Categories: ଖେଳ

‘ଚେସ୍‌ ଅଲିମ୍ପିଆଡରେ ସ୍ବର୍ଣ୍ଣ ଏକ ମ୍ୟାଜିକ ମୁହୂର୍ତ୍ତ’

ଚେନ୍ନାଇ, ୧ା୯ (ପି.ଟି.): ଭାରତ ଓ ରୁଷିଆ ୨୦୨୦ ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡରେ ଯୁଗ୍ମ ବିଜେତା ଘୋଷିତ ହୋଇଛନ୍ତି। ଭାରତୀୟ ଚେସ୍‌ ପାଇଁ ଏହା ଏକ ମ୍ୟାଜିକ ମୁହୂର୍ତ୍ତ ବୋଲି କିମ୍ବଦନ୍ତୀ ଖେଳାଳି ବିଶ୍ୱନାଥନ ଆନନ୍ଦ ଓ ମହିଳା ବିଭାଗରେ ଦେଶର ନମ୍ବରଓ୍ବାନ କୋନେରୁ ହମ୍ପି ପ୍ରକାଶ କରିଛନ୍ତି। ଭାରତ ପ୍ରଥମଥରପାଇଁ ଚେସ୍‌ ଅଲିମ୍ପିଆଡ ସ୍ବର୍ଣ୍ଣ ପଦକ ପାଇଛି। ଚେସ୍‌ର ପ୍ରସାର ଦିଗରେ ଏହା ସହାୟକ ହେବ ବୋଲି ଉଭୟ ଖେଳାଳି ପ୍ରକାଶ କରିଛନ୍ତି।
ପ୍ରତିଯୋଗିତାର ଫାଇନାଲ ଅବସରରେ ସର୍ଭରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ଭାରତର ନିହାଲ ସରିନ ଓ ଦିବ୍ୟା ଦେଶମୁଖ ସେମାନଙ୍କ ଗେମ୍‌ ହାରିଯାଇଥିବା ଦର୍ଶା ଯାଇଥିଲା ଏବଂ ରୁଷିଆକୁ ବିଜେତା ଘୋଷଣା କରାଯାଇଥିଲା। ମାତ୍ର ଭାରତ ଏହି ବିବାଦୀୟ ନିଷ୍ପତ୍ତିର ପ୍ରତିବାଦ କରିବାରୁ ରିଭ୍ୟୁ କରାଯାଇ ଉଭୟ ଦଳକୁ ଯୁଗ୍ମବିଜେତା ଘୋଷଣା କରାଗଲା। ”ଏହି ଟୁର୍ନାମେଣ୍ଟ ମୋ ପାଇଁ ଏକ ସ୍ବପ୍ନଭଳି ଥିଲା। ମୋ ଲାଗି ଏହା ଏକ ସ୍ବତନ୍ତ୍ର ସ୍ବର୍ଣ୍ଣ ପଦକ ଏବଂ ଯୁବ ଖେଳାଳିଙ୍କ ପାଇଁ ମ୍ୟାଜିକାଲ ମୁହୂର୍ତ୍ତ“ ବୋଲି ଅନ୍ୟ ୧୧ ଭାରତୀୟ ଖେଳାଳିଙ୍କ ଉପସ୍ଥିତିରେ ଅନ୍‌ଲାଇନ୍‌ରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଭାବବିନିମୟ ଅବସରରେ ଆନନ୍ଦ ପ୍ରକାଶ କରିଛନ୍ତି। ଚେସ୍‌ ଅଲିମ୍ପିଆଡରେ ପ୍ରଥମ ସ୍ବର୍ଣ୍ଣ ଭାରତରେ ଅନେକ କିଛି ନୂଆ ଧାରାର ଆରମ୍ଭ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ୨୦୧୪ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିଲା। ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଥିଲା। ଯୁବ ଖେଳାଳିମାନେ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କଲେ। ଭାରତୀୟ ଚେସ୍‌ର ଗଭୀରତାକୁ ଏହା ସୂଚାଉଛି। ଏହା ନିଶ୍ଚିତ ଉପରେ ଚେସ୍‌ପ୍ରତି ସରକାରଙ୍କ ମନୋଭାବ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଆନନ୍ଦ ଆଶାବ୍ୟକ୍ତ କରିଛନ୍ତି।
ବିଶ୍ୱ ର଼୍ୟାପିଡ୍‌ ଚେସ୍‌ ଚାମ୍ପିୟନ ହମ୍ପିଙ୍କ ମତରେ ଭାରତୀୟ ଚେସ୍‌ ପାଇଁ ଏହା ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ। ନିହାଲ ସରିନ, ଆର. ପ୍ରଜ୍ଞାନାନନ୍ଦ, ଭାନ୍ତିକା ବହୁତ ଭଲ ପ୍ରଦର୍ଶନ କଲେ। ମୋଟାମୋଟି ଭାବେ ଏହା ଏକ ଚମତ୍କାର ଟିମ୍‌ଓ୍ବର୍କ ଥିଲା। ମିକ୍ସଡ ଟିମ୍‌ର ଆମକୁ ଫାଇଦା ମିଳିଲା। ”ଅନ୍‌ଲାଇନ୍‌ ଚେସ୍‌ ଖେଳିବାରେ ମୋର ଅଭିଜ୍ଞତା ନ ଥିଲା। ବୋର୍ଡରେ ଖେଳିବାକୁ ମୁଁ ସହଜ ମନେକରେ। କରୋନା ସଂକ୍ରମଣ ଆମକୁ ଅନ୍‌ଲାଇନ୍‌ରେ ଖେଳିବା ଉପରେ ଫୋକସ କରିବାକୁ ବାଧ୍ୟ କରିଛି। ଏହା ଏକ ଭିନ୍ନ ଅନୁଭବ। ଧୀରେଧୀରେ ଆମେ ଏହି ଢାଞ୍ଚାରେ ପଡ଼ିଯିବୁ“ ବୋଲି ହମ୍ପି କହିଛନ୍ତି। ସମସ୍ତ ଖେଳାଳିଙ୍କ ଅବଦାନ ଯୋଗୁ ଭାରତ ଏପରି ଏକ ସଫଳତା ପାଇଲା ବୋଲି ଟିମ୍‌ କ୍ୟାପଟେନ ଭିଦିଥ ଗୁଜରାଟି ପ୍ରକାଶ କରିଛନ୍ତି।

Share