ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫ ଲକ୍ଷ ଟଙ୍କା ଥିଲା, ସେଇଠି ଜାନୁଆରୀ ୨୯ ତାରିଖରେ ଏହା ସର୍ୱକାଳୀନ ଉଚ୍ଚତମ ସ୍ତର (ଅଲ-ଟାଇମ ହାଇ) ପ୍ରତି ୧୦ ଗ୍ରାମ ପିଛା ୧.୯୩ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଥିଲା। ବର୍ତ୍ତମାନ ଏହାର ମୂଲ୍ୟ ପ୍ରାୟ ୧.୪୮ ଲକ୍ଷ ଟଙ୍କା ପାଖାପାଖି ରହିଛି। ଏହି ସମୟରେ ସୋସିଆଲ ମିଡିଆରେ ବୁଲଗେରିଆର ଜଣାଶୁଣା ଭବିଷ୍ୟବକ୍ତାଙ୍କର ସୁନାକୁ ନେଇ ଏକ ଭବିଷ୍ୟବାଣୀ ଘୁରି ବୁଲୁଛି। ସେହି ଭବିଷ୍ୟବାଣୀ ଅନୁଯାୟୀ, ୨୦୨୭ ସୁଦ୍ଧା ସୁନା ଦର ୨.୮୨ ଲକ୍ଷ ଟଙ୍କା ଟପିଯିବ।
ବାବା ଭେଙ୍ଗାଙ୍କ ଏହି କଥିତ ଭବିଷ୍ୟବାଣୀକୁ ବିଶ୍ୱାସ କଲେ, ସୁନା ଏହାର ବର୍ତ୍ତମାନର ଦର ୧.୪୮ ଲକ୍ଷ ଟଙ୍କାରୁ ପ୍ରାୟ ଆଉ ୧.୩୪ ଲକ୍ଷ ଟଙ୍କା ବଢ଼ିପାରେ; ଅର୍ଥାତ୍ ଏହାର ପୂର୍ୱ ସର୍ୱକାଳୀନ ରେକର୍ଡ ୧.୯୩ ଲକ୍ଷ ଟଙ୍କାଠାରୁ ମଧ୍ୟ ପ୍ରାୟ ୯୦ ହଜାର ଟଙ୍କା ଅଧିକ।
କିଛି ଅନଲାଇନ ରିପୋର୍ଟରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବୋଲି ଦାବି କରି କୁହାଯାଉଛି ଯେ, ୨୦୨୭ରେ ଏପରି ବିଶ୍ୱସ୍ତରୀୟ ଆର୍ଥିକ ସଙ୍କଟ ଆସିପାରେ ଯେଉଁଥିରେ ନଗଦ ଟଙ୍କାର ଘୋର ଅଭାବ ଦେଖାଦେବ ଏବଂ ଏହି ସମୟରେ ସୁନା ଦରରେ ପ୍ରବଳ ବୃଦ୍ଧି ଘଟିବ।
କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହା କ’ଣ ପ୍ରକୃତରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ଯଦି ହଁ, ତେବେ ଏହା କ’ଣ ସତ ହୋଇପାରେ? ଏ ସମ୍ପର୍କରେ ବିଶେଷଜ୍ଞଙ୍କ ମତ କ’ଣ ଏବଂ କମୋଡିଟି ତଥା ବୁଲିୟନ ବିଶେଷଜ୍ଞମାନଙ୍କର ଆକଳନ କ’ଣ?
ଦାବି ଅନୁସାରେ, ବାବା ଭେଙ୍ଗା ୨୦୨୭ରେ ସୁନା ଦର ବଢ଼ିବା ନେଇ ଭବିଷ୍ୟବାଣୀ କରିଥିଲେ। କିଛି ରିପୋର୍ଟରେ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୨.୬୨ ଲକ୍ଷରୁ ୨.୮୨ ଲକ୍ଷ ଟଙ୍କାରେ ପହଞ୍ଚିବା ନେଇ ଦାବି କରାଯାଇଛି। କିନ୍ତୁ ଏହି ଦାବିର କୌଣସି ପ୍ରମାଣିତ ରେକର୍ଡ ଦେଖିବାକୁ ମିଳିନାହିଁ।
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀର କୌଣସି ଜଣାଶୁଣା ଲିଖିତ ରେକର୍ଡ ନାହିଁ କି କୌଣସି ର୍ନିଦ୍ଦିଷ୍ଟ ତଥ୍ୟ ନାହିଁ। ତାଙ୍କର କଥିତ ଭବିଷ୍ୟବାଣୀଗୁଡ଼ିକ ଅନ୍ୟ ଲୋକଙ୍କ ବୟାନ ଓ ଭିନ୍ନ ଭିନ୍ନ ପ୍ରକାଶନ ମାଧ୍ୟମରେ ସାମ୍ନାକୁ ଆସିଥାଏ। ଯଦିଓ ଆମେରିକାରେ ୯/୧୧ ଆକ୍ରମଣ, ଚେର୍ଣ୍ଣୋବିଲ ଦୁର୍ଘଟଣା, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଏବଂ ୨୦୦୪ର ସୁନାମି ଭଳି ତାଙ୍କର ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି, ତଥାପି ସୁନା ଉପରେ ଏଭଳି କୌଣସି ପ୍ରମାଣସିଦ୍ଧ ତଥ୍ୟ ମିଳେ ନାହିଁ।
