ଭଲମନ୍ଦର କଥା

ଡ. ବାସୁଦେବ ମିଶ୍ର

 

କବାଟ ଖୋଲିଲେ ବାହାରର ଧୂଳିମଳି ପଶିଆସେ ଘର ଭିତରକୁ। ଘରକୁ ଅସନା କରିଦିଏ। ତାକୁ ଝାଡୁର ସାହାଯ୍ୟ ନେଇ ସଫା କରିବାକୁ ପଡ଼େ। ସଫାସୁତୁରା ଲୁଗାପଟା ପିନ୍ଧି ବାହାରେ ଟିକିଏ ବୁଲି ଫେରିଆସିବା ବେଳକୁ ତାହା ମଇଳା ହୋଇଥାଏ। ପୁଣି ସଫା କରିବାକୁ ପଡ଼େ। ଦେବଦର୍ଶନ ପାଇଁ ମନ୍ଦିରକୁ ଯାଉଯାଉ କେମିତି କେଜାଣି ଆଖି ପଡ଼ିଯାଏ ପୁରୁଷ-ନାରୀ ଯୁଗଳ ମୂର୍ତ୍ତି ଉପରେ। କୌଣସି ମହାପୁରୁଷଙ୍କଠାରୁ ଉପଦେଶ ଗ୍ରହଣ କରିବାକୁ ଯାଉଥିବାବେଳେ ଆଖି ଲାଖିଯାଏ କୌଣସି ରୂପସୀ ତରୁଣୀର ସୁନ୍ଦର ମୁଖମଣ୍ଡଳରେ। କାନ ଡେରିଲେ ମନ ଓ ହୃଦୟ ଭିତରକୁ ପଶିଆସେ ନିକଟ ମନ୍ଦିରରେ ବାଜୁଥିବା ଶଙ୍ଖ ଓ ଘଣ୍ଟାଧ୍ୱନି, ବେଦମନ୍ତ୍ରର ଉଦାତ୍ତ ସ୍ବର। ସେମିତି ତା’ ସହିତ କିଛି ଅଶ୍ଳୀଳ ଆଦିମତାର ଶବ୍ଦ ମଧ୍ୟ ଶୁଣାଯାଏ। ଆଖି ଖୋଲିଲେ ଆଗରେ ଭାସିଉଠେ ବିଚିତ୍ରବର୍ଣ୍ଣା ପ୍ରକୃତିର ମନୋହର ରୂପଶ୍ରୀ; ଯେଉଁଥିରେ ରହିଛି ଈଶ୍ୱରଙ୍କର କଳାକୃତିର ମନୋରମ ସ୍ପର୍ଶ। ପୁଣି ଅନେକ ଅସ୍ବଚ୍ଛ ଅବିବେକିତାର ଝଲକ। ଇଣ୍ଟରନେଟ୍‌ ଖୋଲି କିଛି ଜରୁରୀ କାମ କରୁକରୁ ଭିତରକୁ ପଶିଆସେ ଭାଇରସ୍‌।
ଏମିତି କିଛି ଗୋଟାଏ ଭଲ କରୁକରୁ ଭେଲଟିଏ ଆସି ବାଟ ଓଗାଳି ଛିଡ଼ାହୁଏ। ମନ ଦେଇ ପାଠ ପଢ଼, ସୁଶିକ୍ଷିତ ହୁଅ, ଜ୍ଞାନୀ ହୁଅ, ସଭ୍ୟ ସୁପଣ୍ଡିତ ହୁଅ, ନିଜେ ପରିଶ୍ରମ କରି ଧନ ଅର୍ଜନ କର ଅଥବା ଅନେକ ସୁକାର୍ଯ୍ୟ କରି ଯଶ ଅର୍ଜନ କର। ତୁମ ଅଜାଣତରେ ତା’ ସହିତ ତୁମ ମନଭିତରେ ବସାବାନ୍ଧି ରହିଯିବ କିଛି ଗର୍ବ, ଅହଙ୍କାର। ଘରର ଛାତ କଣମାନଙ୍କରେ ଲାଗିଥିବା ଟିକିଏ ଅଳନ୍ଧୁ ସଫା ନ କରି ପକାଇ ରଖିଲେ, ଅଣଦେଖା କଲେ, ତାହା ଧୀରେ ଧୀରେ ଛାତର ଚାରିପଟକୁ ଘେରିଯିବା ପରି ତୁମ ମନରେ ବସା ବାନ୍ଧୁଥିବା ଗର୍ବର ସେହି ପତଳା ଆସ୍ତରଣଟି ଧୀରେ ଧୀରେ ଗୋଟାଏ ମୋଟା ଚାଦରରେ ପରିଣତ ହୋଇ କେବେ ଅହଙ୍କାରର ରୂପ ଧାରଣ କରେ, ତାହା ତୁମକୁ ଜଣା ନ ଥାଏ। ସମୟକ୍ରମେ ଜ୍ଞାନର ପରିସୀମା ବଢ଼ିବା ସଙ୍ଗେସଙ୍ଗେ ଅହଙ୍କାରର ସେହି ଚାଦରଟି ମୋଟା ଏବଂ ଟାଣ ହୋଇ ଗୋଟିଏ ଶକ୍ତ ପଥର ଚଟାଣରେ ପରିଣତ ହୋଇଯାଏ; ଯାହାକୁ ହୁଏତ କୌଣସି ପରିସ୍ଥିତିରେ ମଧ୍ୟ ନଷ୍ଟ କରିବା କିମ୍ବା ବାହାରକୁ ଆଣିବା ସମ୍ଭବ ହୁଏନାହିଁ। ତା’ର ନାମ ହେଲା ଔଦ୍ଧତ୍ୟ।
ସୃଷ୍ଟିକ୍ରମର ନିୟମ ହେଲା ଭଲ ସହିତ ମନ୍ଦ ଟିକିଏ ମିଶିକରି ରହିବ। ଯେଉଁ ସୁନାତିଆରି ମୁଦିଟି ତୁମ ଆଙ୍ଗୁଠିରେ ଅଛି, ତାହା ସମ୍ପୂର୍ଣ୍ଣ ସୁନାରେ ତିଆରି ହୋଇନାହିଁ। କଥାଟା ହେଲା କେବଳ ସୁନାରେ କୌଣସି ଅଳଙ୍କାର ତିଆରି ହୁଏନାହିଁ, ହୋଇପାରେ ନାହିଁ। ଔଷଧ ଆମର ଶରୀରକୁ ସୁସ୍ଥ କରେ ସତ, କିନ୍ତୁ ତା’ ସହିତ ଥିବା କିଛି ଦୁର୍ଗୁଣର ପ୍ରଭାବରେ ଆମର କିଛି କ୍ଷତି ହୁଏ, ଏକଥା ମଧ୍ୟ ସତ। ତେବେ କ୍ଷତି ତୁଳନାରେ ଲାଭର ପରିମାଣ ବେଶି, ଏହି ହେତୁରୁ ଆମେ ତାକୁ ଗ୍ରହଣ କରୁ। ଗ୍ରହଣ କରିବାକୁ ବାଧ୍ୟ। ଠିକ୍‌ ସେମିତି ଯେଉଁ ପଦାର୍ଥଟିକୁ ଆମେ ମନ୍ଦ ବୋଲି କହି ଆମଠାରୁ ଦୂରେଇ ରଖୁ, ତା’ଠାରେ ଯେ ସୁଗୁଣ ନାହିଁ, ତାହା କହିବା ମଧ୍ୟ ଠିକ୍‌ ନୁହେଁ। ନିଶାଦ୍ରବ୍ୟ ନିଶ୍ଚୟ ଆମପାଇଁ କ୍ଷତିକାରକ। କିନ୍ତୁ ତା’ର ସାହାଯ୍ୟ ନ ନେଲେ ଜଣେ ରୋଗୀ ସୁସ୍ଥହେବା ହୁଏତ ସମ୍ଭବ ହୁଏନାହିଁ। ଅନେକଗୁଡିଏ ଔଷଧ ନିଶାଦ୍ରବ୍ୟ ସମ୍ବଳିତ ହୋଇଥାଏ, ଯାହା ରୋଗୀ ପାଇଁ ନିତାନ୍ତ ଆବଶ୍ୟକ। ଅପରେଶନ କରିବା ପୂର୍ବରୁ ଡାକ୍ତରମାନେ ରୋଗୀକୁ ନିଶ୍ଚେତକର ସହାୟତା ନେଇ ତାକୁ ଅଚେତ କରିଦିଅନ୍ତି। ସେପରି କରା ନ ଗଲେ କୌଣସି ରୋଗୀର ଅପରେଶନ କରିବା ସମ୍ଭବ ହୁଅନ୍ତା ନାହିଁ? ସମସ୍ତେ ଅମୃତ ଚାହାନ୍ତି। ବିଷ କେହି ଚାହାନ୍ତି ନାହିଁ। ତେବେ ବିଷର କାର୍ଯ୍ୟକାରିତା ଏବଂ ଉପଯୋଗିତା ଯେ ନାହିଁ, ତାହା ନୁହେଁ। ବିଭିନ୍ନ ଉତ୍ସରୁ ବିଷ ସଂଗ୍ରହ କରାଯାଇ ସେଥିରେ ଔଷଧ ପ୍ରସ୍ତୁତ କରାଯାଇଥାଏ ବିଭିନ୍ନ ରୋଗର ନିବାରଣ ନିମିତ୍ତ, ଏହା ଆମମାନଙ୍କ ଭିତରେ ଅନେକଙ୍କୁ ଜଣା। ବିଭିନ୍ନ କୀଟ ସରୀସୃପ ଦଂଶନର ନିଦାନ ଏହି ବିଷରୁ ହିଁ ପ୍ରସ୍ତୁତ ହୋଇଥାଏ। ଖାଲି ଶରୀର ପାଇଁ ଔଷଧ ନୁହେଁ, କୃଷିକ୍ଷେତ୍ରରେ ମଧ୍ୟ ଏହାର ବହୁଳ ଉପଯୋଗ ଦେଖାଯାଏ। ବିଭିନ୍ନ ପୋକଯୋକରୁ ଫସଲକୁ ରକ୍ଷା କରିବା ପାଇଁ ଏହି ଉପାୟ ହିଁ ସର୍ବୋତ୍କୃଷ୍ଟ ବୋଲି ପ୍ରମାଣିତ ହୋଇଛି।
କେଉଁ କଥାଟିକୁ ନିର୍ଦ୍ଦିଷ୍ଟଭାବେ ଭଲ ବା ମନ୍ଦ ବୋଲି କହି ସାର୍ଟିଫିକେଟଟିଏ ଦେବା ହୁଏତ ଠିକ୍‌ ହୋଇ ନ ପାରେ। କାରଣ ଭଲ ଓ ମନ୍ଦ ଦୁଇଟିଯାକ କଥା ଆପେକ୍ଷିକ। ଅବସ୍ଥା ଓ ପରିସ୍ଥିତି ଭେଦରେ ଏ ଦୁହିଁଙ୍କର ସଂଜ୍ଞା ବଦଳିଯାଏ। କେଉଁଠି ବିଷ ଅମୃତତ୍ୱର ସୁରକ୍ଷାବଳୟ ପାଲଟିଯାଏ ତ ଅନ୍ୟକେଉଁଠି ଅମୃତ ବିଷବତ୍‌ କାର୍ଯ୍ୟ କରେ। ଅମୃତେପମ ଦୁଗ୍ଧ ଅଥବା ଦୁଗ୍ଧଜାତ ପଦାର୍ଥ ମାତ୍ରାଧିକ ସେବନ କରିବା ଦ୍ୱାରା ତାହା ଶରୀରକୁ ଅସୁସ୍ଥ କରିଦିଏ। ପିତାମାତାଙ୍କର ସ୍ନେହରୂପୀ ଅମୃତ ଆବଶ୍ୟକତାଠାରୁ ଅଧିକ ହେଲେ ତାହା ସନ୍ତାନର ଭବିଷ୍ୟତକୁ ବିଷମୟ କରିଦିଏ।
