ସରକାରୀ କର୍ମଚାରୀ ବନାମ ନେତା, ଜନତା

ରାଜ୍ୟର ଜନତା ସ୍ତବ୍ଧ। ସାଧାରଣ ଜନତା ହୁଅନ୍ତୁ କି ନେତା,ମନ୍ତ୍ରୀ କି ସରକାରୀ କର୍ମଚାରୀ, ସମସ୍ତେ ସମସ୍ତଙ୍କ ପରିପୂରକ। ଜନତାଙ୍କ ମତଦାନରେ ନେତା, ନେତାଙ୍କ ନିର୍ଦ୍ଦେଶରେ ଜନତାଙ୍କ ସ୍ବାର୍ଥ ଓ ରାଜ୍ୟର ବିକାଶ ପାଇଁ ସରକାରଙ୍କ ଯୋଜନାକୁ ଜନତାଙ୍କ ପାଖରେ ପହଞ୍ଚାଇବା ସରକାରୀ କର୍ମଚାରୀଙ୍କ କାମ। କହିବାକୁ ଗଲେ ଜନତାଙ୍କ ପାଇଁ ନେତା,ମନ୍ତ୍ରୀ ଓ କର୍ମଚାରୀ,ଏକଥା ଆମେ କହୁନୁ ଆମ ବ୍ୟବସ୍ଥା କୁହେ। ୨୫ବର୍ଷ ତଳର ଘଟଣା,ସେତେବେଳେ ଆମ ଘରେ ଲ୍ୟାଣ୍ତ ଫୋନ୍‌ ଥାଏ। ଘରର ଏବଂ ସାହି ପଡ଼ୋଶୀଙ୍କ ଆବଶ୍ୟକତା ଅନୁସାରେ କାମରେ ଲାଗେ। ଦିନକର କଥା, ମୋ ବୋଉଙ୍କ ଦେହ ଅଚାନକ ଖରାପ ହୋଇଯାଏ। ଘରେ ଆମେ ଭାଇ ଭଉଣୀ ୨ଜଣ,ତୁରନ୍ତ ଡାକ ବିଭାଗର ମୁଖ୍ୟ ଡାକଘରକୁ ଫୋନ୍‌ କଲି। ସେ ପାଖରୁ ହେଡ୍‌ପୋଷ୍ଟ ମାଷ୍ଟର ଫୋନ୍‌ ଉଠାଇ ବାବାଙ୍କ ନାମ ଧରି ଡାକନ୍ତି। କିଛି ସମୟ ପରେ ବାବା ଆସି ଫୋନ୍‌ ଉଠାଇ କୁହନ୍ତି, କାମରେ ବ୍ୟସ୍ତ ଅଛି। ମୁଁ କିଛି କହିବା ପୂର୍ବରୁ ଫୋନ୍‌ଟି ରଖିଦେଲେ। ଭଗବାନ୍‌ଙ୍କ ଇଚ୍ଛାରେ ବୋଉଙ୍କ ଦେହ ଭଲ ହୋଇଗଲା ସତ , କିନ୍ତୁ ଫୋନ୍‌ କଥା ପଚାରିବି ବୋଲି ମନରେ ଜିଜ୍ଞାସା ହେଲା,ଭୟରେ ପଚାରିଲି, ମୁଁ କିଛି କହିବା ପୂର୍ବରୁ ଫୋନ୍‌ଟି ରଖିଦେଲେ। ବାବାଙ୍କ ଉତ୍ତର ଥିଲା, ସରକାରୀ ଚାକିରି କରିଛୁ, ସରକାର ଆମକୁ ଠିକ୍‌ ସମୟରେ ଦରମା ଦେଉଛନ୍ତି। ଏହି ଦରମାରେ ତୁମମାନଙ୍କ ପାଠପଢ଼ା ଖର୍ଚ୍ଚ ସହ ମୁଣ୍ତକୁ ଛାତ,ପେଟକୁ ଦାନା,ପିନ୍ଧିବାକୁ କନା ମିଳେ। ସେହି ସମୟରେ ମୁଁ ଜଣେ ଖାତାଧାରୀଙ୍କ କାର୍ଯ୍ୟ କରୁଥିଲି। ମୁଁ ଚିନ୍ତାକଲି ମୋର ପରିବାରଠାରୁ ଯେଉଁ ବ୍ୟକ୍ତିମାନଙ୍କ କାମ କଲେ ଆମ ଘରେ ଚୁଲି ଜଳେ, ତାଙ୍କ କାମ ପ୍ରଥମେ ହେବା ଦରକାର। ଏହା ଥିଲା ଜଣେ କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟନିଷ୍ଠା କାର୍ଯ୍ୟ।
ରାଜ୍ୟର ୧ ନମ୍ବର ସରକାରୀ ବିଶ୍ୱବିଦ୍ୟାଳୟରେ ଉନ୍ନତ ବୈଦ୍ୟୁତିକ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗରେ ପିଜି ପାସ୍‌ ହୋଇ ମୁଁ ଉଚ୍ଚଶିକ୍ଷା ପାଇଁ ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପିଏଚ୍‌.ଡି.ରେ ନାମ ଲେଖାଇଲି। ୟୁଜିସି ଗାଇଡ୍‌ଲାଇନ ଅନୁସାରେ, ଆଡ୍‌ମିସନ ସମୟରେ ଅରିଜିନାଲ ପ୍ରମାଣପତ୍ର ତଦନ୍ତ ଅଫିସରଙ୍କୁ ଦେଖାଇବାକୁ ହୁଏ, କିନ୍ତୁ ସମସ୍ତ ସାର୍ଟିଫିକେଟ ସହ ପିଜି ଫାଇନାଲ ସାର୍ଟିଫିକେଟର ଅଭାବ ଥିଲା। ତଦନ୍ତ ଅଫିସରଙ୍କୁ ଦରଖାସ୍ତ ଦେଇ ଅନୁରୋଧକରି ସମୟ ମାଗିଲି। ବିଶ୍ୱବିଦ୍ୟାଳୟକୁ ଆସି ପୂର୍ବରୁ ଆବେଦନ କରିଥିବା ଅଫିସକୁ ଯାଇ ପଚାରିଲି ୬ମାସରୁ ଅଧିକ ସମୟ ବିତିଗଲାଣି ମୋର ପିଜି ସାର୍ଟିଫିକେଟ ମିଳିନାହିଁ। ବାବୁ ଜଣଙ୍କ କହିଲେ, ଆପଣ ଲିଖିତ ଦରଖାସ୍ତ ସହ ଠିକଣା ଦେଇ ଚାଲିଯାଆନ୍ତୁ, ଆମେ ଠିକଣାରେ ପହଞ୍ଚାଇ ଦେବୁ। ଶାନ୍ତ ଓ ସରଳ ଭାବରେ ମୁଁ କହିଲି, ଆପଣ ମୋର ସାର୍ଟିଫିକେଟ ନ ଦେଲେ ମୋର ପିଏଚ୍‌.ଡି. ବାତିଲ ହୋଇଯିବ। ଏହା ଶୁଣି ମୋର ସାଙ୍ଗ ହିଂସା ଆଚରଣ କରିବା ପୂର୍ବରୁ ମୁଁ ତାକୁ ତାଗିଦ କଲି। ହିଂସା କରିବା ଆମ ସଂସ୍କୃତି ନୁହେଁ, ହିଂସା ମାଧ୍ୟମରେ ସମସ୍ୟାର ସମାଧାନ ହୁଏନାହିଁ। ଯାହା ବିଏମ୍‌ସିରେ ଘଟିଯାଇଛି। ଆପଣଙ୍କ ପୁଅ କି ଝିଅ ମୋ ସ୍ଥାନରେ ଥିଲେ ଆପଣ କ’ଣ ଏପରି କରିଥାନ୍ତେ, ଟିକେ ଚିନ୍ତା କରନ୍ତୁ। ନିବେଦନକରି ଦରଖାସ୍ତ ଦେଇଚାଲି ଆସିଲି। କିଛିଦିନର ବ୍ୟବଧାନ ପରେ ସାର୍ଟିଫିକେଟ ପାଇଲି ସତ, କିନ୍ତୁ ବର୍ଷେ ବିତିଯାଇଥିଲା। ପାଠକ ଅନୁମାନ କରୁଥିବେ, ରାଜ୍ୟ ସରକାରଙ୍କ ଜଣେ କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ। ଇଣ୍ଟରନେଟ୍‌ ଯୁଗରେ ବି ସରକାରୀ ଦପ୍ତରରେ ଅବହେଳା।
ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ରାଜ୍ୟର ସ୍ବତନ୍ତ୍ରତା ଓ ବିକାଶ ପାଇଁ ଅନେକ ମହାପୁରୁଷ ରାଜ୍ୟର ସ୍ବାର୍ଥ ପାଇଁ ନିଜ ଜୀବନକୁ ବାଜି ଲଗାଇ ଆହୂତି ଦେଇଛନ୍ତି। ଇତିହାସ ପୃଷ୍ଠାକୁ ଓଲଟାଇଲେ ଲୋମ ଟାଙ୍କୁରିଉଠେ। କି ସ୍ବାର୍ଥ ଥିଲା ଗୋପବନ୍ଧୁ ଦାସ, ରମା ଦେବୀ,ସାରଳା ଦେବୀ, କୁନ୍ତଳା କୁମାରୀ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ମଧୁବାବୁ, ବାଜି ରାଉତ, ଧର୍ମପଦ ଓ ଚକରା ବିଷୋୟୀଙ୍କ ପରି ଅନେକ ମହାପୁରୁଷଙ୍କର। ଏ ମାଟି ଓ ଜନତାଙ୍କ ସ୍ବାର୍ଥ ପାଇଁ ଦୀପର ସଳତା ଜଳିଲା ପରି ନିଜ ଜୀବନକୁ ସମାଜ ପାଇଁ ଲମ୍ବା ସମୟ ଧରି ନିଃସ୍ବାର୍ଥ ଓ କର୍ତ୍ତବ୍ୟନିଷ୍ଠ ଭାବରେ ପରିଶ୍ରମକରି ଓଡ଼ିଶାର ବିକାଶ ରଥକୁ ଆଗକୁ ବଢ଼ାଛନ୍ତି। ଗୋପବନ୍ଧୁ କହିଥିଲେ, ‘ଭାରତ ସରସେ ଉତ୍କଳ କମଳ, ତା’ମଧ୍ୟେ କେଶର ପୁଣ୍ୟ ନୀଳାଚଳ’। ଗୋପବନ୍ଧୁ ଯାହା ଚିନ୍ତା କରୁଥିଲେ, ତାହା କରୁଥିଲେ, ଯାହା କହୁଥିଲେ ତାହା ଲେଖୁଥିଲେ ଏବଂ କାର୍ଯ୍ୟରେ ମଧ୍ୟ ପରିଣତ କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ। ଏହି ପବିତ୍ର ମାଟିର ସ୍ବରାଜ୍ୟ ପାଇଁ ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ। ପ୍ରଥମ ପୁତ୍ରର ଅକାଳ ବିୟୋଗ ଏବଂ ଓକିଲାତି ଆରମ୍ଭରୁ ଦ୍ୱିତୀୟ ପୁତ୍ର ବିୟୋଗ ଓ ସ୍ତ୍ରୀଙ୍କ ବିୟୋଗର ଖବର ପାଇଥିଲେ ମଧ୍ୟ ହୃଦୟରେ ଦୁଃଖକୁ ଚାପିଧରି ୧୯୦୭ ମସିହାରେ ବ୍ରାହ୍ମଣୀ ଓ ଖରସୁଆଁ ନଦୀର ବଢ଼ିରେ ବୁଲିବୁଲି ବିପନ୍ନ ଅଞ୍ଚଳରେ ସାହାଯ୍ୟକରି ଭୋକିଲା ପେଟକୁ ଆହାର ଓ ନର୍ବସ୍ତ୍ରକୁ ବସ୍ତ୍ର ଦେଉଥିଲେ। ଓଡ଼ିଶା ଥିଲା ତାଙ୍କ ପରିବାର, ଜନତାଙ୍କ ବିକାଶ ହିଁ ରାଜ୍ୟର ବିକାଶ।
କିନ୍ତୁ ଆଜିର ଯୁବପିଢ଼ି ମନରେ ଜନତାଙ୍କ ସେବାକରିବା ମନୋବୃତ୍ତି ରହୁନାହିଁ କି! ନା ଚାକଚକ୍ୟ ସହରୀ ଜୀବନ ଭିତରେ ରହି ଅଭାବକୁ ପୂରଣ କରିବାକୁ ଯାଇ ଅସାଧୁ ଉପାୟ ଅବଲମ୍ବନକରି ଲୁଟୁଛନ୍ତି ରାଜସ୍ବ। ପ୍ରଶାସନିକ ଚାକିରିରେ ଯୋଗଦେଲା ପରେ ମାନୁନାହାନ୍ତି ଇନ୍ଦ୍ର କି ଚନ୍ଦ୍ର ! ପ୍ରଶାସନିକ ଅଫିସରଙ୍କ କାର୍ଯ୍ୟକୁ ନେଇ ରାସ୍ତାରେ ଅଳିଆ ପଡ଼ିଲା, ସାଧାରଣ ଜନତାଙ୍କ ପାଖକୁ ପାଣି ଆସିବାରେ ବିଳମ୍ବ ହେଲା, ରୋଗୀଙ୍କ ଆମ୍ବୁଲାନ୍ସ ଅଟକିଗଲା। ସାଧାରଣ ଜନତା ନାହିଁ ନ ଥିବା ହୀନସ୍ତା ହେଲେ। କେତେଜଣ ପ୍ରଶାସନିକ ଅଧିକାରୀଙ୍କ ମନମାନି ଯୋଗୁ ସରକାରଙ୍କ କଳ ଠପ୍‌, ବହୁ କୋଟି ଟଙ୍କାର ରାଜସ୍ବ ହାନି ଘଟିଲା। ସମୟ ଅଛି ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀମାନେ ଜନତା ଓ ରାଜ୍ୟର ସ୍ବାର୍ଥକୁ ନଜର ରଖି ଆଗାମୀ ପିଢ଼ି ପାଇଁ ଆଦର୍ଶର ମାର୍ଗ ଦେଖାନ୍ତୁ ଏବଂ ଜନତାଙ୍କ କାମ କରନ୍ତୁ। ଯଦି ଜନତାଙ୍କ କାମ କରିବା ପାଇଁ ଅସମର୍ଥ, ଚାକିରିରୁ ବିଦାୟ ନିଅନ୍ତୁ, ଜନତାଙ୍କ ସହ ହାତାହାତି ହେବା ଏକ ସୁସ୍ଥ ସମାଜ ପାଇଁ ଶୁଭଙ୍କର ନୁହେଁ। ଓଡ଼ିଶାରେ ଯୋଗ୍ୟତାର ଅଭାବ ନାହିଁ, ପ୍ରଶାସନିକ ସେବା ପାଇଁ ମୂଲ୍ୟାଙ୍କନ ହୋଇଥିବା ୧ ମାର୍କରୁ କମ୍‌ ରଖିଥିବା ପରୀକ୍ଷାର୍ଥୀଟି ବି ଅଫିସରଙ୍କଠାରୁ କିଛି କମ୍‌ ନୁହେଁ। ଜଣେ ବିଶିଷ୍ଟ ବ୍ୟକ୍ତି ଯାହା କରନ୍ତି ସାଧାରଣ ଲୋକ ତାହା ଅନୁସରଣ କରନ୍ତି। ସେ ତାଙ୍କର ନିଜ ଆଚରଣ ଦ୍ୱାରା ଯେଉଁ ପ୍ରକାର କାର୍ଯ୍ୟ କରିଯାଆନ୍ତି ସମଗ୍ର ପୃଥିବୀ ତାହା ଅନୁସରଣ କରେ। ଏବେ ସମାଜରେ ଚର୍ଚ୍ଚା ହେଉଛି ପ୍ରଶାସନିକ ଅଧିକାରୀ ମାନେ ସରକାରୀ କଳକୁ ଠପ୍‌ କରିବା ଯୁକ୍ତିଯୁକ୍ତ କି ? ସେଥିପାଇଁ ଦାୟୀ କିଏ ? ଦର୍ଘ ବର୍ଷ ଧରି ସରକାରୀ କଳକୁ ଅକ୍ତିଆର କରି ରଖିଥିବା ପ୍ରଶାସନିକ ବାବୁମାନେ ଏକ ଜନହିତାୟ ସରକାର ଆସିଲା ପରେ ସମନ୍ବୟର ଅଭାବ ରହୁଛି କି, ନା ବିଗତ ସରକାରଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ସରକାରୀ କଳକୁ ଏବେ ହାଇଜାକ୍‌ କରିବାକୁ ବାବୁମାନେ ଚେଷ୍ଟା କରୁଛନ୍ତି କି । ତାହା ଏବେ ପ୍ରଶ୍ନବାଚୀ। ଏଠି ବଳି ପଡ଼ୁଛି ସାଧାରଣ ଓ ନିରୀହ ଜନତା। ସମୟ ଥାଉ ଥାଉ ନେତା ଓ ସରକାରୀ କର୍ମଚାରୀ ସମନ୍ବୟ ରକ୍ଷାକରି ଦେଶ ତଥା ରାଜ୍ୟର ବିକାଶ ଏବଂ ସାଧାରଣ ଜନତାଙ୍କ ହିତ ପାଇଁ କାର୍ଯ୍ୟ କରନ୍ତୁ।

ବିଭୂତି ଭୂଷଣ ବେହେରା
ଭାରତୀୟ ସଂସ୍କୃତି ପ୍ରଚାର ଓ ପ୍ରସାର ଏବଂ ଗଣମାଧ୍ୟମ ଗବେଷଣା ଛାତ୍ର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୁନ୍ଦେଲା, ଗୁଜରାଟ
ମୋ: ୮୦୧୮୨୯୩୧୮୦


Enter your email to get our daily news in your inbox.

All Right Reserved By Dharitri.Com

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri