁ ଦେବା ପାଇଁ ଆମପାଖରେ ଅନେକ ଜିନିଷ ଅଛି। କେବଳ ଦେବାର ମାନସିକତାଟିଏ ଲୋଡ଼ା। ଯଦି କାହା ପାଖରେ ଦେବାପାଇଁ କିଛିପାର୍ଥିବ ବସ୍ତୁ ନାହିଁ ତେବେ ସେମାନେ ସେମାନଙ୍କର ସମୟ, ଜ୍ଞାନ, ପ୍ରେମ, ସ୍ନେହ, ସହଯୋଗ ମଧ୍ୟ ଦେଇପାରିବେ। ଜଣେ ବ୍ୟକ୍ତି ବସ୍‌ରେ ଯିବାବେଳେ ପ୍ରତିଦିନ ନିଜର ବସିବା ଜାଗାଟିକୁ ପାଖରେ ଠିଆ ହୋଇଥିବା ଲୋକକୁ ବସିବାକୁ ଦେଇ ନିଜେ ଠିଆ ହୋଇ ଯାତ୍ରା କରନ୍ତି । ଯଦିବା ଯାତ୍ରା ସମୟରେ କେଉଁଠି ସିଟ୍‌ଟିଏ ଖାଲି ହୁଏ, ସେ ବସି ତ ପଡ଼ନ୍ତି, ମାତ୍ର ପରମୁହୂର୍ତ୍ତରେ କେହି ଯଦି ଠିଆ ହୋଇ ଯାତ୍ରା କରନ୍ତି, ତେବେ ତୁରନ୍ତ ନିଜ ସିଟ୍‌ଟିକୁ ସେହି ବ୍ୟକ୍ତିଙ୍କୁ ଦେଇ ନିଜେ ପୁନର୍ବାର ଠିଆ ହୋଇପଡ଼ନ୍ତି । ଏ ସବୁକୁ ଲକ୍ଷ୍ୟ କରୁଥିଲେ ବସ୍‌ରେ ଯାତ୍ରା କରୁଥିବା ଅନ୍ୟ ଜଣେ ସହୃଦୟ ବ୍ୟକ୍ତି। ଉତ୍ସୁକତାର ସହ ଏହାର କାରଣ ପଚାରିଲେ ସେହି ବ୍ୟକ୍ତିଙ୍କୁ, ଆଉ ଯେଉଁ ଉତ୍ତର ଶୁଣିଲେ ସେଥିରେ ତାଙ୍କ ମୁଣ୍ଡ ସେହି ବ୍ୟକ୍ତିଙ୍କ ଆଗରେ ନଇଁଗଲା। ବ୍ୟକ୍ତିଙ୍କ ଉତ୍ତର ଥିଲା ଏହିପରି। ମୁଁ ଜଣେ ଅଭାବୀ ମଣିଷ। ମୋ ପାଖରେ ଅନ୍ୟକୁ ଦେବାଭଳି ଅର୍ଥ ବା ସେଭଳି କିଛି ସାମଗ୍ରୀ ନାହିଁ। ଦେବାରେ ଯେଉଁ ଆନନ୍ଦ ମିଳେ ତାହା ଦେବାବାଲା ହିଁ ଜାଣେ। ତେଣୁ ବସ୍‌ରେ ଯିବାବେଳେ ବସିବାର ଆବଶ୍ୟକତା କରୁଥିବା ମଣିଷଙ୍କୁ ନିଜ ସିଟ୍‌ରେ ବସିବାକୁ ଦେଇ ମୁଁ ସେହି ଆନନ୍ଦ ଟିକେ ପାଉଛି। ବାଃ, କି ମହତ୍‌ ଭାବନା। ବାସ୍ତବରେ ଯେଉଁ ଆନନ୍ଦ ଦେବାରେ ଥାଏ, ତାହା ଅନ୍ୟ କେଉଁଠାରେ ନ ଥାଏ। ଯେଉଁମାନେ ଏହା ଉପଲବ୍ଧି କରିଛନ୍ତି ସେମାନେ ସାରା ଜୀବନ ଖୁସି ଓ ଆନନ୍ଦରେ ରହିପାରିଛନ୍ତି।
ମୋ-୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri