ପାଟଣା,୧୯ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ଗିରିଜାଶଙ୍କର ମନ୍ଦିର ପରିସରରେ ଗୁରୁବାର ରାତିରେ ଦେବ ଦମ୍ପତ୍ତିଙ୍କ ବିବାହ (ଶିବ ବିବାହ ଓ ଶୀତଳଷଷ୍ଠୀ) ଉତ୍ସବ ପାଳିତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଦେବ ଦମ୍ପତି ତୁରୁମୁଙ୍ଗା ବଜାର ଓ ବିଭିନ୍ନ ସାହି ପରିକ୍ରମା କରିଛନ୍ତି। ପୂର୍ବରୁ ଉଭୟ ବରପକ୍ଷ ଓ କନ୍ୟା ପକ୍ଷଙ୍କ ଉପସ୍ଥିତିରେ ଗୁଆଭଙ୍ଗା ଓ ନିର୍ବନ୍ଧ କାର୍ଯ୍ୟ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିଲା। ଶିବ ବିବାହ ଓ ଶୀତଳ ଷଷ୍ଠୀ ପର୍ବରେ ଯୋଗଦେବାକୁ ଉଭୟ ପକ୍ଷ ସହ ପ୍ରିୟ ପରିଜନ ଓ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ହୋଇଥିଲା।
ଗୁରୁବାର ପ୍ରତ୍ୟୁଷରୁ ପୁଣ୍ୟତୋୟା ବୈତରଣୀ ନଦୀର ପବିତ୍ର ଜଳ ଅଣାଯାଇ ଦେବାଧିଦେବ ଗିରିଜାଶଙ୍କର ଓ ମାତା ପାର୍ବତୀଙ୍କ ମହାସ୍ନାନ କରାଯାଇଥିଲା। ରାତିରେ ନୀତିକାନ୍ତିରେ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଠାକୁରଙ୍କ ମୁକୁଟ, ବସ୍ତ୍ର, ଅଳଙ୍କାର ନେଇ ଘଣ୍ଟ ହୁଳହୁଳି, ଶଙ୍ଖନାଦ ତଥା ଢୋଲ ବାଦ୍ୟର ତାଳେ ତାଳେ ଭକ୍ତମାନେ ଗ୍ରାମ ଦେବତୀଙ୍କ ନିକଟକୁ ଦିଅଁ ମଙ୍ଗଳା ଉଦ୍ଦେଶ୍ୟରେ ଯାଇଥିଲେ। ମନ୍ଦିର ପୂଜକ ଅରୁଣ ମିଶ୍ର, ଶରତ ଚନ୍ଦ୍ର ତ୍ରିପାଠୀ ଓ ସେବକ ମଙ୍ଗଳୁ ନାଏକଙ୍କ ମହାଦେବଙ୍କ ରୁଦ୍ରାଭିଷେକ କରିଥିଲେ। ରାତିରେ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ସୁଶୋଭିତ ଚଦ୍ରାତାପ, ରୋଷଣୀ ରଙ୍ଗୀନ ଆଲୋକ ମାଳା, ଶୁଭ ଶଙ୍ଖ ସାହାନାଇ ଶବ୍ଦରେ ଗିରିଜାଶଙ୍କ ସହିତ ମାତା ପାର୍ବତୀଙ୍କ ନୀତିକାନ୍ତିରେ ହାତଗଣ୍ଠି ପଡ଼ିବ ସହ ସମ୍ପନ୍ନ ହୋଇଥିଲା। ଯଥାବିଧି ଦେବନୀତି ସମ୍ପନ୍ନ ପରେ ସା ସମୟରେ ଦେବଦମ୍ପତି ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ବାଦ୍ୟନାଦ ଓ ବାଣ ରୋଷଣୀ ସହ ମହା ଆଡ଼ମ୍ବରରେ ସୁସଜ୍ଜିତ ବିମାନରେ ଗ୍ରାମ ପରିକ୍ରମା କରି ସମସ୍ତଙ୍କୁ ଦର୍ଶନ ଦେଇଥିଲେ। ଚଳିତ ବର୍ଷ ମହାଦେବଙ୍କ କର୍ତ୍ତାଭାବେ ତୁରୁମୁଙ୍ଗା ତଳସାହିର ଭିନୁଆଁ ଝାଲିଆ ଓ ସ୍ତ୍ରୀ ସୋନାଲି ଝାଲିଆ ଏବଂ ମାତା ପାର୍ବତୀଙ୍କ କର୍ତ୍ତା ଭାବେ କଲେଜ ସାହିର ଗୌତମ ସାହୁ ଓ ସ୍ତ୍ରୀ ମଞ୍ଜୁ ରାଣୀ ସାହୁ ଦାୟିତ୍ୱ ନିର୍ବାହ କରିଥିଲେ। ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ପରିଚାଳନା କରିଥିଲେ।

