ଗୋପାଳପୁର ବିଧାୟକ, ପାଠକ ବାପ-ପୁଅ କୋର୍ଟରେ ହାଜର

ବ୍ରହ୍ମପୁର ଅଫିସ,୪ା୫: ଗଞ୍ଜାମ ଜିଲା ଗୋପାଳପୁର ଟାଟା ମୋଟର୍ସରେ ଚାକିରି କରାଇ ଦେବା ପାଇଁ କୋଟି କୋଟି ଟଙ୍କା ଠକେଇ କରିଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ପୂର୍ବତନ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ବୁଧବାର ବ୍ରହ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‌ଏଫ୍‌ସି)ଙ୍କ କୋର୍ଟରେ ହାଜର ହୋଇଛନ୍ତି।
ପୂର୍ବରୁ ଉକ୍ତ ୩ଜଣ ହାଇକୋର୍ଟରୁ ଜାମିନ ପାଇବା ପରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇ ଜାମିନରେ ଯାଇଥିଲେ। ପ୍ରଦୀପଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନାରେ ନଂ.୩୮୪/୨୦, ୩୭୪/୨୦, ୭/୨୧, ୧୧୦/୨୧ ଓ ବୈଦ୍ୟନାଥପୁର ଥାନାରେ ୧୧୦/୨୧ ଏଭଳି ୫ଟି ମାମଲା ରୁଜୁ ହୋଇଥିଲା। ଉପରୋକ୍ତ ମାମଲାଗୁଡିକର ଚାର୍ଜଶିଟ ଦାଖଲ ପରେ ସେମାନଙ୍କୁ କୋର୍ଟରେ ହାଜର ପାଇଁ ନୋଟିସ ହୋଇଥିଲା। ଏହି ଧାରାରେ ସେମାନେ ଉଭୟ ବ୍ରହ୍ମପୁର ଜେଏମ୍‌ଏଫ୍‌ସିଙ୍କ କୋର୍ଟ ଏବଂ ଜେଏମ୍‌ଏଫ୍‌ସି ଗ୍ରାମାଞ୍ଚଳ(ରୁରାଲ)ଙ୍କ କୋର୍ଟରେ ହାଜର ହୋଇଥିଲେ। ଉପରୋକ୍ତ ୫ ମାମଲା ମଧ୍ୟରୁ ଗୋଳନ୍ଥରା ଥାନା ମାମଲା ନମ୍ବର ୩୭୪/୨୦ରେ ପୋଲିସ ଦାଖଲ କରିଥିବା ଚାର୍ଜଶିଟରୁ ବିଧାୟକ ପ୍ରଦୀପ ଓ ଅନ୍ୟମାନଙ୍କ ନାମ ହଟାଇବା ପାଇଁ ତାଙ୍କ ଓକିଲ ଦୀପକ ପଟ୍ଟନାୟକ କୋର୍ଟରେ ଡିସ୍‌ଚାର୍ଜ ପିଟିଶନ ଦାଖଲ କରିଛନ୍ତି। ଏହାର ଶୁଣାଣି ମେ’ ୧୭ରେ ହେବାକୁ ଧାର୍ଯ୍ୟ କରାଯାଇଛି ବୋଲି ସ୍ବତନ୍ତ୍ର ପିପି ମାଗୁଣି ଚରଣ ପୋଲାଇ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଜନ ବିରୋଧୀ କାର୍ଯ୍ୟ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା। ପରେ ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ବିଧାୟକ ପ୍ରଦୀପଙ୍କୁ କ୍ରାଇମ୍‌ବ୍ରାଞ୍ଚ ଭୁବନେଶ୍ୱରରୁ ୨୦୨୦ ଡିସେମ୍ବର ୩ରେ ଗିରଫକରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଥିଲା। ଏହାପରେ ଟାଟା ମୋଟର୍ସରେ ଚାକରି ଦେବା ନଁାରେ ଟଙ୍କା ଠକେଇ ନେଇ ପ୍ରଦୀପଙ୍କ ସହ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନାମରେ ଉପରୋକ୍ତ ୫ଟି ମାମଲାରେ ଜଡିତ କରିଥିଲା। ପରେ ୨୦୨୧ ଜୁନ ୧୩ରେ ବିଧାୟକ ପ୍ରଦୀପଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ସେହିପରି ପାଠକ ବାପ-ପୁଅଙ୍କୁ ମଧ୍ୟ ପୂର୍ବରୁ ହାଇକୋର୍ଟରୁ ଜାମିନ ମିଳିଥିଲା।