ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର ଠାରୁ ଗଞ୍ଜାମ ଓ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଏହି ଘାଟିକୁ ଉଭୟ ପଟରୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ଶନିବାର ଦିନସାରା ବର୍ଷା ନ ଥିବା ବେଳେ ଖରାର ପ୍ରକୋପ ରହିଥିଲା। ଅପରପକ୍ଷରେ, ଜାତୀୟ ରାଜପଥ ସୋରଡ଼ା ଡିଭିଜନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଘାଟିରେ ଖସିଥିବା ପଥର, ମାଟି ଅତଡ଼ା ହଟାଯାଇ ଅସ୍ଥାୟୀ ମରାମତି କାର୍ଯ୍ୟ ଶେଷ ହୋଇଥିବା ବିଭାଗୀୟ ଯନ୍ତ୍ରୀ ଜଗନ୍ନାଥ ରଥ ସୂଚନା ଦେଇଛନ୍ତି। ବର୍ତ୍ତମାନ ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶ ମିଳିବା ପରେ ହିଁ ଯାତାୟାତ ସ୍ୱାଭାବିକ ହେବ।
ଗୋପାଳପୁରରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତା ଅତ୍ୟନ୍ତ ଅଣଓସାରିଆ ହୋଇଥିବାରୁ ସାମାନ୍ୟ ବର୍ଷାରେ ପାହାଡ଼ରୁ ପଥର, ମାଟି ଓ ବଡ଼ ବଡ଼ ଗଛ ଖସି ରାସ୍ତା ଅବରୋଧ ହୋଇଥାଏ। ଲଗାଣ ବର୍ଷାରେ ବଡ଼ ଧରଣର ଅଘଟଣ ଏଡ଼ାଇବା ପାଇଁ ପ୍ରଶାସନ କଟକଣା ଲଗାଇଥିବା ବେଳେ ବାଲିଗୁଡ଼ାରୁ ଦାରିଙ୍ଗବାଡି ଦେଇ ବ୍ରହ୍ମପୁରକୁ ଯାତ୍ରୀବାହୀ ବସ୍ ଓ ମାଲବାହୀ ଟ୍ରକ୍ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଯାତାୟାତ ଠପ୍ ହେବା ଫଳରେ ଦାରିଙ୍ଗବାଡି ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ପନିପରିବା ନ ମିଳି ଦରଦାମ ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି। ଦାରିଙ୍ଗବାଡି ଅଞ୍ଚଳ ସାମଗ୍ରୀ ପାଇଁ ବ୍ରହ୍ମପୁର ଉପରେ ନିର୍ଭରଶୀଳ ହୋଇଥିବାରୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ଆମ୍ବୁଲାନ୍ସ ଯୋଗେ ଗୁରୁତର ରୋଗୀଙ୍କୁ ବ୍ରହ୍ମପୁର ମେଡିକାଲ ନେବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତୁରନ୍ତ ରାସ୍ତା ଖୋଲିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।