ଅଭିବୃଦ୍ଧି ଓ ଗୁଣାତ୍ମକ ଜୀବନ

ଡ. ସନ୍ତୋଷ କୁମାର ମହାପାତ୍ର

 

ଭାରତରେ ଅନେକ ବୁଦ୍ଧିଜୀବୀ ଅଛନ୍ତି, ଯେଉଁମାନଙ୍କର ଜ୍ଞାନ ଅଛି, କିନ୍ତୁ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସରକାରଙ୍କ ବିଫଳତାକୁ ଘୋଡ଼ାଇବା ସହିତ ସରକାରଙ୍କୁ ସୁହାଇଲା ପରି ଲେଖିଥା’ନ୍ତି ବା କହିଥା’ନ୍ତି। ସେମାନେ ଭାବନ୍ତି ଯେ, ଗରିବମାନେ କେବଳ ମୁଠାଏ ଖାଇବାକୁ ପାଇଲେ ଦେଶ ପ୍ରଗତି କରୁଛି ବୋଲି ଧରାଯିବ। ଏଣୁ ସରକାର ଏପରି ନୀତି ପ୍ରଣୟନ କରନ୍ତୁ, ଯେଉଁଥିରେ ରାଜନେତା, ଧନୀ, ପୁଞ୍ଜିପତି ତଥା ଶିଳ୍ପପତି ଅମାପ ସମ୍ପତ୍ତି ଠୁଳ କରିବେ, ଭୋଗ ବିଳାସରେ ଜୀବନ ବିତାଇବେ, କିନ୍ତୁ ଗରିବଙ୍କୁ ସାମାନ୍ୟ କିଛି ଦେଇ ଅହରହ ପ୍ରଚାର କରିବେ। ଏଥିପାଇଁ ସେମାନେ କେବଳ ଜିଡିପି ଅଭିବୃଦ୍ଧି ବିଷୟରେ କଥାବାର୍ତ୍ତା କରନ୍ତି। କାରଣ ଏହା କେବଳ ଅର୍ଥନୈତିକ କାର୍ଯ୍ୟକଳାପର ସୂଚକ ଏବଂ ଧନୀମାନେ ଅଧିକ ଧନୀ ହେଲେ ବା ବ୍ୟୟ କଲେ ମଧ୍ୟ ବୃଦ୍ଧି ପାଇବ।
ସେହି ବୁଦ୍ଧିଜୀବୀଙ୍କ ମଧ୍ୟରୁ ଅରବିନ୍ଦ ପାନାଗରିଆ ଜଣେ। ସେ କଲମ୍ବିଆ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରଫେସର ଏବଂ ପ୍ରଖ୍ୟାତ ଅର୍ଥନୀତିଜ୍ଞ। ଏହା ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ମଧ୍ୟ ଥିଲେ। ସେ ସର୍ବଦା ଅଭିବୃଦ୍ଧିର ସ୍ବପ୍ନ ଦେଖାଇ ସରକାରଙ୍କ ସପକ୍ଷରେ ଲେଖିଥା’ନ୍ତି। ଅଭିବୃଦ୍ଧି ନାମରେ ସେ ସରକାରଙ୍କର ସମସ୍ତ ଜନବିରୋଧୀ, କୃଷକ, ଶ୍ରମିକ ବିରୋଧୀ ନୀତିକୁ ସମର୍ଥନ କରନ୍ତି। ସେ ମୁଦ୍ରାସ୍ଫୀତି, ଦରଦାମ ବୃଦ୍ଧି, ଗରିବମାନଙ୍କୁ ବାଧୁଥିବା ପରୋକ୍ଷ କର ଏବଂ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟୟସାପେକ୍ଷ ହେବା, ବେକାରି, ବୈଷମ୍ୟ ପୁଷ୍ଟିହୀନତା ବ୍ୟାପକ ହେବା