ଭୁବନେଶ୍ୱର, ୮।୬: ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଯୁବତୀ ଜଣକ ଏକ ହଷ୍ଟେଲରେ ରହୁଥିବା ବେଳେ ତାଙ୍କର ପରିଚିତ ଜଣେ ପୁରୁଷ ବନ୍ଧୁ ତାଙ୍କୁ ବାହାରକୁ ଡାକି ନେଇଥିଲେ। ପରେ ତାଙ୍କୁ ଏକ ହୋଟେଲକୁ ନେଇ ଇଚ୍ଛା ବିରୋଧରେ ବଳତ୍କାର କରିଥିବା ନେଇ ଯୁବତୀ ଅଭିଯୋଗ କରିଛନ୍ତି।
ଘଟଣା ପରେ ପୀଡ଼ିତା ଧଉଳି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଇଛି। ସେହିପରି ଘଟଣାସ୍ଥଳ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ତଦନ୍ତ ଜାରି ରଖିଛି। ତେବେ ତଦନ୍ତ ଚାଲିଥିବାରୁ ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ବିସ୍ତୃତ ସୂଚନା ପ୍ରକାଶ କରାଯାଇନାହିଁ। ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।