ଆଗକୁ ଅନା

ଦ୍ୱିତୀ ଚନ୍ଦ୍ର ସାହୁ

କ’ଣ ପାଇଁ ଏତେ ପଛକୁ ଅନଉଛନ୍ତି ଆପଣ! ଝୁଣ୍ଟି ପଡ଼ିବେ। ମୁହଁମାଡି ପଡିବେ। ହୁଏତ ଆଉ ଉଠି ପାରିବେନି। ଦେଖୁଥିବା ଲୋକ ଟାହିଟାପରା କରିବେ। ନ ଦେଖୁଥିବା ଲୋକ ଆହାଃ ଚୁ ଚା କରିବା ବାହାନାରେ ଭିତରେ ଭିତରେ ଖୁସି ହେବେ। ଥରେ ପଡିଗଲେ ହୁଏତ ଉଧେଇ ପାରିବେନି। ଆପଣଙ୍କ ଗତି ସେଠି ରହିଯିବ। ଯଦି ଠିଆ ହୋଇ ହାଲିଆ ମାରିବାକୁ ଇଚ୍ଛା କରୁଛନ୍ତି। ନିଶ୍ଚେ ଥକ୍କା ମେଣ୍ଟାଇବେ ସତ। କିନ୍ତୁ ଜାଣନ୍ତୁ ଆପଣ ପଛରେ ପଡିଯିବେ। ଧୂଆମୂଳା ଅଧୂଆମୂଳା ସବୁ ଆପଣଙ୍କୁ ପଛ କରି ଛାଡି ଆଗକୁ ମାଡିଯିବେ। ତା’ପରେ ଆପଣ ବ୍ୟସ୍ତ ବିବ୍ରତ ହେବେ। ପଛରୁ ଦୌଡିବେ। ସେତେବେଳକୁ ସେମାନେ ବହୁ ଆଗକୁ ଚାଲି ଯାଇଥିବେ। ପୁଣି ପଛରେ ପଡିଯିବେ ଆପଣ। ଆଉ ଆଗରେ ଥିବା ବାକି ଲୋକ ପଛକୁ ମୋଟେ ଚାହିଁବେନି। ଆପଣଙ୍କ ମୁହଁ ବି ଦେଖିବେନି। ଅଥବା ପଛରେ ପଡିଯାଇଥିବା ଲୋକଙ୍କୁ ହାତ ଧରି ଉଠେଇ ସାଥୀରେ ନେବାକୁ ଚାହିଁବେନି। ଏମିତିକି ମୁହଁ ମାଡି ପଡି ଯାଇଥିଲେ ବି ଟିକେ ଅଟକି ଉଠେଇବାକୁ ଚେଷ୍ଟା କରିବେନି। ଯିଏ ଆଗକୁ ଚାଲିଲା ତ ସେ ଚାଲିଲା। ନ ଝୁଣ୍ଟିଲା ଯାଏ ସେ ନିଜକୁ ପାରିବାର ବୋଲି ଭାବି ନିଏ। ନିଜେ ସବ୍‌ ଜାନତା ବୋଲି ଚିନ୍ତା କରେ। କାହାର ମତାମତକୁ ଗ୍ରହଣ କରିବା ପରିସ୍ଥିତିରେ ନ ଥାଏ। ଓଲଟି ମତାମତ ଦେଉଥିବା ଲୋକଙ୍କୁ ସେ ନିଜର ଶତ୍ରୁ ବୋଲି ଭାବିନିଏ। କିଛି ବଚସ୍କରଙ୍କୁ କୋଳେଇ ଧରେ। ତଥାକଥିତ ଅପାଣ୍ଡୁକମାନଙ୍କ ଭେଳିକିରେ ଉତ୍‌ଫୁଲ୍ଲିତ ହୋଇପଡେ। ନିଜର ହିତାହତ ଜ୍ଞାନ ବି ଭୁଲିଯାଏ। ନିଜର ଆତ୍ମବଡ଼ିମା ଭିତରେ ଟକମକ ହୋଇ ରହେ। ଭଲ ମଣିଷକୁ ଅଣଦେଖା କରେ। ସେଇ ପାରିବାପଣ ହିଁ ତାକୁ ଶେଷରେ ମାରି ଗୋଡାଏ। ପରେ ନକାରାତ୍ମକ ଶକ୍ତିକୁ ଜନ୍ମ କରେ। ଝୁଣ୍ଟି ପଡିବାର ଜାଗ୍ରତ ଚେତନା ଯାହା ପାଖରେ ଥାଏ ସେ କ୍ୱଚିତ ଭୁଲ କରେ। ଭୁଲ କରିବା ପୂର୍ବରୁ ଭୁଲ ସମ୍ପର୍କରେ ଆଗୁଆ ବି ସୂଚନା ପାଇପାରେ ବିଭିନ୍ନ ପରିସ୍ଥିତି କିମ୍ବା ଭିନ୍ନ ଭିନ୍ନ ସଙ୍କେତରେ। ସେଇ ପରିସ୍ଥିତିରୁ ସେ ସତର୍କ ହୋଇଯାଏ।
