Categories: ଖେଳ

ଗାଭାସ୍କରଙ୍କ ଆଇପିଏଲ ଏକାଦଶର ଅଧିନାୟକ ଧୋନୀ

ନୂଆଦିଲ୍ଲୀ, ୮।୪(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ପୂର୍ବରୁ କିମ୍ବଦନ୍ତୀ ଭାରତୀୟ ଟେଷ୍ଟ ଓପନର ସୁନୀଲ ଗାଭାସ୍କର ସର୍ବକାଳୀନ ଆଇପିଏଲ ଏକାଦଶ ଚୟନ କରିଛନ୍ତି। ଏଥିରେ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଧିନାୟକ କରିଛନ୍ତି। ଆଇପିଏଲ ଇତିହାସର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମା ଏବଂ ‘ୟୁନିଭର୍ସ ବସ୍‌’ କ୍ରିସ୍‌ ଗେଲ୍‌ଙ୍କୁ ତାଙ୍କ ଏକାଦଶର ଓପନର ଭାବେ ବାଛିଛନ୍ତି। ରୋହିତ ଆଇପିଏଲରେ ୫୦୦୦ ରନ ପୂରଣ କରି ସାରିଥିବାବେଳେ ଗେଲ୍‌ଙ୍କ ନାମରେ ସର୍ବାଧିକ ଛକା ରେକର୍ଡ ରହିଛି। ୩ ନମ୍ବର ସ୍ଥାନ ପାଇଁ ଗାଭାସ୍କର ସନ୍‌ରାଇଜର୍ସ ହାଇଦ୍ରାବାଦର ରନ୍‌ ମେସିନ ଡେଭିଡ ଓ୍ବାର୍ନରଙ୍କୁ ମନୋନୀତ କରିଛନ୍ତି। ଆଇପିଏଲ ଇତିହାସରେ ସର୍ବାଧିକ ରନ ସଂଗ୍ରହକାରୀ ବିରାଟ କୋହଲିଙ୍କୁ ୪ ନମ୍ବର ସ୍ଥାନ ମିଳିଛି। କୋହଲିଙ୍କ ବନ୍ଧୁ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ ମେଟ୍‌ ଏବି ଡି’ଭିଲର୍ସଙ୍କୁ ୫ ନମ୍ବରରେ ରଖା ଯାଇଥିବାବେଳେ ଆଇପିଏଲ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ସୁରେଶ ରାଇନା ୬ଷ୍ଠ ସ୍ଥାନରେ ରହିଛନ୍ତି। ୩ ଥର ଆଇପିଏଲ ବିଜେତା ଅଧିନାୟକ ଧୋନୀ ୭ମ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୮ମ ସ୍ଥାନ ପାଇଛନ୍ତି। ବୋଲିଂ ବିଭାଗରେ ଗାଭାସ୍କର କୋଲକାତା ନାଇଟ ରାଇଡର୍ସ ଅଫ୍‌ ସ୍ପିନର ସୁନୀଲ ନାରିନ ଏବଂ ଭାରତର ଦୁଇ ପେସର ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‌ରାଙ୍କୁ ସ୍ଥାନ ଦେଇଛନ୍ତି। ଶ୍ରୀଲଙ୍କାର ଲସିଥ ମାଲିଙ୍ଗାଙ୍କୁ ସେ ଦ୍ୱାଦଶ ଖେଳାଳିରେ ରଖିଛନ୍ତି। ଅନେକ ଖେଳାଳିଙ୍କୁ ଛାଡ଼ି ଯାଇଥିବାରୁ କ୍ଷମା ମାଗିଛନ୍ତି ଏହି ଲିଟିଲ ମାଷ୍ଟର।
ଗାଭାସ୍କରଙ୍କ ସର୍ବକାଳୀନ ଆଇପିଏଲ ଏକାଦଶ: ରୋହିତ ଶର୍ମା, କ୍ରିସ୍‌ ଗେଲ୍‌, ଡେଭିଡ ଓ୍ବାର୍ନର, ବିରାଟ କୋହଲି, ଏବି ଡି’ଭିଲର୍ସ, ସୁରେଶ ରାଇନା, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ରବୀନ୍ଦ୍ର ଜାଡେଜା, ସୁନୀଲ ନାରିନ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ୍‌ ବୁମ୍‌ରା। ଦ୍ୱାଦଶ ଖେଳାଳି: ଲସିଥ ମାଲିଙ୍ଗା।

Share