Categories: ଖେଳ

ହାମିଲଟନ ଜିତିଲେ ସ୍ପାନିଶ୍‌ ଗ୍ରାଁ ପ୍ରି

ମୋଣ୍ଟମେଲୋ (ସ୍ପେନ),୧୦।୫: ବ୍ରିଟେନର ମର୍ସିଡିଜ୍‌ ଡ୍ରାଇଭର ଲୁଇସ ହାମିଲଟନ ସ୍ପାନିଶ୍‌ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ରେସ୍‌ରେ ହାମିଲଟନ ପ୍ରତିଦ୍ୱନ୍ଦ୍ୱୀ ରେଡ୍‌ ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ଙ୍କୁ ମାତ୍ର ୧୫.୮୪୧ ସେକେଣ୍ଡରେ ପଛରେ ପକାଇ ଦେଇଛନ୍ତି। ହାମିଲଟନଙ୍କ ଟିମ୍‌ମେଟ୍‌ ଭାଲଟେରି ବୋଟ୍ଟାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଫଳରେ ଏହି ତିନି ପ୍ରତିଯୋଗୀ ଯଥାକ୍ରମେ ୨୫, ୧୯ ଓ ୧୫ ପଏଣ୍ଟ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫେରାରୀର ଚାଲର୍‌ସ ଲେକ୍‌ରେକ୍‌, ରେଡ୍‌ବୁଲ୍‌ର ସର୍ଗିଓ ପେରେଜ, ମ୍ୟାକଲରେନର ଡାନିଏଲ ରିକାର୍ଡୋ, ଫେରାରୀର କାର୍ଲୋସ ସିଞ୍ଜ୍‌ ଜୁନିୟର, ମ୍ୟାକ୍‌ଲରେନର ଲାନ୍‌ଡୋ ନୋରିସ, ଆଲ୍‌ପାଇନ୍‌ର ଇଷ୍ଟୋବେନ୍‌ ଓକନ ଏବଂ ଆଲ୍‌ଫା ଟୋରୀର ପିଏରେ ଗାସ୍‌ଲେ ଟପ୍‌-୧୦ ଫିନିସ୍‌ କରିଛନ୍ତି। ଫଳରେ ଏହି ଡ୍ରାଇଭରମାନଙ୍କୁ ଯଥାକ୍ରମେ ୧୨, ୧୦, ୮, ୬, ୪, ୨ ଓ ୧ ପଏଣ୍ଟ ମିଳିଛି। ଏଠାରେ ବିଜୟ ଫଳରେ ହାମିଲଟନ ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ମଧ୍ୟ ନିଜ ସ୍ଥାନକୁ ଅଧିକ ଦୃଢ଼ କରିଛନ୍ତି। ହାମିଲଟନଙ୍କ ପଏଣ୍ଟ ସଂଖ୍ୟା ୯୪ରେ ପହଞ୍ଚତ୍ଥିବାବେଳେ ଭର୍ଷ୍ଟାପେନ ୮୦ ପଏଣ୍ଟରେ ରହିଛନ୍ତି। ବୋଟ୍ଟାସ ୪୭ ଓ ନୋରିସ ୪୧ ପଏଣ୍ଟ ପାଇଛନ୍ତି। ସେହିପରି କନ୍‌ଷ୍ଟ୍ରକ୍ଟର୍ସ ଷ୍ଟାଣ୍ଡିଂରେ ମର୍ସିଡିଜ୍‌ ୩ ବିଜୟ ସହ ୧୪୧ ପଏଣ୍ଟ ପାଇ ଆଗରେ ରହିଛି। ୧ ବିଜୟ ହାସଲ କରିଥିବା ରେଡ୍‌ବୁଲ୍‌ ୧୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ମ୍ୟାକ୍‌ଲରେନ ୬୫ ଓ ଫେରାରୀ ୬୦ ପଏଣ୍ଟରେ ରହିଛି। ଶନିବାର କ୍ୟାରିୟରର ୧୦୦ତମ ପୋଲ୍‌ ପୋଜିଶନ ପାଇଥିବା ହାମିଲଟନ ଏଠାରେ ଚାମ୍ପିୟନ ହୋଇ ୯୮ତମ କ୍ୟାରିୟର ବିଜୟ ହାସଲ କରିଛନ୍ତି। ଏଥିସହ ସେ ୬ଷ୍ଠ ଥରପାଇଁ ସ୍ପାନିଶ୍‌ ଗ୍ରାଁ ପ୍ରି ଜିତି କିମ୍ବଦନ୍ତୀ ରେସର ମାଇକେଲ ସୁମାକରଙ୍କ ସମକକ୍ଷ ହୋଇଛନ୍ତି।

Share