Categories: ଖେଳ

ହାମିଲଟନଙ୍କୁ ୭ମ ବ୍ରିଟିଶ ଗ୍ରାଁ ପ୍ରି ଟାଇଟଲ

ସିଲଭରଷ୍ଟୋନ୍‌, ୩ା୮: ଅନ୍ତିମ ଲାପ୍‌ରେ ଟାୟାର ପଙ୍କ୍‌ଚର ସତ୍ତ୍ୱେ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ରବିବାର ଅନୁଷ୍ଠିତ ବ୍ରିଟିଶ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ଟାଇଟଲ ଜିତିିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୮୭ତମ ଟାଇଟଲ। କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ରେକର୍ଡଠାରୁ ସେ ଆଉ ମାତ୍ର ୪ ବିଜୟ ପଛରେ ରହିଛନ୍ତି। ସିଲଭରଷ୍ଟୋନ୍‌ଠାରେ ଏହି ଚାମ୍ପିୟନଶିପ୍‌ ଲିଡର ତାଙ୍କ ବିଜୟ ରେକର୍ଡ ମଧ୍ୟ ୭କୁ ବୃଦ୍ଧି ପାଇଛି। ରବିବାର ରେସ୍‌ରେ ହାମିଲଟନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରେଡବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କଠାରୁ ୬ସେକେଣ୍ଡ ଆଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରେସ୍‌ ଶେଷ ହେବାକୁ ଆହୁରି ୩ ଲାପ୍‌ ବାକି ରହିଥିବାବେଳେ ହାମିଲଟନଙ୍କ ଟିମ୍‌ମେଟ ଭାଲ୍‌ଟେରି ବୋଟାସଙ୍କ ଚକା ପଙ୍କ୍‌ଚର ହୋଇଯାଇଥିଲା। ଫଳରେ ସେ ୧୧ତମ ସ୍ଥାନ ଅଧିକାର କରିଥିଲେ। ଟାଇଟଲ ରେସ୍‌ରେ ସେ ହାମିଲଟନଙ୍କଠାରୁ ୩୦ ପଏଣ୍ଟ ପଛରେ ରହିଛନ୍ତି। ଭର୍ଷ୍ଟାପେନ୍‌ଙ୍କ ପଛକୁ ତୃତୀୟ ସ୍ଥାନରେ ରହିଥିଲେ ଫେରାରିର ଚାଲର୍‌ସ ଲେକ୍‌ରେକ୍‌। ୪ଥର ଫର୍ମୁଲା ଓ୍ବାନ ଚାମ୍ପିୟନ ସେବାଷ୍ଟିଆନ ଭେଟେଲ ଶ୍ରେଷ୍ଠ ୫ ଭିତରେ ରହିବାରେ ବିଫଳ ହୋଇଛନ୍ତି। ସେ ୧୦ମ ସ୍ଥାନରେ ରହିଥିଲେ। ମ୍ୟାକଲରେନର କାର୍ଲୋସ ସେଞ୍ଜ୍‌ ଜୁନିୟରଙ୍କ ମଧ୍ୟ ଶେଷ ଲାପ୍‌ରେ ପଙ୍କଚର ହୋଇଥିଲା। ସେ ୧୩ ତମ ସ୍ଥାନରେ ରହିଥିଲେ। ଆସନ୍ତା ରବିବାର ସିଲଭରଷ୍ଟାନ୍‌ରେ ଆଉ ଏକ ରେସ୍‌ ଅନୁଷ୍ଠିତ ହେବ। ବ୍ରିଟିଶ ଗ୍ରାଁରେ ରବିବାର ଘଟିଥିବା ମୁଖ୍ୟ ଘଟଣାଗୁଡ଼ିକ ମଧ୍ୟରେ ରେସିଂ ପଏଣ୍ଟ ତରଫରୁ ସର୍ଗିଓ ପେରେଜଙ୍କ ସ୍ଥାନରେ ରେସ୍‌ରେ ଭାଗ ନେବାକୁ ଥିବା ନିକୋ ହକେନବର୍ଗଙ୍କ କାର୍‌ରେ ସମସ୍ୟା ଦେଖା ଦେବାରୁ ସେ ରେସ୍‌ରେ ସାମିଲ ହୋଇ ପାରି ନ ଥିଲେ। ରେଡ୍‌ବୁଲ୍‌ର ଆଲେକ୍‌ଜାଣ୍ଡର ଆଲବନଙ୍କ କାର୍‌ ସହିତ କଣ୍ଟାକ୍ଟ ଯୋଗୁ ହାସ୍‌ ଫର୍ମୁଲା ଓ୍ବାନ ଟିମ୍‌ର କେଭିନ ମାଗ୍ନସେନ୍‌ ରେସ୍‌ରେୁ ଆଉଟ୍‌ ହୋଇଯାଇଥିଲେ। ଏହି ଦୁର୍ଘଟଣା ପାଇଁ ଆଲବନ୍‌ଙ୍କୁ ୫ ସେକେଣ୍ଡ ପେନାଲ୍ଟି ହୋଇଥିଲା। ଆଲ୍‌ଫା ତାଉରିର ଡାନିଲ କ୍ୟାତ୍‌ଙ୍କ ଚକା ପଙ୍କଚର ହୋଇଯିବାରୁ ତାଙ୍କ କାର୍‌ କାନ୍ଥରେ ଧକ୍କା ହୋଇଯାଇଥିଲା। ତାଙ୍କ ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ ସସ୍‌ପେନସନ କାମ କରି ନ ଥିଲା। ଫଳରେ ତାଙ୍କୁ ମଧ୍ୟ ରେସ୍‌ରୁ ଆଉଟ ହୋଇଯିବାକୁ ପଡ଼ିଥିଲା।

 

Share