ଭଦ୍ରକ,୨୨।୧୦(ସନାତନ ରାଉତ/ରବିନାରାୟଣ ଖିଲାର): ଭଦ୍ରକ ଜିଲା ସଦର ବ୍ଲକ୍ ବ୍ରହ୍ମପୁର ପଞ୍ଚାୟତ ମାଳିଅରୁଆ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀ ପାଣିରେ ବୁଡ଼ି ଜେଜେ ଏବଂ ନାତିଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଦୟାନିଧି ବାରିକ(୫୬) ଓ ତାଙ୍କ ୫ ବର୍ଷର ନାତି ସାଇ ଶୁଭମ୍।
ପରିବାର ଲୋକଙ୍କ କହିବା ଅନୁଯାୟୀ, ସାଇ ଶୁଭମ ପୋଖରୀ ନିକଟରେ ଖେଳୁଥିବା ବେଳେ କୌଣସି କାରଣରୁ ପାଣି ଭିତରକୁ ଚାଲିଯାଇଥିବା ଅନୁମାନ କରାଯାଉଛି। ନାତି ପାଣିରେ ବୁଡ଼ି ଯାଉଥିବା ଦେଖି ଦୟାନିଧି ତାଙ୍କୁ ଉଦ୍ଧାର କରିବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ। କିଛି ସମୟ ପରେ ଜେଜେ ଓ ନାତିଙ୍କୁ ନ ପାଇବାରୁ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ପରିବାର ଲୋକେ ଖୋଜାଖୋଜି କରିଥିଲେ।
ଉଭୟଙ୍କ ପତ୍ତା ନ ମିଳିବାରୁ ସେମାନେ ଗାଁର ମତ୍ସ୍ୟଜୀବୀଙ୍କୁ ଡକାଇଥିଲେ। ସେମାନେ ଜାଲ ପକାଇ ଦୁଇଜଣଙ୍କୁ ଉଦ୍ଧାର କରିବା ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସାବରଙ୍ଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଯାଇଛି। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ସରପଞ୍ଚ ନରହରି ସାହୁ ପ୍ରମୁଖ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

