Categories: ଖେଳ

ଗିରୋ ଡି’ ଇଟାଲିଆ: କାରୁସୋ ଜିତିଲେ ଷ୍ଟେଜ୍‌-୨୦

ରୋମ୍‌, ୩୦ା୫: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୨୦ତମ ଷ୍ଟେଜ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି। ଭର୍ବାନିଆରୁ ଭାଲି ସ୍ପଲଗା ୧୬୪ କିଲୋମିଟର ବିଶିଷ୍ଟ ଏହି ଷ୍ଟେଜ୍‌ରେ ଇଟାଲିର ଡାମିଆନୋ କାରୁସୋ (ବାହାରିନ୍‌ ଭିକ୍ଟୋରିଅସ୍‌) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୪ ଘଣ୍ଟା ୨୭ ମିନିଟ୍‌ ଓ ୫୩ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍‌ ଶେଷ କରିଛନ୍ତି। ତାଙ୍କଠାରୁ ଯଥାକ୍ରମେ ୨୪ ସେକେଣ୍ଡ ଓ ୩୫ ସେକେଣ୍ଡ ପଛରେ ରେସ୍‌ ଶେଷ କରି କଲମ୍ବିଆର ଇଗାନ ବର୍ନାଲ ଗୋମେଜ (ଇନୋସ୍‌ ଗ୍ରେନାଡିଅର୍ସ) ଓ କଲମ୍ବିଆର ଡାନିଏଲ୍‌ ମାର୍ଟିନେଜ୍‌ ପୋଭେଡା (ଇନୋସ ଗ୍ରେନେଡିଅର୍ସ) ଦ୍ୱିତୀୟ ଓ ତୃତୀୟ ହୋଇଥିଲେ। ରେସ୍‌ର ଟପ୍‌ ଟେନ୍‌ରେ ରହିଥିବା ଅନ୍ୟ ରାଇଡରମାନେ ଯଥାକ୍ରମେ ହେଲେ ଫ୍ରାନ୍ସର, ରୋମେନ ବାର୍ଡେଟ୍‌ (ଟିମ୍‌ ଡିଏସ୍‌ଏମ୍‌), ପର୍ତ୍ତୁଗାଲର ଜୋଆଓ ଅଲ୍‌ମିଦା (ଡେସିଉନିକ୍‌ କୁଇକ୍‌ ଷ୍ଟେପ୍‌), ଗ୍ରେଟ୍‌ ବ୍ରିଟେନର ସିମନ ୟେଟ୍ସ ( ଟିମ୍‌ ବାଇକ୍‌ ଏକ୍ସଚେଞ୍ଜ୍‌), ରୁଷିଆର ଆଲେକ୍‌ସାଣ୍ଡର ଭ୍ଲାସୋଭ (ଅଷ୍ଟାନା ପ୍ରିମିୟର ଟେକ୍‌), ଗ୍ରେଟ୍‌ ବ୍ରିଟେନର ହଗ୍‌ କାର୍ଥତ୍ (ଇଏଫ୍‌ ଏଜୁକେଶନ ନିପ୍ପୋ), ଇଟାଲୀର ଲରେନ ଫର୍ଟୁନାଟୋ (କୋମେଟା ସାଇକ୍ଲିଂ ଟିମ୍‌) ଓ ସ୍ପେନର ଆଣ୍ଟୋନିଓ ପେଡ୍‌ରେରୋ (ମୋଭିଷ୍‌ଟାର ଟିମ୍‌)। ୨୦ତମ ଷ୍ଟେଜ୍‌ ପରେ ଜେନେରାଲ କ୍ଲାସିଫିକେଶନରେ କଲମ୍ବିଆର ଇଗାନ ବର୍ନାଲ ଗୋମେଜ୍‌, ଇଟାଲୀର ଡାମିଆନୋ କାରୁସୋ ଓ ସିମନ ୟେଟ୍ସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ଫଳରେ ବର୍ନାଲ ତାଙ୍କ ପିଙ୍କ୍‌ ଜର୍ସି ବଜାୟ ରଖିଛନ୍ତି। ରବିବାର ସେନାଗୋ ଓ ମିଳାନୋ ମଧ୍ୟରେ ୩୦.୩ କିଲୋମିଟର ବିଶିଷ୍ଟ ଅନ୍ତିମ ଷ୍ଟେଜ୍‌ ୨୧ ଅନୁଷ୍ଠିତ ହେବ। ୟେଟ୍ସ ଓ କାରୁସୋଙ୍କ ମଧ୍ୟରୁ ଜଣେ କେହି ବର୍ନାଲଙ୍କୁ ଜେନେରାଲ କ୍ଲାସିଫିକେଶନ ଟେବୁଲର ପ୍ରଥମ ସ୍ଥାନରୁ ହଟାଇ ପାରୁଛନ୍ତି କି ନା ତାହା ସ୍ପଷ୍ଟ ହେବ।

Share