ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର, ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ

ଭୁବନେଶ୍ୱର,୨୭।୨: ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ। ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ମିଶନ ଶକ୍ତି ବଜାର ଉଦଘାଟନ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଖୋଲାଯିବ। ଚଳିତବର୍ଷ ମିଶନ ଶକ୍ତିର ମା’ମାନେ ୧୫ ହଜାର କୋଟି ଟଙ୍କା ଋଣ ପାଇଛନ୍ତି। ଆସନ୍ତା ୫ ବର୍ଷରେ ମିଶନ ଶକ୍ତି ମା’ଙ୍କୁ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ। ଏହାସହ ସୁଧ ଫେରସ୍ତ ବାବଦକୁ ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଗତ ୫ ବର୍ଷରେ ୯୨୫ କୋଟି ଟଙ୍କା ଫେରସ୍ତ କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି କହିଛନ୍ତି,  ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମା’ ମାନଙ୍କର  ଉନ୍ନତି ପାଇଁ ସରକାର ସବୁବେଳେ କାମ କରୁଛନ୍ତି। ମା’ ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସହଭାଗୀ ହେଉଛନ୍ତି। ନୂଆ ଓ ଗଠନରେ ସାମିଲ ହୋଇଛନ୍ତି ମିଶନ ଶକ୍ତି ମା’।