Categories: ଖେଳ

ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରୀ: ଘରକୁ ଫେରିଲେ ଇଶାନ ପୋରେଲ

ନୂଆଦିଲ୍ଲୀ,୨।୧୨(ପି.ଟି.): ଉଦୀୟମାନ ବେଙ୍ଗଲ ଦ୍ରୁତ ବୋଲର ଇଶାନ ପୋରେଲ ଅଷ୍ଟ୍ରେଲିଆରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନେଟ୍‌ରେ ଅଭ୍ୟାସ କରୁଥିବା ବେଳେ ସେ ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରିର ଶିକାର ହୋଇଥିଲେ। ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ପହଞ୍ଚିବା ପରେ ତାଙ୍କ ଇଞ୍ଜୁରିର ଠିକ ଆକଳନ ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଟି. ନଟରାଜନ ଭାରତୀୟ ଦଳରେ ସାମିଲ ହେବା ପରେ ଉତ୍ତର ପ୍ରଦେଶର କାର୍ତ୍ତିକ ତ୍ୟାଗୀ ଏକମାତ୍ର ନେଟ୍‌ ବୋଲର ଭାବେ ଅଷ୍ଟ୍ରେଲିଆରେ ରହିଛନ୍ତି। ପ୍ରଥମେ ପୋରେଲ, ତ୍ୟାଗୀ, ନଟରାଜନ ଓ କମଳେଶ ନାଗରକୋଟିଙ୍କୁ ନେଟ୍‌ ବୋଲର ଭାବେ ଅଷ୍ଟ୍ରେଲିଆ ଗସ୍ତରେ ସାମିଲ କରାଯାଇଥିଲା। ତେନେ ନାଗରକୋଟି ଅତ୍ୟଧିକ କାର୍ଯ୍ୟଭାର କାରଣରୁ ବାଦ୍‌ ପଡିଥିଲେ। ପୋରେଲ କିଙ୍ଗ୍ସ ଇଲେଭେନ ପଞ୍ଜାବ ତରଫରୁ ଆଇପିଏଲ ଖେଳିଥିଲେ। ରଣଜୀ ଟ୍ରଫି, ଦୁଲୀପ ଟ୍ରଫି, ନୁଜିଲାଣ୍ଡ ଗସ୍ତରେ ଭାରତ ଏ’ ଦଳ ତରଫରୁ ପ୍ରତିନିଧିତ୍ୱ କରି ଦମ୍‌ଦାର ପ୍ରଦର୍ଶନ କରିଥିଲେ ଓ ନେଟ୍‌ ବୋଲର ଭାବେ ଦଳରେ ସାମିଲ ହୋଇଥିଲେ। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ (୨୦୧୮) ପରେ ସେ ଆହତ ହୋଇ ଦୀର୍ଘଦିନ ଧରି ବିଶ୍ରାମ ନେଇଥିଲେ।

Share