Categories: ଖେଳ

ବାଙ୍ଗାଲୋର ବିପକ୍ଷରେ ଗେଲ୍‌ ଖେଳିବେ

ଦୁବାଇ,୧୪।୧୦ (ପି.ଟି.): କିଙ୍ଗ୍ସ ଏକାଦଶ ପଞ୍ଜାବର ବରିଷ୍ଠ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ ମ୍ୟାଚ୍‌ ଖେଳିବେ। ଇତିମଧ୍ୟରେ ସେ ଫୁଡ ପଏଜନିଂରୁ ଆରୋଗ୍ୟ ଲାଭ କରିଛନ୍ତି। ଗୁରୁବାର ସେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ପଡିଆକୁ ଓହ୍ଲାଇବେ।
ଗେଲ୍‌ ଫୁଡ୍‌ ପଏଜନିଂର ଶିକାର ହୋଇଥିବାରୁ ଗତ ସପ୍ତାହରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ଖେଳିପାରି ନ ଥିଲେ ବୋଲି ହେଡ୍‌ କୋଚ୍‌ ଅନିଲ କୁମ୍ବଲେ କହିଛନ୍ତି। ୪୧ ବର୍ଷୀୟ ଗେଲ୍‌ ମଧ୍ୟ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ଖେଳିପାରି ନ ଥିଲେ। ହସ୍ପିଟାଲ ବେଡ୍‌ରେ ଥାଇ ଗେଲ୍‌ ତାଙ୍କ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଗେଲ୍‌ ନେଟ୍ସକୁ ପ୍ରତ୍ୟାବର୍ତ୍ତନ କରିବାର ଫଟୋ ମଧ୍ୟ ପଞ୍ଜାବ ପୋଷ୍ଟ କରିଥିଲା। ସେ ଏବେ ସୁସ୍ଥ ଅଛନ୍ତି ଓ ଗୁରୁବାର ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ଏହି ମ୍ୟାଚ୍‌ ଶାରଜାର ଅପେକ୍ଷାକୃତ ଛୋଟ ଗ୍ରାଉଣ୍ଡରେ ଖେଳାଯିବ। ତେଣୁ ଏହି ଗ୍ରାଉଣ୍ଡରେ ଗେଲ୍‌ ଛକା ବର୍ଷା କରିବେ ବୋଲି ଆଶା କରାଯାଉଛି। ଦଳ ତରଫରୁ ମୟଙ୍କ ଅଗ୍ରଓ୍ବାଲ ଓ ଲୋକେଶ ରାହୁଲ ଓପନିଂ କରୁଛନ୍ତି। ପଞ୍ଜାବ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳି ୬ଟିରେ ପରାଜୟ ବରଣ କରିଛି। ଟୁର୍ନାମେଣ୍ଟର ଦ୍ୱିତୀୟାର୍ଦ୍ଧରେ ପ୍ଲେ- ଅଫ୍‌ରେ ସ୍ଥାନ ହାସଲ ପାଇଁ ପଞ୍ଜାବ ପ୍ରଦର୍ଶନରେ ଉନ୍ନତି ଆଣିବା ଜରୁରୀ ହୋଇପଡିଛି।

Share