ସୁନା ଓ ରୂପା ବିଗତ ବର୍ଷଗୁଡ଼ିକରେ ବେଶ ଭଲ ରିଟର୍ଣ୍ଣ ଦେଇଛି। ଏ ସମ୍ପର୍କରେ କେଡିଆ ଆଡଭାଇଜରୀର ପରିଚାଳନା ନିର୍ଦ୍ଦେଶକ (MD) ଅଜୟ କେଡିଆ କହିଛନ୍ତି ଯେ ନିବେଶର ଉତ୍ତମ ପ୍ରବାହ, ଭୂ-ରାଜନୈତିକ ଅନିଶ୍ଚିତତା ଏବଂ ଯୋଗାଣରେ ଅଭାବ ଯୋଗୁଁ ଦୀପାବଳି ତଥା ୨୦୨୬ ଶେଷ ସୁଦ୍ଧା ସୁନା ଦର ଆହୁରି ବଢ଼ିବାର ସଙ୍କେତ ମିଳୁଛି।
ସେ କହିଛନ୍ତି ଯେ ସେଣ୍ଟ୍ରାଲ ବ୍ୟାଙ୍କଗୁଡ଼ିକର କ୍ରୟ, ETFରେ ନିବେଶ, ରିଜର୍ଭର ବିବିଧତା ଏବଂ ଟଙ୍କାର ମୂଲ୍ୟରେ ସମ୍ଭାବ୍ୟ ହ୍ରାସ ସୁନା ଦରକୁ ସମର୍ଥନ କରୁଛି। ସେ କହିଛନ୍ତି “ଆମର ଆଶା ରହିଛି ଯେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୧.୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ, ଯାହାକି ବର୍ତ୍ତମାନର ଦରଠାରୁ ପ୍ରାୟ ୧୮% ଅଧିକ।”
କେଡିଆ ଆଡଭାଇଜରୀ ଅନୁଯାୟୀ, ରୂପା ଦରରେ ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି, କିନ୍ତୁ ଏଥିରେ ଉତ୍ଥାନ-ପତନ ମଧ୍ୟ ବେଶ ଅଧିକ ଥାଏ। ଯୋଗାଣରେ ନିରନ୍ତର ଅଭାବ, ଖଣିରୁ ଯୋଗାଣ ବଢ଼ାଇବାର ସୀମିତ ସୁଯୋଗ ଏବଂ ଇଲେକ୍ଟ୍ରୋନିକ୍ସ, ବୈଦ୍ୟୁତିକ ଯାନବାହନ, ପାୱାର ଇନଫ୍ରାଷ୍ଟ୍ରକ୍ଚର ତଥା କ୍ଲିନ ଏନର୍ଜି କ୍ଷେତ୍ରରୁ ଭବିଷ୍ୟତରେ ଆସୁଥିବା ଚାହିଦା ଏହାର ମୁଖ୍ୟ କାରଣ। ରୂପା ଦର କିଲୋଗ୍ରାମ ପିଛା ପ୍ରାୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ, ଯାହା ପ୍ରାୟ ୨୮% ସମ୍ଭାବ୍ୟ ବୃଦ୍ଧି ଦର୍ଶାଉଛି।
ଅଜୟ କେଡିଆ କହିଛନ୍ତି ଯେ ସୁନା-ରୂପା ଅନୁପାତ (ଗୋଲ୍ଡ-ସିଲଭର ରେସିଓ) ବର୍ତ୍ତମାନ ୬୫-୬୬ ପାଖାପାଖି ରହିଛି। ଯଦି ଏହା ୬୦-୬୨ ଆଡ଼କୁ ଖସେ, ତେବେ ରୂପା ପାଇଁ ସ୍ଥିତି ଆହୁରି ଉନ୍ନତ ହେବ। ସେ କହିଛନ୍ତି ଯେ ନିବେଶକମାନେ ଧୀରେ ଧୀରେ ନିବେଶ କରିବା ଉଚିତ। ଋଣ ନେଇ ନିବେଶ (ଲିଭରେଜ) କରିବାରୁ ଦୂରେଇ ରହିବା ଉଚିତ ଏବଂ ବୁଲିୟନ ବଜାରରେ ବିବିଧତା (ଡାଇଭର୍ସିଫିକେସନ) ବଜାୟ ରଖି ନିବେଶ ଜାରି ରଖିବା ଦରକାର। ଅଧିକ ବୃଦ୍ଧିର ସମ୍ଭାବନା ପାଇଁ ସେମାନେ ସୁନା ତୁଳନାରେ ରୂପାର ଅଂଶ ଅଧିକ ରଖିପାରିବେ।

