ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ

ଭୁବନେଶ୍ୱର,୫ା୧୧: ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଗତିଶୀଳ ଏବଂ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁବାର ଏକ ବଡ଼ଧରଣର ଆଇଏଏସ୍ ସ୍ତରୀୟ ଅଦଳବଦଳ କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଦାୟିତ୍ୱ ଭାବେ ଅବସ୍ଥାପିତ କରାଯାଇଛି।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ବରିଷ୍ଠ ପ୍ରଶାସକ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଏହି ବିଭାଗ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଗିରିଶ ଏସ୍‌ ଏନ୍‌ଙ୍କୁଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଦିଗରେ ସେ କାର୍ଯ୍ୟ କରିବେ। ଅଶ୍ୱଥୀ ଏସ୍.ଙ୍କୁ ସିଟି-ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ଗ୍ରାମାଞ୍ଚଳର ବିକାଶ ଏବଂ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।

ରାଜ୍ୟର ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଜନକଲ୍ୟାଣ ଯୋଜନାଗୁଡ଼ିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ସରକାର ଏହି ପ୍ରଶାସନିକ ଅଦଳବଦଳ କରିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share