କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ ପ୍ରତିଷ୍ଠା କରିଥିଲେ। ଏହି ଚିକିତ୍ସାଳୟକୁ କର୍ଲାମୁଣ୍ଡା, ନର୍ଲା, କେସିଙ୍ଗା, ମ ରାମପୁର ଆଦି ବ୍ଲକର ବିଭିନ୍ନ ଗାଁର ଜନ ସାଧାରଣ ଚିକିତ୍ସା ହେବାକୁ ଆସିଥାନ୍ତି। ଏଠାରେ ଜଣେ ମାତ୍ର ଆୟୁର୍ବେଦ ଡାକ୍ତର ଜୁଝାର ନାଏକ ଓ ଟିକେରାମ ସାହୁ ନାମକ କର୍ମଚାରୀ ରହିଛନ୍ତି। ଡାକ୍ତର ଜଣକ ବସୁଥିବା କୋଠରୀଟି ଭଗ୍ନାବସ୍ଥାରେ ରହିଥିବା ବେଳେ ବିପଦପୂର୍ଣ୍ଣ ଅବସ୍ଥାରେ ଏହି ଡାକ୍ତରଖାନାଟି ରହିଛି। ତେବେ ସରକାର ନୂତନ ଗୃହ ନିର୍ମାଣ ପାଇଁ ୬୦ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଥିଲେ ହେଁ ଡାକ୍ତରଖାନା ଥିବା ଜାଗାଟିର ସ୍ଥାୟୀ ପଟ୍ଟା ନ ଥିବାରୁ ଗୃହ ନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନ ଥିବା ଡାକ୍ତର ନାଏକ କହିଛନ୍ତି। ଅନ୍ୟ ପଟେ ଏନେଇ ତହସିଲଦାର ଅରୁଣ ବର୍ଗେଙ୍କ ସହିତ ଆଲୋଚନା କରିବାରୁ ଶୀଘ୍ର ଜାଗା ଚିହ୍ନଟ କରାଯିବ ବୋଲି କହିଛନ୍ତି। ତେବେ ଦୀର୍ଘଦିନରୁ ଅଞ୍ଚଳବାସୀ ଡାକ୍ତରଖାନାର ସ୍ଥାୟୀ ପଟ୍ଟା ଯୋଗାଇବା ସହ ଭିତ୍ତିଭୂମିର ବିକାଶ ପାଇଁ ଦାବି ଜଣାଇ ଆସୁଥିଲେ ହେଁ କେହି ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଣୁ ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।


