ତାରିଣୀଙ୍କ ସନ୍ଧ୍ୟା ଆଳତି ଅଧାରୁ ବନ୍ଦ

ଘଟଗାଁ, ୪।୭(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁବାସିନୀ ମା’ ତାରିଣୀଙ୍କ ନୀତିକାନ୍ତିରେ ବିଶୃଙ୍ଖଳା ଦେଖାଯାଇଛି। ସନ୍ଧ୍ୟା ଆଳତି ସମୟରେ ଲାଇଟ୍‌ ଓ ବାଜା ବନ୍ଦ କରିଦିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ଅଧାରୁ ଆଳତି ବନ୍ଦ ହୋଇଯିବାରୁ ଭକ୍ତ ଉତ୍ତେଜିତ ହୋଇ ମନ୍ଦିର କାର୍ଯ୍ୟାଳୟ ଘେରି ପାଟିତୁଣ୍ଡ କରିଥିଲେ। ମା’ଙ୍କ ଆଳତିରେ ବିଭ୍ରାଟକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଯାଇଛି।
ଖବର ଅନୁଯାୟୀ, ରବିବାର ସା ଆଳତି ନିର୍ଦ୍ଧାରିତ ସମୟ ୭.୩୦ ମିନିଟ୍‌ରେ ଆରମ୍ଭ ହୋଇଥିଲା। ମା’ଙ୍କୁ କର୍ପୂର ଆଳତି ସମୟରେ ଲାଇଟ୍‌ ଓ ବାଜା ପିଟିବା ବନ୍ଦ କରିଦିଆଯାଇଥିଲା। ଏ ନେଇ ପୂଜକ ଓ ଉପସ୍ଥିତ ଭକ୍ତ ମନ୍ଦିର ପରିଚାଳନା କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କୌଣସି ଅଧିକାରୀଙ୍କୁ ନ ପାଇ ପାଟିତୁଣ୍ଡ କରିଥିଲେ। ଆଳତି ସମୟରେ ଘଟଗଁା ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁ ଉପସ୍ଥିତ ଥିବା ବେଳେ ଘଟଣା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ମନ୍ଦିର କର୍ମଚାରୀ ହରେକୃଷ୍ଣ ବେହେରାଙ୍କୁ ଆଳତି ସମ୍ପୂର୍ଣ୍ଣ କରିବା ପାଇଁ କହିବା ପରେ ଆଉ ଥରେ ଆଳତି ହୋଇଥିଲା। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ଆଳତିରେ ବିଭ୍ରାଟ କଥା ସ୍ବୀକାର କରିଥିଲେ। ଲାଇଟ୍‌ ବନ୍ଦ କରାଯାଇ ନ ଥିଲା। କୌଣସି କାରଣରୁ ବନ୍ଦ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଆଳତି ବ୍ୟବସ୍ଥା କରାଯାଇଥିବା ସେ କହିଥିଲେ।