ବିରୋଧରେ ପାଟି ଖୋଲନ୍ତି ନାହିଁ ବରଂ ରାଷ୍ଟ୍ରାୟତ୍ତ ଶିଳ୍ପର ଘରୋଇକରଣ, କର୍ପୋରେଟ ଟିକସ ହ୍ରାସ ସପକ୍ଷରେ କହିଥା’ନ୍ତି। ତାଙ୍କର ଉଦ୍ଦେଶ୍ୟ ହେଉଛି, ଲୋକ ଅସୁରକ୍ଷିତ ରୁହନ୍ତୁ, ଜୀବନର ଗୁଣାତ୍ମକ ମାନରେ ଉନ୍ନତି ପଛେ ନ ଆସୁ, ଦେଶର ଜିଡିପି ବଢ଼ୁ। ଉଚ୍ଚ ଅଭିବୃଦ୍ଧିର ଏକ ଭ୍ରମ ସୃଷ୍ଟି କରି ସେ ସରକାରଙ୍କୁ ସଫଳ ରୂପେ ପ୍ରୋଜେକ୍ଟ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ ଠିକ ବିପରୀତ। ସେ ଜୀବନର ଗୁଣାତ୍ମକ ମାନରେ ଉନ୍ନତି ପାଇଁ ମତ ଦେଇଥା’ନ୍ତି। ଶିକ୍ଷା, ସ୍ବାସ୍ଥ୍ୟରେ ଅଧିକ ବ୍ୟୟ କରିବାକୁ କହନ୍ତି।
ଗତ ଜୁଲାଇ ୧୦ରେ ଅରବିନ୍ଦ ପାନାଗରିଆ ଦେଶରେ ଅଧିକ ପୁଞ୍ଜି ବ୍ୟୟକୁ ସମର୍ଥନ କରି ପୁଣିଥରେ କହିଛନ୍ତିଯେ, ଭାରତ ୮% ଆର୍ଥିକ ଅଭିବୃଦ୍ଧି ହାସଲ କରିପାରିବ। ୨୦୧୭ ଜୁନ୍‌ ୩ରେ ନୀତି ଆୟୋଗର ଉପାଧ୍ୟକ୍ଷ ଥିଲାବେଳେ ସେ କହିଥିଲେ ଯେ, ୨୦୧୭-୧୮ରେ ଭାରତର ଜିଡିପି ୭.୫% ବୃଦ୍ଧି ପାଇବ ଏବଂ ସରକାର ବର୍ତ୍ତମାନର ଯେଉଁ ଅର୍ଥନୈତିକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି, ତାହାଯୋଗୁ ୨୦୧୯-୨୦ ବେଳକୁ ଜିଡିପି ୮% ବୃଦ୍ଧି ପାଇବ। କିନ୍ତୁ ବାସ୍ତବରେ ମାତ୍ର ୪% ହୋଇଥିଲା। ସେହିପରି ୨୦୨୧ ଡିସେମ୍ବର ୩୦ରେ ସେ କହିଥିଲେ ଯେ, ଦେବାଳିଆ ସଂହିତା ଆଇନ, ଜିଏସ୍‌ଟି, କର୍ପୋରେଟ ଟ୍ୟାକ୍ସ ହ୍ରାସ ଏବଂ ଶ୍ରମ ଆଇନ ପରି ସଂସ୍କାର ତଥା ବାଣିଜି୍ୟକ ଉଦାରୀକରଣ ଯୋଗୁ ଆମେ ଆଗାମୀ ଦଶନ୍ଧି ମଧ୍ୟରେ ପ୍ରାୟ ୮% ଅଭିବୃଦ୍ଧି ହାରକୁ ବଜାୟ ରଖିପାରିବା। କିନ୍ତୁ ବାସ୍ତବରେ ଅଭିବୃଦ୍ଧି ହାର କ୍ରମଶଃ ମନ୍ଥର ହେଉଛି। ୨୦୨୧-୨୨ରେ ଭାରତରେ ୮.୭% ଅଭିବୃଦ୍ଧି ଘଟିଛି, ଯଦିଓ ଏହା ପୂର୍ବ ଆକଳନଠାରୁ କମ୍‌। କିନ୍ତୁ ବାସ୍ତବତା ହେଉଛି ପେଣ୍ଟ ଅପ ଚାହିଦା ଏବଂ ପୂର୍ବ ଆର୍ଥିକ ବର୍ଷରେ ବିଯୁକ୍ତତ୍ମାକ ୬.୬% ଅଭିବୃଦ୍ଧି ଯୋଗୁ ଏହା ଘଟିଛି। ଅତ୍ୟନ୍ତ କ୍ରୂର ବାସ୍ତବତା ହେଉଛି ଗତ ଦୁଇ ଆର୍ଥିକ ବର୍ଷରେ ଜିଡିପି ମାତ୍ର ୧.୫% ବୃଦ୍ଧି ପାଇଛି। ଚିନ୍ତାଜନକ ବିଷୟ ହେଉଛି, ମୁଣ୍ଡପିଛା ଆୟ ଓ ବ୍ୟକ୍ତିଗତ ବ୍ୟୟ ୨୦୨୧-୨୨ ରେ ମହାମାରୀ ପୂର୍ବ ସ୍ତରରୁ କମ ରହିଛି। ୨୦୨୧-୨୨ର ଚାରିଟି ତ୍ରୟ ମାସରେ ଜିଡିପି ବୃଦ୍ଧି ହାର ୨୦.୧%, ୮.୪%, ୫.୪% ଏବଂ ୪.୧% ହୋଇଛି; ଯାହା ସୂଚାଉଛି ଯେ ଅର୍ଥନୀତି ପୁଣି ମନ୍ଥର ହୋଇଛି। ଅବଶ୍ୟ କିଛି ଭଲ ହେଲେ ସରକାର ବାହାବା ନେବେ। କିଛି ଖରାପ ହେଲେ ଭଗବାନ୍‌ଙ୍କୁ ଦାୟୀ କରାଯିବ ବା ଅନ୍ୟ ଦେଶର କିମ୍ବା ବିଶ୍ୱର ସଙ୍କଟକୁ କାରଣ ଦର୍ଶାଯିବ।
ବାସ୍ତବରେ ଲୋକ ଅଧିକ ଲୋଭୀ ହେଲେ, ଶୋଷଣ କରି ଅର୍ଥ ଉପାର୍ଜନ କରି ବେଶି ବ୍ୟୟ କଲେ ମଧ୍ୟ ଜିଡିପି ବଢ଼ିବ। ମଣିଷର ବିପର୍ଯ୍ୟୟ ବେଳେ ବି ଜିଡିପି ବୃଦ୍ଧି ପାଏ। ଉଦାହରଣ ସ୍ବରୂପ ଜଣେ ମଦ ପିଇ ଦୁର୍ଘଟଣାଗ୍ରସ୍ତ ହେଲା। ତା’ର ଗାଡ଼ି ଭାଙ୍ଗିଲା, ତା’ର ମେଡିକାଲ ବା ନର୍ସିଂ ଭର୍ତ୍ତି ହେଲା ଏବଂ ପରେ ମୃତ୍ୟୁବରଣ କଲା। ଶ୍ମଶାନରେ ପୋଡ଼ାଗଲା ଏବଂ ଶୁଦ୍ଧିକ୍ରିୟାରେ ଲୋକ ଖାଇଲେ, ବ୍ୟୟ ହେଲା। ପ୍ରତ୍ୟେକ ସ୍ତରରେ ଯେଉଁ ବ୍ୟୟ ହୋଇଥିବ, ତାହା ଜିଡିପି ବୃଦ୍ଧି କରିଥିବ। କିନ୍ତୁ ସେହି ପରିବାର ଯେଉଁ କ୍ଷତିଗ୍ରସ୍ତ ହେଲା, ତା’ର ଦୁଃଖ ଜିଡିପିରେ ପ୍ରତିଫଳନ ହେବ ନାହିଁ। ଜଣକର ଦୁଃଖ ବା ସୁଖ ବା ମାନସିକ ଉଦ୍‌ବେଗ କିମ୍ବା ଶାନ୍ତି ଜିଡିପିରେ ପ୍ରତିଫଳନ ହୋଇନଥାଏ। ନୋବେଲ ବିଜେତା ସାମୁଏଲ୍‌ ସନଙ୍କ ମତରେ ଜଣେ ଘରକାମ ପାଇଁ ଚାକରାଣୀକୁ ଯେଉଁ ବେତନ ଦିଏ ତାହା ଜିଡିପି ବୃଦ୍ଧି କରେ, କିନ୍ତୁ ଯଦି ମାଲିକ ଚାକରାଣୀକୁ ବିବାହ କରେ ତେବେ ଜିଡିପି ହ୍ରାସ ଘଟେ। ବର୍ତ୍ତମାନ ଦେଶରେ ଯେଉଁ ଜିଡିପି ବୃଦ୍ଧି ପାଉଛି, ତା’ର