ଆଚ୍ଛା ! କହିଲେ, ଆଗକୁ ଚାଲୁଥିବା ଲୋକ ପଛକୁ ଚାହିଁବା କି ଦରକାର? ଯିଏ ସନ୍ଦେହୀ, ଭୟାଳୁ ଅବା କୌଣସି ଅପକର୍ମରେ ଲିପ୍ତ ସେଇ ଜାତୀୟ ଲୋକ ହିଁ ଆଗକୁ ଚାଲି ପଛକୁ ଅନାନ୍ତି। ରହି ରହି ଟିକେ ବାଁକୁ ଟିକେ ଡାହାଣକୁ ଦେଖନ୍ତି। ଅନ୍ୟର ଉପସ୍ଥିତିକୁ ପରଖିବାକୁ ଆଗ୍ରହ ପ୍ରକଟ କରନ୍ତି। ଅନ୍ୟଲୋକଙ୍କ ଦୃଷ୍ଟିରୁ ଦୂରରେ ସେ ଅଛି କି ନାହିଁ ପରଖନ୍ତି ବରାବର। ନିଜ ଆସନରେ ରହି ଚାରିପଟର ଲୋକଙ୍କ ଖୋଜ ଖବର ରଖନ୍ତି। ଅଯଥା କଥାରେ ନାକ ପୂରାନ୍ତି। ନିଜର ଗୁଣକୀର୍ତ୍ତନ ନିଜେ କରନ୍ତି। କିଏ ଶୁଣୁ ବା ନ ଶୁଣୁ ନିଜର ଢୋଲକୁ ନିଜେ ବଜାନ୍ତି। ଅନ୍ୟମାନେ ନିଜ ଉପରେ ସାର୍ଟିଫିକେଟ ଦେବା ଆଗରୁ ସିଆଣିଆ ହୋଇ ନିଜେ ନିଜର ସାର୍ଟିଫିକେଟ ଥୋଇ ଥାଆନ୍ତି। ଅର୍ଥାତ୍‌ ଦର୍ଶାଇବାକୁ ଚେଷ୍ଟା କରନ୍ତି – ମୁଁ ସଫା ଓ ନିର୍ମଳ ଗଙ୍ଗା। ବାକି ସବୁ ମୂର୍ଖ ଓ ଗନ୍ଧୁରା। ହେଲା ବାପଧନ!
ତୁମେ ଅମୃତ ତୁଲ୍ୟ। ତୁମେ ବିଚକ୍ଷଣ ଓ ବିବେକୀ। ସେଥିପାଇଁ ତୁମେ ଆଗକୁ ବଢ। ଆଗକୁ ମାଡି ଚାଲ। ପଛକୁ କିଆଁ କରୁଛ ନଜର। କିଏ କ’ଣ କଲା। କିଏ କ’ଣ ବୋଇଲା। କିଏ କେତେ ତୁଚ୍ଛା ରଟନା କଲା। ସେସବୁ ଉପରେ ଏତେ ଗୁରୁତ୍ୱ କିଆଁ। ଆଗକୁ ବଢିଲେ ହିଁ ଲୋକେ କହିବେ। ଧଳା ପୋଷାକରେ କାଳିମାର ଛିଟା ପକେଇବେ। ଗୁଡାଏ ତୁଚ୍ଛା ଅପପ୍ରଚାର କରିବେ। ନାନା କଥା ଫନ୍ଦିଫିକର କରି ଚର୍ଚ୍ଚା କରିବେ। ଲୋକଙ୍କର କାମ ତ ସେୟା। ଯିଏ ପଛରେ ରହିବ ସିଏ ବେଶି କହିବ। ଯିଏ ସମତୁଲ ହୋଇ ପାରୁ ନ ଥିବ ସିଏ ଗୁଡାଏ ବକିବ। ଯିଏ ନିଜକୁ ହାରି ଯାଇଥିବାର ଅନୁଭବ କରିସାରିଥିବ ସେ ଗଳା ଫଟାଇ ହୁଡିବ। ଏସବୁରେ ବିଚଳିତ ହେବ ଯଦି ତୁମ ପରି ବୁଦ୍ଧିମାନ ବ୍ୟକ୍ତି ସେଇଠି ଅଟକିଯିବ। ପୁଣି ଏସବୁ କଥାରେ ହିଁ ମାତି ଉଠିବ ଓ ତାତି ଉଠିବ। ଯାବତୀୟ ସମସ୍ୟାକୁ ଆମନ୍ତ୍ରଣ କରିବ। ନିଜର ମୂଲ୍ୟବାନ ସମୟକୁ ଅପଚୟ କରିବ। ଆଗକୁ ବଢିବାର ପ୍ରୟାସରେ ନିଜେ ହିଁ ନିଜ ପାଇଁ କଣ୍ଟା ସାଜିବ।
ବଢିବାର ଅଛି ଆଗକୁ ଅନା। ପଛକଥାରେ କି ଲାଭ? ସେ ଅତୀତ। ଖାଲି ସ୍ମୃତି। ସାଇତା ଅନୁଭବକୁ ସାଥୀରେ ଧରି ଚାଲ। ମିଳିଥିବା କର୍ମଫଳକୁ ଜାବୋଡି ଧର। ପ୍ରଶଂସାକୁ ଛାଡ। ଦୋଷ ଦୁର୍ବଳତାକୁ କୋଳେଇ ନିଅ। ଆଗକୁ ମାଡି ମାଡି ସେସବୁକୁ ପରଖ। ନିଜ ଭୁଲକୁ ସୁଧାରିବାକୁ ଚେଷ୍ଟା କର। କିଏ ନିଜର କିଏ ପର ଚିହ୍ନ। ସ୍ବାର୍ଥୀ ମଣିଷମାନଙ୍କଠାରୁ ନିଜକୁ ଦୂରେଇ ରଖ। ମିଠା ମିଠା କଥାରେ ଭୋଳ କରୁଥିବା ଲୋକଙ୍କ ଆଭିମୁଖ୍ୟକୁ ଥରେ ତଳେଇ ଦେଖ। ମିଠାପଣ ଭିତରେ କେତେ ଜହର ରହିଛି ତାକୁ ଆକଳନ କର। ଭୋଳିଲେ ଭୁଲ୍‌ କରିବ। କଟୁ ବଚନ କଷ୍ଟ ଦେଉଥିଲେ ବି ତା’ ପଛର କାରଣ ନିର୍ଦ୍ଧାରଣ କର। ନିଃସ୍ବାର୍ଥପର ଭାବେ ମୁହଁରେ ସତ କହୁଥିବା ଲୋକଙ୍କୁ ଆଦର କର। ସେ ଖାଣ୍ଟିପଣେ ଏକା ତୁମର। ତୁମକୁ ଖୁବ ଭଲ ପାଉଥିବ ଅନ୍ତରର ସହ। ଡର ଭୟ ନ ରଖି ମୁହଁାମୁହିଁ ମଣିଷର ଦୁର୍ଗୁଣ କହିବା କମ୍‌ ସାହସିକତାର କଥା ନୁହଁ। ସମାଜରେ ଏମିତି ହାତଗଣତି ମଣିଷ ଥିବେ। ଅତୀତର ତିକ୍ତତା ଆଗାମୀ କାଲିର ସଫଳତା। ଅତୀତର ସଫଳତା ଆଗାମୀ କାଲିର ଅପୂର୍ବ ଦକ୍ଷତା। ଏସବୁ ତୁମର ପୁଞ୍ଜି। ତାକୁ ସାଉଁଟି ନିଅ। ଅତୀତ ଫୁଲର ଶେଯ ହେଲେ, ଆଗକୁ ହୁଏତ କଣ୍ଟକିତ ପଥ ଥିବ। ରକ୍ତ ଫୁଟିବାର ସମ୍ଭାବନା ଥିବ। ଅତୀତ କଣ୍ଟକିତ ଓ ସଂଘର୍ଷମୟ ଯଦି ଆଗାମୀ ସମୟ ହୁଏତ ନୂଆ ସମ୍ଭାବନାମୟ ହେବ। ଅତୀତ ସଂଘର୍ଷର ନିଷ୍କର୍ଷ ନିଜ ପାଇଁ କେଡେ ଅବ୍ୟର୍ଥ। ଅଦେଖା ଭବିଷ୍ୟତ ପାଇଁ ବାଇ କିଆଁ। ଭବିଷ୍ୟତକୁ ନେଇ ସ୍ବପ୍ନ ଓ ସମ୍ଭାବନା ରହୁ। କିନ୍ତୁ କଳ୍ପନାରେ ବିଭୋର ଅଧିକତଃ ବେପଥୁ କରିବ ନିଶ୍ଚିତ। ପଛରେ ରହି କୋଳାହଳ କରୁଥିବ, ଅନୁପସ୍ଥିତିରେ କୋପେ କୁତ୍ସାରଟନା କରୁଥିବ, କିନ୍ତୁ ସାମ୍ନାରେ ତା’ ପ୍ରତି ଅନ୍ତରଙ୍ଗ ଦେଖାଇ ହେଁ ହେଁ ହେଉଥିବା ମଣିଷ ସମାଜର ବଡ଼ ବିଷଧର ସର୍ପ। ତାକୁ ଭାରି ସତର୍କ। ଅତଏବ ପଛକୁ ଆଉ ଦେଖନା। ଏଥର ତ ଟିକେ ଆଗକୁ ଅନା।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri