ଗୁଡାରି,୨୫ା୧୦(ପ୍ରମୋଦ କୁମାର ପତି ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗୁଡାରି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଏବଂ ସଜାଗ ଥିବା ବିଡ଼ିଓ ଶୁଚିସ୍ମିତା ବେହେରା ସୂଚନା ଦେଇଛନ୍ତି । ରବିବାରଠାରୁ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ହେବା ସହ ନିୟମିତ ବ୍ୟବଧାନରେ କର୍ମଚାରୀ ଉପସ୍ଥିତ ରହୁଛନ୍ତି । ବ୍ଲକର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ସମସ୍ତ କର୍ମଚାରୀଙ୍କୁ ହେଡ଼ କ୍ଵାଟର ରେ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି। ଏହାଛଡା ଚିହ୍ନିତ ହୋଇଥିବା ସ୍ଥାନରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ନିମନ୍ତେ ସ୍ଥାନୀୟ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପ୍ରସ୍ତୁତ କରାଯାଇଥିବା କହିଛନ୍ତି ।
ଗର୍ଭବତୀ ମହିଳାଙ୍କୁ ଗୁଡାରି ସ୍ଥିତ ମା’ ଗୃହକୁ ନେଇ ଆସିବା ପାଇଁ ସିଡିପିଓଙ୍କୁ କୁହାଯାଇଛି । ଏ ନେଇ ସ୍ଥାନୀୟ ମେଡିକାଲ ଅଧିକାରୀ ସ୍ୱାଗତ ସ୍ୱାଇଁ କହିଛନ୍ତି କେଉଁ କେଉଁ ଗର୍ଭବତୀ ମହିଳାଙ୍କୁ ମା’ ଗୃହକୁ ଅଣାଯିବ ତାଲିକା ଚୂଡାନ୍ତ ହୋଇଛି ଏବଂ ସେମାନଙ୍କୁ ମା ଗୃହକୁ ଅଣାଯିବ । ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବାହିନୀ ସମ୍ପୂର୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଯେ କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି ବୋଲି ବିଡ଼ିଓ କହିଛନ୍ତି। ଯୋଗାଣ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଛି ଅତ୍ୟାଵଶୀକ ସାମଗ୍ରୀ ମହଜୁଦ ରଖିବେ ଏବଂ କଳା ବଜାରୀ ରୋକିବା ପାଇଁ ଟିମ ଗଠନ କରାଯାଇଛି ।
ବଂଶଧାରା ଅବବାହିକାରେ ଥିବା ଗ୍ରାମ ଗୁଡିକରେ ବସବାସ କରୁଥିବା ଜନ ସାଧାରଣ ଏବଂ ଗୃହ ପାଳିତ ପଶୁ ଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ସେହିପରି ତହସିଲଦାର ଏ. ସ୍ନେହଲତା କହିଛନ୍ତି ମୁଖ୍ୟତଃ ବ୍ଲକର ଭୂସ୍ଫଳନ ସ୍ଥାନରେ ପଥର ଖସିବା ଏବଂ ମାଟି ରାସ୍ତାରେ ଯେପରି କିଛି ଅସୁବିଧା ନ ହୁଏ ଏବଂ ଗମନାଗମନର କିଛି ଅସୁବିଧା ନ ହେବା ପାଇଁ ରାଜସ୍ୱ ନିରୀକ୍ଷକ ଙ୍କୁ ନଜର ରଖିବା ପାଇଁ କୁହାଯାଇଛି । ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗଙ୍କ ସୂଚନା ଅନୁଯାୟୀ ପୋଲିସ ୨୪ ଘଣ୍ଟା ପ୍ରସ୍ତୁତ ରହିଛି ଏବଂ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ନିମନ୍ତେ ତୁରନ୍ତ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବ ।