ଯାହା ବି ହେଉ, କବାଟ ଝରକା ଆମକୁ ଖୋଲିବାକୁ ତ ହେବ। ଧୂଳି ପଶିଯିବା ଭୟରେ ଆମେ ତାକୁ ବନ୍ଦ ରଖିବା ସମ୍ଭବ ନୁହେଁ। ଉଚିତ ମଧ୍ୟ ନୁହେଁ। ଧୂଳି ଲାଗିଯିବା ଭୟରେ ତ ଆଉ ଆମେ ପୋଷାକ ପିନ୍ଧିବା ଛାଡିପାରିବା ନାହିଁ। କବାଟ ଝରକା ଖୋଲା ରଖିବାଦ୍ୱାରା ବାହାରର ଧୂଳି ମଇଳା ଘରଭିତରକୁ ପଶିଆସି ଆମର ଯେତିକି କ୍ଷତି କରେ, ତା’ଠାରୁ ଆମେ ବହୁ ପରିମାଣର ଅଧିକ ଲାଭ ପାଉ। ଘର ଭିତରର ଅସନା ବାୟୁ ବାହାରକୁ ବାହାରି ଯାଏ। ବଗିଚାରେ ଫୁଟିଥିବା ଫୁଲର ବାସ୍ନା, ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦକୁ ନେଇ ବାହାରର ପବନ ଘର ଭିତରକୁ ପଶିଆସେ। ଘର ଭିତରେ ଥାଇ ଆମେ ବାହାରର ପ୍ରକୃତିକୁ ଦେଖି ଆମୋଦିତ ହେଉ। ଫୁଲର ସୁନ୍ଦରତା, ଆକାଶର ବିଶାଳତା, ପକ୍ଷୀର କାକଳି ଆମକୁ ଆନନ୍ଦ ଦିଏ। ଆମର ମନ ଏବଂ ଶରୀରକୁ ପ୍ରଫୁଲ୍ଲ ରଖେ। ସେହିପରି ଆମେ ଯଦି ଆମର ମନରୂପୀ କୋଠରିଟିର ଝରକା କବାଟ ସବୁ ଖୋଲି ଦେଇପାରୁ, ତେବେ ଆମେ ଅଶେଷ ଲାଭ ପାଉ। ଅନ୍ୟ ଅନେକଙ୍କର ଉତ୍ତମ ଚିନ୍ତା ଓ ଚେତନା ଆମର ମନକୁ ପ୍ରଭାବିତ କରେ। ବେଦରେ ଲେଖାଅଛି-‘ଆ ନୋ ଭଦ୍ରାଃ କ୍ରତବୋ ୟନ୍ତୁବିଶ୍ୱତଃ ‘ଅର୍ଥାତ୍‌ ଚତୁର୍ଦ୍ଦିଗରୁ ଉତ୍ତମ ଚିନ୍ତା ଆମପାଖକୁ ଆସୁଥାଉ। ଏହା ସମ୍ଭବ ହେବ କିପରି? ଆମ ମନ ଓ ହୃଦୟର ଝରକାଗୁଡ଼ିକୁ ଚତୁର୍ଦ୍ଦିଗକୁ ଖୋଲା ରଖିଲେ ସିନା !
ଦଶରଥପୁର, ଯାଜପୁର
ମୋ-୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri