
ମୋ ନନା ଥିଲେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ସେ ହିଁ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ୪ ଭାଇଭଉଣୀଙ୍କ ମଧ୍ୟରେ ମୁଁ ଥିଲି ସବୁଠାରୁ ସାନ। ସେଥିପାଇଁ ସମସ୍ତଙ୍କର ଗେହ୍ଲା। ଜମିବାଡ଼ି ଅଧିକ ଥିଲା ବୋଲି ଜେଜେବାପା ନନାଙ୍କୁ ଗାଁରୁ ଦୂରକୁ ଛାଡୁ ନ ଥିଲେ। ତେଣୁ ନନା ଗାଁ ପାଖ ସ୍କୁଲରେ ଶିକ୍ଷକତା କରୁଥିଲେ। ମୁଁ ୫ମଶ୍ରେଣୀରେ ପଢ଼ିଲାବେଳକୁ ମୋ ବଡ଼ ଭାଇଭଉଣୀ ବିବାହ କରିସାରିଥିଲେ। ଭାଇନା ଭାଉଜଙ୍କୁ ନେଇ ଯାଇଥିଲେ ତାଙ୍କ ଚାକିରି ସ୍ଥାନକୁ। ଘରେ କେବଳ ମୁଁ, ନନାବୋଉ ଆଉ ଜେଜେବାପା। ପରୀକ୍ଷା ହେଉ କି କୌଣସି ପ୍ରତିଯୋଗିତା ଥିଲେ, ନନା ସବୁବେଳେ ଆଗରୁ ବୁଝାଇ ଦେଉଥିଲେ, ଏପରି କରିବୁ ସେପରି କରିବୁ ବୋଲି। ତାଙ୍କରି ଆଶୀର୍ବାଦରୁ ଭଲ ପଢୁଥିବା ଯୋଗୁ ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇଲି; ଯେଉଁଥିରେ ଖୁସି ହୋଇ ଭାଇନା ମୋତେ ଏକ ସାଇକେଲ ଉପହାର ଦେଇଥିଲେ। ସେତେବେଳେ ମୁଁ ଥିଲି ଆମ ଗାଁର ପ୍ରଥମ ଝିଅ; ଯିଏକି ସାଇକେଲରେ ପ୍ରାୟ ୫ କି.ମି. ସ୍କୁଲକୁ ଯିବା ଆସିବା କରୁଥିଲି। କହିବାକୁ ଗଲେ, ନିଜର ପରିଶ୍ରମ ଏବଂ ନନାବୋଉଙ୍କ ଆଶୀର୍ବାଦ ଯୋଗୁ ମୋର ରୋଜଗାରର ଅୟମାରମ୍ଭ ସ୍କୁଲରେ ପଢ଼ିଲାବେଳୁ ହିଁ ହୋଇଯାଇଥିଲା। ୬ଷ୍ଠଶ୍ରେଣୀରେ ଏକ ଭାଷଣ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ହୋଇଥିଲି। ସ୍କୁଲର ସିଆଇ ସାର୍ ମୋତେ ୫୦ ଟଙ୍କା ପୁରସ୍କାର ଦେଇଥିଲେ। ସେତେବେଳେ ଛୋଟ ଥିଲି, ଜାଣି ନ ଥିଲି ରୋଜଗାରର ଅର୍ଥ କ’ଣ। କିନ୍ତୁ ଦୌଡ଼ି ଆସି ନନାଙ୍କୁ ଧରାଇ ଦେଇଥିଲି ସେହି ଟଙ୍କାକୁ; ଯାହାର ବାସ୍ନା ଆଉ ଆପଣାପଣରେ ସତେ ଯେମିତି ନନା ସେଦିନ ଭିଜିଯାଇଥିଲେ। ଜୀବନରେ ବହୁତ ଟଙ୍କା ଆସିଛି ଯାଇଛି, ହେଲେ ସେଦିନର ସେହି ଦୃଶ୍ୟ ଥିଲା ନିଆରା ଆଉ ମୋ ପାଇଁ ଅବିସ୍ମରଣୀୟ।
ମୁଁ ବଡ଼ ହେଲା ପରେ ନନା ତାଙ୍କ ନାତିନାତୁଣୀଙ୍କୁ ମୋର ଉଦାହରଣ ଦେଉଥିବାର ଅନେକ ଥର ଶୁଣିଛି। ସେ କଥା ଶୁଣି ତାଳୁରୁ ତଳିପା ଯାଏଁ ରୋମାଞ୍ଚିତ ହୋଇଯାଇଛି। ପିଲାଦିନୁ ନନାଙ୍କୁ ଦେଖିଛି ସର୍ବଦା ନିଜ ଦରମା ବୋଉକୁ ଧରାଇଦେବାର। ବୋଉ ତାକୁ ସଯତ୍ନରେ ରଖେ। ନନାଙ୍କ ପାଖରେ ହିସାବ, ବୋଉ ପାଖରେ ଟଙ୍କା। ବୋଉ କିପରି ସବୁବେଳେ ବଳକା ଟଙ୍କା ରଖିଥାଏ, ସେହି ସଞ୍ଚୟ କରିବାର ତରିକାଟି ମୁଁ ବୋଉଠାରୁ ଶିଖିଥିଲି। ମୋର ଏମ୍ଏ ପଢ଼ା ଅଧାରୁ ବିବାହ ହୋଇଗଲା। ସ୍ବାମୀ ଲଳିତ ମୋହନ ମିଶ୍ର, ସହକାରୀ ଶିକ୍ଷକ। ସେତେବେଳେ ସେ ଥିଲେ ସୁଦୂର ନବରଙ୍ଗପୁରରେ। ସେଠାରେ ଏକ ବ୍ଲକ୍ ଗ୍ରାଣ୍ଟ ସ୍କୁଲରେ ମୋତେ ପଢ଼ାଇବାକୁ ସୁଯୋଗ ମିଳିଲା। କେତେଜଣ ପିଲା ଟ୍ୟୁଶନ ପାଇଁ ବି ଆସୁଥିଲେ। ହେଲେ ମୁଁ ସେମାନଙ୍କଠାରୁ ପାରିଶ୍ରମିକ ନେଉ ନ ଥିଲି। ସେଥିପାଇଁ ତାଙ୍କ ବାପାମା’ମାନେ କେତେବେଳେ ମାଣ୍ଡିଆ, ଗହମ ତ ଆଉ କେତେବେଳେ ଟମାଟୋ, କୋବି; ଯାହା ବାଡ଼ିରେ ଫଳୁଥିଲା ନେଇ ଆସୁଥିଲେ ଆମ ପାଇଁ। ଆଉ କହୁଥିଲେ, ‘ତୁଇ ପଇସା ନାଇ ରଖିବାର କିସ୍ ପାଇଁ।’ ଭାରି ଭଲ ଲାଗୁଥିଲା ସେମାନଙ୍କ ଆତ୍ମୀୟତା, ଆପଣାପଣ। କିଛିଦିନ ପରେ ଆମେ ନବରଙ୍ଗପୁର ଛାଡ଼ି ଚାଲି ଆସିଥିଲୁ ଗଜପତି ଜିଲା। ମୋର ପାଠପଢ଼ାରେ ଆଗ୍ରହ ଦେଖି ସ୍ବାମୀ ମୋତେ ପଢ଼ିବାର ସୁଯୋଗ ଦେଲେ; ଯେଉଁଥିପାଇଁ ବ୍ରହ୍ମପୁର ୟୁନିଭର୍ସିଟିରୁ ଓଡ଼ିଆରେ ଏମ୍ଏ ପାସ୍ କରିବା ସହ କମ୍ପ୍ୟୁଟରର ଏକ କୋର୍ସ କରିଥିଲି। ହେଲେ ସେତେବେଳକୁ ମୋର ଝିଅ ତିତିକ୍ଷା ଜନ୍ମ ହୋଇ ସାରିଥାଏ। ତେଣୁ ଆଉ ଚାକିରି କରିପାରିଲି ନାହିଁ। କିନ୍ତୁ କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। କେବଳ ଚାକିରି କରି ଯେ ରୋଜଗାର କରି ହେବ ତାହା ନୁହେଁ। ଶିକ୍ଷା ନିଜକୁ ଆତ୍ମନିର୍ଭରଶୀଳ କରାଏ। ସେହି ସମୟରେ ନାଳନ୍ଦା ବିଶ୍ବବିଦ୍ୟାଳୟର ଜଣେ ପରିଚିତ ପ୍ରଫେସର ମୁଁ ଏମ୍ଏ କରିଛି ଜାଣି, ନିଜର ଏକ ପୁସ୍ତକ ମୋତେ ଅନୁବାଦ କରିବାକୁ ଦେଲେ। ମୁଁ ସମୟ ପୂର୍ବରୁ ତାଙ୍କୁ ଅନୁବାଦ କରି ଦେଇଥିଲି। ସେ ଖୁସିରେ ୨୦ ହଜାର ଟଙ୍କା ମୋତେ ଦେଇଥିଲେ। ପରେ ଜାଣିବାକୁ ପାଇଲି ଏହା କୌଣସି ବହିର ଅନୁବାଦ ନ ଥିଲା ବରଂ ଏକ ରିସର୍ଚ୍ଚ ପେପର ଥିଲା। ଯାହାବି ହେଉ ସେହି ଟଙ୍କାରେ ମୋ ବୋଉ ପାଇଁ ଶାଢ଼ି, ନନାଙ୍କ ପାଇଁ ସ୍ବେଟର, ସ୍ବାମୀଙ୍କ ପାଇଁ ଶାର୍ଟ ଓ ଝିଅ ପାଇଁ ଡ୍ରେସ୍ କିଣିଥିଲି। ଏବେ ମୁଁ ଅନ୍ୟ ଏକ ରିସର୍ଚ୍ଚ ପେପର ଅନୁବାଦ କରୁଛି ଏବଂ ସାହିତ୍ୟ ସାଧନାରେ ମଧ୍ୟ ବ୍ରତୀ ରହିଛି। ୟା’ ଭିତରେ ମୋର ଦୁଇଟି କବିତା ସଙ୍କଳନ ‘ଶେଫାଳୀର ହସ’ ଓ ‘ସ୍ବପ୍ନାବେଶ’ ପ୍ରକାଶ ପାଇସାରିଛି। ତା’ସହ ବିଭିନ୍ନ ପତ୍ରପତ୍ରିକା, ଖବରକାଗଜରେ ମୋର ଲେଖା ପ୍ରତ୍ୟହ ପ୍ରକାଶିତ ହେଉଛି। କହିବାକୁ ଗଲେ, ସାହିତ୍ୟ ମୋତେ ଏକ ନୂଆ ପରିଚୟ ଦେଇଛି।