ଏକ କାରଣ ହେଲା କିଛି ଲୋକଙ୍କ କଳାଟଙ୍କା ଅହେତୁକ ବୃଦ୍ଧି ପାଇଛି, ଯେଉଁମାନେ ବେଶୀ ଜମି, ଘର ଏବଂ ମୋଟର ଯାନ କିଣିବାରେ ବ୍ୟୟ କରୁଛନ୍ତି। ପୁନଶ୍ଚ ସରକାର ଯେତେ ଅଧିକ ପରୋକ୍ଷକର ଆଦାୟ କରିବେ ଏବଂ ସବ୍‌ସିଡି ହ୍ରାସ କରିବେ ତାହା ଜିଡିପି ବୃଦ୍ଧି କରିବ। ପୁନଶ୍ଚ ଅଭିବୃଦ୍ଧି ଅଧିକ ହେବା ପ୍ରାକୃତିକ ସମ୍ପଦର ହ୍ରାସ ସହିତ ସିଧାସଳଖ ଜଡ଼ିତ। କିନ୍ତୁ ପ୍ରାକୃତିକ ସଂପଦ ସୀମିତ ବୋଲି ଶାସକଶ୍ରେଣୀ ଭୁଲିଯିବା ଅନୁଚିତ।
ଭାରତ ବିଶ୍ୱରେ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ବୋଲି ପ୍ରଚାର କରାଯାଉଛି। ଅଭିବୃଦ୍ଧି କଥା ପ୍ରଚାର କଲାବେଳେ ସରକାର ଭୁଲିଯିବା ଅନୁଚିତ ଯେ ବିଭିନ୍ନ ସୂଚକାଙ୍କରେ ଭାରତ ବିଶ୍ବରେ ଅତ୍ୟନ୍ତ ନିମ୍ନରେ ଅଛି। ଭାରତ ମାନବ ବିକାଶ ସୂଚକାଙ୍କ ୨୦୨୧ରେ (୧୮୯ ଦେଶ ମଧ୍ୟରୁ୧୩୧), ବିଶ୍ୱ ସୁଖ ସୂଚକାଙ୍କ ୨୦୨୨ (୧୪୯ ଦେଶ ମଧ୍ୟରୁ ୧୩୬), ବିଶ୍ୱ କ୍ଷୁଧା ସୂଚକାଙ୍କ (୧୧୬ ଦେଶ ମଧ୍ୟରୁ ୧୦୧ତମ), ବିଶ୍ୱ ଶାନ୍ତି ସୂଚକାଙ୍କ ୨୦୨୨ (୧୬୩ ଦେଶ ମଧ୍ୟରେ ୧୩୫) ଏବଂ ସ୍ଥାୟୀ ବିକାଶ ସୂଚକାଙ୍କ ୨୦୨୨ (୧୬୩ ଦେଶ ମଧ୍ୟରୁ ୧୨୧), ମାନବ ସ୍ବାଧୀନତା ସୂଚକାଙ୍କ (୧୬୫ ଦେଶ ମଧ୍ୟରୁ ୧୧୯ ସ୍ଥାନରେ) ରହିଛି। ଏହା ସୂଚାଉଛି ଅଭିବୃଦ୍ଧି ଲୋକଙ୍କ ଜୀବନ ଧାରଣ ମାନର ଉନ୍ନତିରେ ପ୍ରତିଫଳନ ହେଉନି। ଅଭିବୃଦ୍ଧି ଅଧିକ ହେଲେ ଶାସକ ଶ୍ରେଣୀର ଭୋଟ ବ୍ୟାଙ୍କ ବଢ଼ିବ ବୋଲି ପାନାଗରିଆ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍‌। ଲୋକଙ୍କ ଜୀବନର ଗୁଣାତ୍ମକ ଦିଗର ଉନ୍ନତି ପାଇଁ ଧନୀଙ୍କଠାରୁ ଅଧିକ ଟିକସ ଆଦାୟ କରି ସରକାର ଶିକ୍ଷା, ସ୍ବାସ୍ଥ୍ୟ ମାଗଣାରେ ଦେବା ଉଚିତ।
ମୋ: ୯୪୩୭୨୦୮୭୬୨
skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri