Categories: ଖେଳ

ଟୋକିଓରେ ପହଞ୍ଚିଲା ବିଶାଳ ଅଲିମ୍ପିକ କଣ୍ଢେଇ

ଟୋକିଓ,୧୮।୭(ଏପି): ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ୬ ଦିନ ବାକିଥିବା ବେଳେ ଏକ ବିଶାଳ ଅଲିମ୍ପିକ କଣ୍ଢେଇ ଟୋକିଓରେ ଆସି ପହଞ୍ଚିଛି। ଏ ନେଇ ଅଲିମ୍ପିକ୍‌ ଆୟୋଜକମାନେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ବିଶାଳ କଣ୍ଢେଇ ଟୋକିଓ ୨୦୨୦ ନିପନ ଫେଷ୍ଟିଭାଲର ମୁଖ୍ୟ ଆକର୍ଷଣ ଥିଲା। ଏହି ଉତ୍ସବ ୨୦୨୦ ଅଲିମ୍ପିକ୍ସର ଆନୁଷ୍ଠାନିକ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ଏହି କଣ୍ଢେଇର ନାମ ‘ମୋକ୍କୋ’ ରଖାଯାଇଛି। ଗତ ମେ’ ୧୫ ତାରିଖରେ ‘ମୋକ୍କୋ’ ପ୍ରଥମଥର ପାଇଁ ଦେଖିବାକୁ ମିଳିଥିଲା।


୨୦୧୧ ଭୂମିକମ୍ପ ଓ ସୁନାମି ଦ୍ୱାରା ଜାପାନର ଟୋହୋକୁ ଅଞ୍ଚଳ ବେଶ୍‌ କ୍ଷତିଗ୍ରସ୍ତ ହୋଇଥିଲା ଓ ଏହି ବିପର୍ଯ୍ୟୟର ମାନସ ସନ୍ତାନ ଭାବେ ‘ମୋକ୍କୋ’ ସୃଷ୍ଟି ହୋଇଥିଲା। ଜାପାନ ବ୍ୟଙ୍ଗକାର ତଥା ଲେଖକ ନାଓକି ମାଟାୟୋଶି ଏକ ଗପ ଲେଖିଥିଲେ। ଏଥିରେ ସେ ‘ମୋକ୍କୋ’କୁ ମୁଖ୍ୟ ଚରିତ୍ର ଭାବେ ଏହି ଗପରେ ନେଇଥିଲେ। ଏଥିରୁ ପ୍ରଭାବିତ ହୋଇ ସ୍କ୍ରିନ୍‌ରାଇଟର କାନକୁରୋ କୁଡୋ ଏହି ବିଶାଳ କଣ୍ଢେଇର ନାମ ‘ମୋକ୍କୋ’ ଦେଇଥିଲେ। ଜାପାନର ୩ଟି ପ୍ରାନ୍ତ ଭ୍ରମଣ କରିବା ପରେ ‘ମୋକ୍କୋ’ ଟୋକିଓରେ ପହଞ୍ଚିଛି। ‘ମୋକ୍କୋ’କୁ ନେଇ ଟୋକିଓରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଜୁଲାଇ ୨୩ ତାରିଖରେ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ ଆୟୋଜନ ହେବ। ଅଗଷ୍ଟ ୮ ତାରିଖରେ ଏହି କ୍ରୀଡ଼ା ମହାକୁମ୍ଭ ଶେଷ ହେବ। ୨୦୬ ଦେଶରୁ ୧୧,୨୩୮ରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଏଥିରେ ଅଂଶଗ୍ରହଣ କରିବେ। ଭାରତର ୧୧୯ ଆଥ୍‌ଲେଟ ଏଥର ଅଲିମ୍ପିକ୍ସରେ ଭାଗ ନେବେ। ଏଥିରେ ୬୭ ପୁରୁଷ ଓ ୫୨ ମହିଳା ଆଥ୍‌ଲେଟ ସାମିଲ ରହିଛନ୍ତି।

Share